ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ବିମାନ ‘ଡାକୋଟା’, ସଂଧ୍ୟା ସୁଦ୍ଧା ପହଞ୍ଚିବ ଭୁବନେଶ୍ୱର
ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଅତିପ୍ରିୟ ଡକୋଟା ବିମାନ ଓଡ଼ିଶାରେ ପହଞ୍ଚିଛି।ବୁଧବାର ସକାଳୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି। କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା।ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦୃଷ୍ଟିଗୋଚର ହୋଇଛି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡ଼ିଶାରେ ପ୍ରବେଶ କରିଛି । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ ବିମାନର ସମସ୍ତ ଅଂଶ ବୋଝେଇ ହୋଇ ଭୁବନେଶ୍ୱର ଆସୁଛି ।
ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି । କୋଲକାତା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ବଳୟ ଯୋଗାଇ ଦେଇଥିଲେ । ଓଡ଼ିଶା ସୀମା ପହଞ୍ଚିବା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ୱରରେ ପହଞ୍ଚିବ । ଓଡ଼ିଶା ପୋଲିସର କଡ଼ା ସୁରକ୍ଷାରେ ଡାକୋଟା ବିମାନ ଭୁବନେଶ୍ୱର ଅଣାଯିବ । ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଡାକୋଟାର ଯାଞ୍ଚ କରିବେ । ଏହା ପରେ ଯନ୍ତ୍ରୀ ମାନଙ୍କର ଏକ ଟିମ୍ ଏହାକୁ ଫିଟିଂ କରିବେ । ଡାକୋଟାକୁ ତାର ମୂଳ ଅବସ୍ଥାକୁ ଅଣାଯିବ । ଏଥିପାଇଁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହା ପରେ ବିମାନବନ୍ଦର ପକ୍ଷରୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୧ ଦଶମିକ ୧ ଏକର ଜମିରେ ବିଜୁ ବାବୁଙ୍କ ଡାକୋଟା ଶୋଭା ପାଇବ । ମାର୍ଚ୍ଚ ୫ ତାରିଖରେ ଏହାର ଲୋକାର୍ପଣ ହୋଇପାରେ ।
ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ପ୍ରୟାସ ଚାଲିଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ ବୋଲି ଜଣାଯାଇଛି।
୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ସେହି ବିମାନ କୋଲକାତାର ନେତାଜୀ ବିମାନ ବନ୍ଦରରେ ଡମ୍ପିଂୟାର୍ଡରେ ଖତ ଖାଉଥିବା ବେଳେ ତାହାକୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ଦିନ ହେବ ଉଦ୍ୟମ ଆରମ୍ଭ ହୋଇଥିଲା। ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଡାକୋଟା ଓଡ଼ିଶା ଫେରିବା ପରେ ଅନିଶ୍ଚିତନା ଦେଖାଦେଇଥିଲା। ଏହାକୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୨ ବର୍ଷ ପୂର୍ବେ ଏକ କମିଟି ଗଠନ କରିଥିଲେ। ଦୀର୍ଘ ବର୍ଷର ଉଦ୍ୟମ ପରେ ଆଜି ଏହା ଓଡ଼ିଶା ସୀମାରେ ପ୍ରବେଶ କରିଥିବାରୁ ରାଜ୍ୟବାସୀ ବେଶ୍ ଉତ୍ସାହିତ ଅଛନ୍ତି।