ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ମିଳୁ: ବିଜୟ ମହାପାତ୍ର

ଭୁବନେଶ୍ବର : ଓଡ଼ିଶାକୁ ପୁଣିଥରେ ପ୍ରତାରିତ କରିଛି କେନ୍ଦ୍ରର ବିଜେପି ସରକାର। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ସିଧାସଳଖ ମନା କରି ଦେଇଛି। ଦିନକ ତଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇ ପାରିବ ନାହିଁ ଓ ଭବିଷ୍ୟତରେ ବି ଏପରି କିଛି ଯୋଜନା ନାହିଁ ବୋଲି ରୋକ୍‌‌ଠୋକ୍‌‌ କହିବା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସହ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା। ମାତ୍ର କ୍ଷମତାକୁ ଆସିବା ପରେ ଏହାକୁ ପୂରା ପାଶୋରି ଗଲେ କେନ୍ଦ୍ର ସରକାର। ଏ ସଂକ୍ରାନ୍ତରେ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ତାହାକୁ କର୍ଣ୍ଣପାତ ତ କଲେ ନାହିଁ; ଏବେ ୨୦୨୩ରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରସଙ୍ଗକୁ ପୂରା ଏଡ଼ାଇ ଯାଇଛନ୍ତି।

ପ୍ରାକୃତିକ ଦୁର୍ବିପାକ ଓଡ଼ିଶାର ଚିର ସହଚର। ବିଭିନ୍ନ ସମୟରେ ବନ୍ୟା, ବାତ୍ୟା, ମରୁଡ଼ି ଓଡ଼ିଶାବାସୀଙ୍କ ଆର୍ଥିକ ମେରୁଦଣ୍ଡଙ୍କୁ ଦୋହଲାଇ ଦେଇଛି। ବିପର୍ଯ୍ୟୟକୁ ଆଧାର କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର ଓ ବିଜେଡି ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସିଛନ୍ତି। ପରିସ୍ଥିତିରୁ ଫାଇଦା ନେବା ପାଇଁ ଅତୀତରେ ଓଡ଼ିଶା ବିଜେପି ନେତା ବିଜେଡି ସହିତ ସ୍ୱର ମିଳାଇଥିବା ଦେଖାଯାଇଛି। ୨୦୧୪ ମସିହା ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ଆମେ ଲଢ଼େଇ କରିବୁ ବୋଲି ବିଜେପିର ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିଲା। ରାଜ୍ୟ ବିଜେପିର ଅନ୍ୟତମ ଶୀର୍ଷ ନେତା ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଇସ୍ତାହାର ପ୍ରଦର୍ଶନ କରିଥିଲେ; କିନ୍ତୁ ବର୍ଷ ବର୍ଷ ଧରି ଓଡ଼ିଶାବାସୀଙ୍କୁ ଅନ୍ଧାରରେ ରଖିବା ପରେ ଏବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ସଫା ସଫା ମନା କରି ଦେଇଛି କେନ୍ଦ୍ର ସରକାର। ଯାହାକୁ ନେଇ ଗତକାଲି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ନିଶାଣ କରିଥିବା ବେଳେ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ କହିଛନ୍ତି ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି ଓଡ଼ିଶାର ନାର୍ଯ୍ୟ ହକ।

ବିଜୟ ମହାପାତ୍ର କହିଛନ୍ତି ବିଜେଡି ଗଠନ ହେବା ପଛର ମୂଳ ଉଦ୍ଦେଶ୍ୟ ହେଇଛି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା। ବିଜେଡି ପ୍ରତିଷ୍ଠା ହେବା ଦିନଠାରୁ ଏହି ଦାବି କରିଆସୁଛି। ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି ଓଡ଼ିଶାର ନ୍ୟାଯ୍ୟ ହକ୍। ଏବେ ଯଦି କେନ୍ଦ୍ର ଅର୍ଥ କମିଶନ ଓ ନୀତି ଆୟୋଗ ମନା କରୁଛନ୍ତି, ତେବେ ରାଜ୍ୟକୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ । କିମ୍ବା ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ମିଳୁ । ଯେଉଁ କ୍ଷେତ୍ରଗୁଡ଼ିକର ବିକାଶ ହୋଇନାହିଁ, ସେହି କ୍ଷେତ୍ର ପାଇଁ କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଉ ବୋଲି ସେ କହିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ପୁନର୍ବିଚାର କରିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଟୁ ସମାଲୋଚନା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଦଳ ସ୍ୱତନ୍ତ୍ର ରାଜ୍ୟାପାହ୍ୟା ଦାବିକୁ ସମର୍ଥନ କରିଆସିଛି। ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବ୍ୟାପକ ଭାବେ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ। ଏଭଳି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଆବଶ୍ୟକ। ମାତ୍ର କେନ୍ଦ୍ର ସରକାର ଏଭଳି ଦାବିକୁ ଭ୍ରୁକ୍ଷେପ ନ କରିବା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରି ଏହା ବିରୋଧରେ କଂଗ୍ରେସ ଆଗାମୀ ଦିନରେ ଦିଲ୍ଲୀରେ ଏନେଇ ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀପଟ୍ଟନାୟକ କହିଛନ୍ତି। ଅନୁରୂପ ଭାବରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓଡ଼ିଶାର ହକ୍‌‌ ଏବଂ ଏହା ପ୍ରଦାନରେ ଅବହେଳା କଲେ କେନ୍ଦ୍ର ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

Leave a comment