ବିଜୁ ବାବୁଙ୍କ ଦର୍ଶିତ ମାର୍ଗରେ ଓଡ଼ିଶା ଅବିରତ ବିକାଶ ଦିଗରେ ଆଗେଇ ଚାଲିଛି : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତି ପାଳନ କରାଯିବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମ୍‌ ଧାମ୍‌ରେ ବିଜୁ ଜୟନ୍ତୀ ପାଳିନ କରାଯିବ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଓଡ଼ିଶାର ଜନସାଧାରଣଙ୍କ ସହ ମହାସମାରୋହରେ ପାଳନ କରାଯିବ ବିଜୁ ଜୟନ୍ତୀ । ବିଜୁ ଜନତା ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ । ସେଥିରେ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳର ସଫଳ ଯାତ୍ରା ବିଷୟରେ ଆଲାେଚନା କରାଯିବ । ଏହି ବୈଠକରେ ଦଳର ସମସ୍ତ ସଦସ୍ୟ ତଥା ଛାତ୍ରଛାତ୍ରୀ ଯୁବନେତା, ଯୁବନେତ୍ରୀ ଯୋଗଦେବେ ।

ରାଜ୍ୟର ବିକାଶ ଦିଗରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ତାଙ୍କରି ମାର୍ଗଦର୍ଶନରେ ଓଡ଼ିଶା ଅବିରତ ବିକାଶ ଦିଗରେ ଆଗେଇ ଚାଲିଛି । ସେ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଅନେକ କିଛି ଅବଦାନ ଦେଇଛନ୍ତି । ଓଡ଼ିଶାରେ ସ୍ୱଚ୍ଛଶାସନ, ଦାରିଦ୍ର୍ୟ ଦୂରିକରଣଠାରୁ ଆରମ୍ଭ କରି ‘ମୋ ସରକାର’ ଲାଗୁ, ମହିଳା ଶସକ୍ତିକରଣ ଦିଗରେ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା ହେଉଛି କେବଳ ବିଜୁ ବାବୁ ଦର୍ଶିତ ମାର୍ଗ । ଏହି କ୍ରମରେ ପ୍ରଶାସନିକ ତଥା ବିକାଶ ଧାରାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ଏକ ନୂତନ ଓଡ଼ିଶା ଗଠନର ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଖାଲି ସେତିକି ନୁହେଁ, ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମହିଳା ଶାଖା ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯିବ । ସେଥିରେ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଦଳ ସୁପ୍ରିମୋ କହିଛନ୍ତି ।

ଅନ୍ୟପଟେ କୋଭିଡ୍‌ ମହାମାରୀ ପରିସ୍ଥିତିରେ ଓଡ଼ିଶାବାସୀ ସମେତ ଦଳୀୟ କର୍ମୀ ଯେଉଁଭଳି ଧୈର୍ୟ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଦଳ ସୁପ୍ରିମୋ । କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ସମସ୍ତଙ୍କ ତ୍ୟାଗ, ନିଷ୍ଠା ଏବଂ ସହଯୋଗ ପାଇଁ ସାରା ଦେଶରେ ଓଡ଼ିଶା ଆଜି ପୁଣି ଏକ ପରିଚୟ ପାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଖୁବ୍‌ଶୀଘ୍ର ରାଜ୍ୟରେ ବୟସ୍କଙ୍କୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ୬୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ଖେଲି ସେତିକି ନୁହେଁ ପରେ ପରେ ଅନ୍ୟ ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ । ବିଜୁ ବାବୁଙ୍କ ଜନ୍ମ ଦିବସରେ ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଦଳୀୟ, ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପତିଜ୍ଞାବଦ୍ଧ ହେବା ପାଇଁ ଦଳର ପ୍ରତ୍ୟେକ ସଦସ୍ୟ ଆଗେଇ ଆସିବା ପାଇଁ ସୁପ୍ରିମୋ ଆହ୍ୱାନ କରିଛନ୍ତି ।

ଏଥି ସହିତ ବିଜୁ ଜୟନ୍ତି ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ସାଇକେଲ୍ ଶୋଭାଯାତ୍ରା କରାଯିବ ଏବଂ ବିଜୁ ପଟ୍ଟନାୟକଙ୍କ ଜୟନ୍ତିରୁ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୫ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏହି କାର୍ୟ୍ୟକ୍ରମ ଆୟୋଜନ ହେବ । ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସାଇକେଲ୍ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍ ହେବେ । ଶୋଭାଯାତ୍ରାରେ ହଜାର ହଜାର ଯୁବକ ଓ ଛାତ୍ର ଯୋଗଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶଓ୍ବାର ପର୍ଯ୍ୟନ୍ତ ୪ ହଜାର ୫୦୦ ମାଇଲ ସାଇକେଲ୍ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ ।

ଅନ୍ୟପଟେ ପୁଣି ଥରେ  ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଓଡିଶା ବିଧାନସଭାରେ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଛି । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି ।

Leave a comment