ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରଣାସୀ ପାଇଁ ଗୋଟିଏ ନିୟମ; ପୁରୀ ପାଇଁ ଭିନ୍ନ କାହିଁକି?

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ କରାଯାଉଛି ପରିକ୍ରମା ପ୍ରକଳ୍ପ ; କିନ୍ତୁ ଏହାକୁ ବନ୍ଦ କରିବା ଲାଗି ଚାଲିଛି ରୀତିମତ ଷଡ଼ଯନ୍ତ୍ର। କିଛି କୁଚକ୍ରୀ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରକଳ୍ପ କାମରେ ବାଧା ଉପୁଜାଉଛନ୍ତି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଏବେ ବିବାଦ ମଧ୍ୟରେ ଛନ୍ଦି ହୋଇଛି ବୃହତ୍ତର ସ୍ୱାର୍ଥ ସମ୍ବଳିତ ଏହି ପ୍ରକଳ୍ପ। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହାକୁ ବିରୋଧ କରୁଥିବାବେଳେ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ। ଅନ୍ୟପକ୍ଷରେ ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ କିଛି ଟିପ୍ପଣୀକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ବହୁ ସେବାୟତ ଓ ବୁଦ୍ଧିଜୀବୀ ଶଙ୍କରାଚାର୍ଯ୍ୟଙ୍କ ବିଳମ୍ବିତ ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି।ଏପରି ସ୍ଥିତିରେ କଟକୀ ମଠ ମହନ୍ତ ବିଜୟ ରାମାନୁଜ ଦାସ ବାରଣାସୀରେ ବିଶ୍ୱନାଥ ମନ୍ଦିର ଉଦାହରଣ ଦେଇ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ରେ ବାଧା ସୃଷ୍ଟି କରୁଥିବା ଏଏସ୍‍ଆଇକୁ କଟୁ ସମାଲୋଚନା କରିଛନ୍ତି।

କଟକୀ ମଠ ମହନ୍ତ କହିଛନ୍ତି ଯେ, ବାରଣାସୀର ବିଶ୍ୱନାଥ ମନ୍ଦିର ଚୌହଦୀର ୩୦ ମିଟର ମଧ୍ୟରେ ବଡ଼ ବଡ଼ କୋଠା ନିର୍ମାଣ କରାଯାଇଛି। ସେଠି ଏଏସ୍‍ଆଇ ଅନୁମତି ଦେଲା କେମିତି ? ବିଜେପି ଶାସିତ ରାଜ୍ୟ ପାଇଁ ଗୋଟିଏ ନିୟମ ଅଣବିଜେପି ଶାସିତ ରାଜ୍ୟ ପାଇଁ କ’ଣ ଏଏସ୍‍ଆଇ ଭିନ୍ନ ନିୟମ କି? ଏଏସ୍‍ଆଇ ଅଧିକାରୀଙ୍କ ଆଖି ଆଗରେ ସବୁ ନିର୍ମାଣ କାର୍ଯ୍ୟ କରାଯାଉଛି। ବିରୋଧ କରି ପ୍ରକଳ୍ପ କାମକୁ ରୋକିବା ଉଚିତ୍‍ ନୁହେଁ। ଜଗତ୍‍ଗୁରୁ ପ୍ରକଳ୍ପ ବିରୋଧରେ କେବେ ମତ ଦେବେ ନାହିଁ ମୋର ବିଶ୍ୱାସ। ବର୍ତ୍ତମାନ ସ୍ଥିତିରେ ପ୍ରକଳ୍ପ କାମ ରୋକିଦେଲେ ଯଦି କାଲି ମନ୍ଦିରର କିଛି କ୍ଷତି ହୁଏ ଦାୟୀ ରହିବ କିଏ? ଯେଉଁମାନେ ବିରୋଧ କରୁଛନ୍ତି କାମ ବନ୍ଦ ହେଲେ ସେମାନେ ଦାୟୀ ରହିବେ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରନ୍ତୁ କହିଛନ୍ତି କଟକୀ ମଠ ମହନ୍ତ।

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ରାଜ୍ୟ ସରକାର ଯେତେବେଳେ ମନ୍ଦିର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ କରିଡ଼ର ପରିକଳ୍ପନା କଲେ ସେତେବେଳେ ଅନେକ ଶଙ୍କରାଚାର୍ଯ୍ୟଙ୍କ ନିକଟରେ ଗୁହାରୀ କରିଥିଲେ, କିନ୍ତୁ ସେ କିଛି କରିପାରିବିନି ବୋଲି ଉତ୍ତର ଦେଇଥିଲେ। ହେଲେ ଏବେ କ’ଣ ପାଇଁ ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିନାୟକ।

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଜଗତଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଧର୍ମଗୁରୁ। ପରିକ୍ରମା ପ୍ରକଳ୍ପ ସଂକ୍ରାନ୍ତରେ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ପ୍ରମୁଖ ଜଗତ୍‍ଗୁରୁଙ୍କ ନିର୍ଣ୍ଣୟ ନେବାକୁ ତାଙ୍କ ପାଖକୁ ଯାଇଥିଲେ। ସେ ଯାହା ପରାମର୍ଶ ଦେଇଛନ୍ତି ସେହି ଅନୁସାରେ କାମ କରାଯାଉଛି। ବିକାଶ କରାଯାଉ କିନ୍ତୁ ନଷ୍ଟ କରା ନ ଯାଉ ବୋଲି ଗୁରୁଜୀ କହିଛନ୍ତି। ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଶଙ୍କରାଚାର୍ଯ୍ୟ ହେଉଛନ୍ତି ଆମର ଧର୍ମଗୁରୁ। ପରିକ୍ରମା କାମ ବନ୍ଦ କରାଯାଉ କିମ୍ବା କାମ ଖରାପ ହେଉଛି ବୋଲି ସେ କହିନାହାନ୍ତି। ସମସ୍ତେ କାମ ହେଉ ବୋଲି ଚାହୁଁଛନ୍ତି। କିନ୍ତୁ କିଛି ହାତଗଣତି ଲୋକ ରାଜନୈତିକ ଅଭିସନ୍ଧି ରଖି ହୀନ ଷଡ଼ଯନ୍ତ୍ର କରୁଛନ୍ତି। ଜଗତଗୁରୁ ପରୋକ୍ଷରେ ସେମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେଉଁ ବୟାନବାଜି ଚାଲିଛି ତାହା ବନ୍ଦ ହେଉ।।

ଯେତେବେଳେ ୧,୦୦୦ ବର୍ଷର ମଠ ଉଚ୍ଛେଦ ହେଲା ଏବଂ ପରିକ୍ରମା ପ୍ରକଳ୍ପ ଆରମ୍ଭ ହେଲା ସେତେବେଳେ ଶଙ୍କରାଚାର୍ଯ୍ୟ ଚୁପ୍‍ କାହିଁକି ରହିଲେ ବୋଲି ପ୍ରଶ୍ନ କରିଛନ୍ତି ଭଏସ୍‍ ଅଫ୍‍ କମନମ୍ୟାନର ଆବାହକ ହେକ୍ଟର ମିଶ୍ର। ଉଚ୍ଛେଦ ସମୟରେ ଲଙ୍ଗୁଳି ମଠ ଏବଂ ଅନ୍ୟାନ୍ୟ ମଠ ବୁଲି ଦେଖିବା ବେଳେ କାହିଁକି କିଛି ମନ୍ତବ୍ୟ ଦେଲେନି। ପ୍ରକଳ୍ପ ପ୍ଲାନ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରିଥାନ୍ତେ। ପ୍ରକଳ୍ପ ଭୂମିପୂଜା କାହିଁକି ବନ୍ଦ କଲେନି ଶଙ୍କରାଚାର୍ଯ୍ୟ ବୋଲି ପ୍ରଶ୍ନ କରିଛନ୍ତି ହେକ୍ଟର।

Leave A Reply

Your email address will not be published.