ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ଏରୋସ୍ପେଶ୍‌‌ ଏକଡେମୀ, ବର୍ଷକୁ ବାହାରିବେ ୫୦୦ ଦକ୍ଷ ପାଇଲଟ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି। ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ସମ୍ଭାବ୍ୟ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବା ନେଇ ସରକାରୀ ସ୍ତରରେ କାର୍ଯ୍ୟ ଚାଲିଛି। ‘ଉଡ଼ାଣ’ ଯୋଜନାରୁ ଓଡ଼ିଶା ପାଇଁ ବିମାନ ସେବା କ୍ଷେତ୍ରରେ ଆବଶ୍ୟକ ଚାହିଦା ପୂରଣ କରିବା ସକାଶେ ସାଧନ ଓ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଦ୍ୟମ ଜାରୀ ରହିଛି। ତେବେ ଏଥିପାଇଁ ଆବଶ୍ୟକ ମାନବସମ୍ବଳ ଉପଲବ୍‌‌ଧ କରାଇବାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର। ଆମ ରାଜ୍ୟରେ ବିମାନ ଚଳାଚଳ ସହିତ ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ରର ଅଭାବ ରହିଛି। ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବେଳେ ବୈଷୟିକ ବିକାଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିଜୁ ପଟ୍ଟନାୟକ ଏରୋସ୍ପେଶ ଏକାଡେମୀ ପ୍ରତିଷ୍ଠା ପାଇଁ ପରିକଳ୍ପନା କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଢେଙ୍କାନାଳ ଜିଲ୍ଲାର ବୀରାସାଲ ଠାରେ ଏକ ‘ଏରୋସ୍ପେଶ୍‌‌ ଏକାଡେମୀ’ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ସେଠାରେ ବିମାନ ଚାଳନା ଠାରୁ ଆରମ୍ଭ କରି ଏରୋନଟିକାଲ ଇଞ୍ଜିନିୟରିଂ, ଏରୋ ସାଟେଲାଇଟ୍‌‌ ଓ ଏୟାର ହୋଷ୍ଟେସ୍‌‌ ପାଠ୍ୟକ୍ରମ ଆଦି ଆରମ୍ଭ କରାଯିବ। ଏଠାରୁ ବର୍ଷକୁ ୫୦୦ ପାଇଲଟ୍‌‌ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୫୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଖୁବ୍‌‌ଶୀଘ୍ର ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜ୍ୟର ୧୯ଟି ଏୟାରଷ୍ଟ୍ରିପ୍‌‌ ତଥା ଏୟାରପୋର୍ଟକୁ କେନ୍ଦ୍ର ସରକାର ‘ଉଡ଼ାଣ’ ଯୋଜନାରେ ସାମିଲ କରିଛନ୍ତି।

ସେଥିରୁ ଝାରସୁଗୁଡ଼ା, ଜୟପୁର ଏବଂ ରାଉରକେଲାରୁ ଯାତ୍ରୀ ସେବା ଆରମ୍ଭ ହୋଇଛି। ଆଗାମୀ ଦିନରେ ଗଞ୍ଜାମର ରଙ୍ଗେଇଲୁଣ୍ଡା ଏବଂ କଳାହାଣ୍ଡିର ଉତ୍‌‌କେଲାରୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ସେହିପରି ପର୍ଯ୍ୟଟନ ଓ ଧାର୍ମିକ ପୀଠ ଦୃଷ୍ଟିକୋଣରୁ ରାଜ୍ୟର ୪ଟି ଏୟାରଷ୍ଟ୍ରିପ୍‌‌କୁ ଆର୍‌‌ସିଏସ୍‌‌/ଉଡ଼ାନ୍‌‌ ବିଡିଂରେ ସାମିଲ କରି ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ପତ୍ର ଲେଖିଛନ୍ତି। ମୟୂରଭଞ୍ଜର ଅମର୍ଦ୍ଦାରୋଡ଼, ସମ୍ବଲପୁରର ଜମାଦାରପଲ୍ଲୀ, କୋଣାର୍କ ଓ ମାଲକାନଗିରି ଏୟାରଷ୍ଟ୍ରିପ୍‌‌କୁ ଏହି ଯୋଜନାରେ ସାମିଲ କରାଯିବା ସହ ଶିଳ୍ପ କରିଡରରେ ବିମାନ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାୟଗଡ଼ା, ପାରାଦୀପ, ଧାମରା, କଳିଙ୍ଗନଗର ଏବଂ ଅନୁଗୋଳ ଏୟାରଷ୍ଟ୍ରିପ୍‌‌କୁ କାର୍ଯ୍ୟକ୍ଷମ କରାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମ୍ପ୍ରତି ବିମାନ ଚାଳନା ପ୍ରଶିକ୍ଷଣ ପାଇଁ ବିରାସାଲ ଏୟାରଷ୍ଟ୍ରିପ୍‌‌ ବ୍ୟବହାର ହେଉଛି। ଭୁବନେଶ୍ୱର ଠାରୁ କମ୍‌‌ ଦୂରତାରେ ଏହା ଥିବାରୁ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଏହାର ଉତ୍ତମ ସଂଯୋଗ ରହିଛି। ଏଣୁ ଗୋଟିଏ ଛାତ ତଳୁ ବିମାନ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟରେ ଦକ୍ଷ ମାନବସମ୍ବଳ ସୃଷ୍ଟି ପାଇଁ ଏଠାରେ ଏରୋସ୍ପେଶ ଏକାଡେମୀ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଇଛି। ଏଠାରୁ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀମାନେ ଇସ୍ରୋ, ନାସା ଭଳି ସଂସ୍ଥାରେ କାର୍ଯ୍ୟ କରିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ସମୟ ସହିତ ତାଳ ଦେଇ ଆମକୁ ଏସବୁ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେବାକୁ ହେବ। ଏହାର ପରିଚାଳନା ଭାର ଖ୍ୟାତି ସମ୍ପନ୍ନ ସଂସ୍ଥା ଉପରେ ନ୍ୟସ୍ତ କରାଯିବ ବୋଲି ସେ କହିଛନ୍ତି। ବିରାସାଲ ଏୟାରଷ୍ଟ୍ରିପ୍‌‌ର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ କାମ ଶେଷ ହୋଇଛି। ସମ୍ପ୍ରସାରଣ ପାଇଁ ୧୮୭.୭୭ ଏକର ଜମି ଚିହ୍ନଟ କରାଯାଇଛି।

ଜମି ଅଧିଗ୍ରହଣ ପରେ ସେଠାରେ ଏକାଡେମିକ୍‌‌ ବ୍ଲକ, ପ୍ରଶାସନିକ କୋଠା, ଶ୍ରେଣୀ ଗୃହ, ହଷ୍ଟେଲ ଆଦି ନିର୍ମାଣ କରାଯିବ। ସରକାରୀ ଘରୋଇ ଭାଗିଦାରୀରେ ଏହି ପ୍ରକଳ୍ପ ପରିଚାଳିତ ହେବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏକମାତ୍ର ବିମାନ ଚାଳନା ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ଏବେ ଗତି କାମ କରୁଛି। ଓଡ଼ିଶାରୁ ପାଇଲଟ୍‌‌ ସୃଷ୍ଟି ଲକ୍ଷ୍ୟରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୪୬ ମସିହାରେ ଓଡ଼ିଶା ଫ୍ଲାଇଂ କ୍ଲବ୍‌‌ ପ୍ରତିଷ୍ଠା କରିଥିଲେ, ଯାହା ୧୯୭୪ ମସିହାରେ ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ଅନୁଷ୍ଠାନ (ଗତି)ରେ ପରିଣତ ହୋଇଥିଲା। ବିରାସାଲ ଠାରେ ଏବେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ବିମାନ ଚାଳନା ପ୍ରଶିକ୍ଷଣ ନେଉଛନ୍ତି। ଏଠାରେ ବିଜୁ ପଟ୍ଟନାୟକ ଏରୋସ୍ପେଶ ଏକାଡେମୀ ପ୍ରତିଷ୍ଠା ହେଲେ ସ୍ଥିତିରେ ପରିବର୍ତ୍ତନ ଆସିବା ସହିତ ଓଡ଼ିଶାକୁ ପୁଞ୍ଜି ନିବେଶ ଆସିବା ସମ୍ଭାବନା ଉଜ୍ଜୀବିତ ହେବ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.