ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ, ଅବନ୍ତୀ ଦାସ ବିଜେଡିର ଧାମନଗର ପ୍ରାର୍ଥୀ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ଏଥିପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶାସକ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି। ଅବନ୍ତୀ ଦାସ ହୋଇଛନ୍ତି ବିଜୁ ଜନତା ଦଳର ଧାମନଗର ପ୍ରାର୍ଥୀ। ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମା’ଙ୍କ ଉପରେ ଭରସା ପ୍ରକଟ କରିବା ସହ ଧାମନଗର ଉପନିର୍ବାଚନ ପାଇଁ ମିଶନଶକ୍ତି ମା ତଥା ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

ଅନ୍ୟପଟେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବା ଓ ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ନେବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ବିଜେଡ଼ି ଧାମନଗର ଉପନିର୍ବାଚନା ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରିଛି । ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରି ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରିଥିବାବେଳେ ନିଜର ହୃତ ସମ୍ମାନ ଫେରି ପାଇବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ମାତ୍ର ୨୦୧୯ ବିଧାନସଭା ନିର୍ବାଚନ ପରେ ଅନୁଷ୍ଠିତ ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର, ପିପିଲି, ବ୍ରଜରାଜନଗର ଆଦି ଉପନିର୍ବାଚନରେ ବିପୁଳ ବିଜୟର ବୈଜୟନ୍ତୀ ଉଡ଼ାଇଥିବା ବିଜେଡି ଧାମନଗର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିଛି।

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବିଜେଡି ଧାମନଗର ପାଇଁ ରଣନୀତି ପ୍ରସ୍ତୁତ କରିଛି। ଯାହା ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବ।  ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ବିଜେଡିରେ୍‌‌ ସମନ୍ୱୟର ଅଭାବ କାରଣରୁ ଅପ୍ରତ୍ୟାଶିତ ଭାବରେ ବିଷ୍ଣୁ ସେଠୀ ବିଜୟୀ ହୋଇଥିବା କୁହାଯାଉଥିଲା। ତେଣୁ ଦଳ ପୂର୍ବର ତ୍ରୁଟିବିଚ୍ୟୁତିକୁ ସୁଧାରି ଚଳିତ ଉପନିର୍ବାଚନରେ ରେକର୍ଡ ଭୋଟରେ ବିଜୟୀ ହେବ ସେଥିପାଇଁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜେ ଏହାର ରଣନୀତି ପ୍ରସ୍ତୁତି କରୁଛନ୍ତି। ବିଭିନ୍ନ ଦିଗକୁ ବିଚାରକୁ ନେଲେ ଶାସକ ଦଳ ବର୍ତମାନ ବିଭିନ୍ନ ଦୃଷ୍ଟିରୁ ସହଜ ସ୍ଥିତିରେ ରହିଛି। ଯଦି ସବୁକିଛି ଯୋଜନା ମୁତାବକ କାର୍ଯ୍ୟାନ୍ୱୟନ ହୁଏ, ତାହେଲେ ଧାମନଗରରେ ବିଜେଡିର ବିଜୟ ବ୍ୟବଧାନ ଅନ୍ୟ ଉପନିର୍ବାଚନ ପରି ବୃହତ୍‌‌ ହେବା ସମ୍ଭାବନା ନିଶ୍ଚିତ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି। ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ମାତ୍ର ୪୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା। ଜିଲ୍ଲା ବିଜେଡିରେ ସମନ୍ୱୟ ଅଭାବରୁ ତାଙ୍କର ବିଜୟ ସମ୍ଭବ ହେଲା ବୋଲି ଅନେକବାର ବିଷ୍ଣୁ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଥିଲେ।

ତେବେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ସମସ୍ତ ନେତା ଓ କର୍ମୀ ଏକ ହୋଇ ନିର୍ବାଚନ ଲଢିଥିବା ବେଳେ ବିଜେପିର ସମସ୍ତ ରଣନୀତି ଫେଲ୍‌‌ ମାରିଥିଲା। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଜୋନ୍‌‌ରେ ବିଜେଡ଼ି ବିଜୟୀ ହୋଇଥିଲା। ଧାମନଗର ପଞ୍ଚାୟତ ସମିତି ଓ ଏନ୍‌‌ଏସି ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି କବ୍‌‌ଜା କରିଥିଲା। ଅତଏବ ପୂର୍ବ ଫଳାଫଳ, ବିଜେଡିର ସାଂଗଠନିକ ସ୍ଥିତି, ନିର୍ବାଚନ ମଣ୍ଡଳୀ ପ୍ରତି ବିଷ୍ଣୁଙ୍କ ଅଣଦେଖାକୁ ବିଚାର କଲେ ବିଜେଡି ନିଜ ବିଜୟ ନେଇ ନିଶ୍ଚିତ ବୋଲି କୁହାଯାଉଛି।

ଅନ୍ୟପଟେ ବିଷ୍ଣୁଙ୍କ ଅବର୍ତ୍ତମାନରେ ବିଜେପି ଅନୁକମ୍ପା ଭୋଟ ଏବଂ ଦଳୀୟ ସଂଗଠନକୁ ପାଥେୟ କରି ଧାମନଗର ଆସନ ବଞ୍ଚାଇବାକୁ ଯୋଜନା କରିଛି। ସ୍ୱର୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟରେ ବିଜୟୀ ହେବାକୁ ବିଜେପି ଯେଉଁ ଲକ୍ଷ୍ୟ ରଖିଛି ତାହାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁକମ୍ପା ଭୋଟ ଯେ ବିଜୟୀ ହେବାରେ ପ୍ରମୁଖ କାରଣ ହୋଇନପାରେ ତାହା ଗତ ବାଲେଶ୍ୱର ଉପ ନିର୍ବାଚନରେ ଦଳୀୟ ନେତାମାନେ ଅନୁଭବ କରିଛନ୍ତି। ମଦନମୋହନ ଦତ୍ତଙ୍କ ପରଲୋକ ପରେ ବାଲେଶ୍ୱର ଉପନିର୍ବାଚନରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେପି ପରାଜୟର ମୁହଁ ଦେଖିଛି। ଅନ୍ୟପକ୍ଷରେ ଅସୁସ୍ଥତା ହେଉ କିମ୍ବା ବ୍ୟକ୍ତିଗତ କାରଣ ଯୋଗୁଁ ବିଧାୟକ ବିଷ୍ଣୁ ସେଠୀ ନିଜ ନିର୍ବାଚନମଣ୍ଡଳୀକୁ ସମୟ ଦେଇ ପାରି ନାହାନ୍ତି। ବିରୋଧୀ ଦଳ ଉପନେତା ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ମଧ୍ୟ ଚିର ବନ୍ୟା ପ୍ରପୀଡିତ ଧାମନଗର ପାଇଁ ସେପରି କିଛି ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସଫଳ ହୋଇ ନାହାନ୍ତି। ଏସବୁ କାରଣ ଯୋଗୁଁ ନିର୍ବାଚନମଣ୍ଡଳୀର ଭୋଟର ସୂରଜଙ୍କୁ ମନଖୋଲା ସମର୍ଥନ ଦେବାକୁ କୁଣ୍ଠାପ୍ରକାଶ କରିପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି।

Leave A Reply

Your email address will not be published.