ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ : ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଲଣ୍ଠନଧାରୀ ଆସୁଛନ୍ତି ବୋଲି ଟ୍ବିଟ କଲେ ଲାଲୁଙ୍କ ଝିଅ

ପାଟଣା : ଗତ କିଛିଦିନ ଧରି ବିହାର ରାଜନୀତିରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ସହ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ଏଥିସହ ନୀତୀଶ କୁମାର  ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବା ସହ  ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ନୂଆ ସରକାର ପାଇଁ ନୀତୀଶ କୁମାର ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି  । ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି ଏଣୁ ନୂଆ ସମୀକରଣ ସହ ନୀତିଶ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।

ଏହାରି ମଧ୍ୟରେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି କହି ବିହାରରେ ପୁଣି ଥରେ ଲଣ୍ଠନଧାରୀ କ୍ଷମତାକୁ ଫେରିବେ ବୋଲି ଟ୍ବିଟ କରି କହିଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ। ସେ ଏକ ଭୋଜପୁରୀ ଗୀତର ଭିଡିଓ ଟ୍ବିଟ କରି କ୍ୟାପସନରେ ଲେଖିଛନ୍ତି ଯେ, ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଖୁବ ଶୀଘ୍ର ଲଣ୍ଠନଧାରୀ କ୍ଷମତାକୁ ଫେରିବେ। ଚଳିତ ବର୍ଷ ଆରମ୍ଭରେ ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିଥିବା ଗୀତର ଭିଡିଓ ସେୟାର କରିଛନ୍ତି ରୋହିଣୀ। ଏହି ଗୀତରେ ‌ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ନଜର ଆସୁଥିବା ବେଳେ ସେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି ଗୀତରେ ନାଚୁଥିବା ଦେଖାଯାଇଛି।

ଅନ୍ୟପଟେ ମୁଖ୍ରମନ୍ତ୍ରୀ ପଦରରୁ ଇସ୍ତଫା ପରେ ନୀତିଶ କୁମାର ସିଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚି ଯାଇଛନ୍ତି। ରାଜ୍ୟରେ ନୀତୀଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିବେ। ତେଣୁ ଏ ସମ୍ପର୍କରେ ଉଭୟ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ ନୀତୀଶ କୁମାର ଓ ଜେଜସ୍ୱୀ ଯାଦବ ଏକାଠି ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଦଳର ଆଉ କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିବା କୁହାଯାଉଛି। ତେବେ ଏହାପୂର୍ବରୁ ମଧ୍ୟ ଉଭୟ ନେତା ଗୁପ୍ତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଉଭୟେ ସରକାର ଗଠନ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସରକାର ଗଠନ ପରେ ଜେଡିୟୁ ଓ ଆରଜେଡିକୁ କ’ଣ ସବୁ ମିଳିବ, ସେନେଇ ଗୋଟିଏ ବୁଝାମଣା ହୋଇଛି। ଅନ୍ୟପକ୍ଷରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟ ନୀତୀଶ କୁମାରଙ୍କ ନୂଆ ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଜି ସନ୍ଧ୍ୟାରେ ତେଜସ୍ୱୀ ଓ ନୀତୀଶ କୁମାର ସେମାନଙ୍କ ସହ ବୈଠକ କରିପାରନ୍ତି। ଏହାପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ବିହାର ଦାୟିତ୍ୱରେ ଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଦଳର ବିଧାୟକମାନେ ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।

ସୂଚନାଯୋଗ୍ୟ ୨୦୧୩ରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ନୀତିଶ ଏନଡିଏରୁ ଓହରି ଯାଇଥିଲେ । ପରେ ସେ ୨୦୧୫ ବିଧାନସଭା ନିର୍ବାଚନ କାଳରେ ଆରଜେଡି ସହିତ ମେଣ୍ଟ କରି ବିଜେପିକୁ ଜବରଦସ୍ତ ପରାଜୟ ଦେଇଥିଲେ । କିନ୍ତୁ ମହାମେଣ୍ଟ ସରକାର ୨୦୧୭ରେ ଭାଙ୍ଗିଯାଇଥିଲା । ତେଜସ୍ୱୀଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗରେ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ଏହାପରେ ନୀତିଶ ବିଜେପି ସହିତ ହାତ ମିଳାଇ ନିଜ ସରକାର ଗଠନ କରିଥିଲେ ।

ନୀତିଶଙ୍କ ଏହି ଦଗାବାଜୀ ପାଇଁ ତେଜସ୍ୱୀ ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ସେ ଅନେକ ସମୟରେ ନୀତିଶଙ୍କୁ ‘ପଲଟୁ ଚାଚା’ ବୋଲି ସମ୍ବୋଧନ କରୁଥିଲେ । କିନ୍ତୁ ଗତ କେଇ ମାସ ମଧ୍ୟରେ ବିହାରରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ନେତା ନୀତିଶଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ନୀତିଶ ଅସନ୍ତୁଷ୍ଟ ଥିଲେ । ନିକଟରେ ନୀତିଶଙ୍କ ୨୫ ବର୍ଷର ଖାସ୍ ସାଥୀ ଆରସିପିଙ୍କ ବିରୋଧରେ ଜେଡିୟୁ ଦୁର୍ନୀତି ଅଭିଯୋଗ ଆଣି ଦଳରୁ ବିତାଡିତ କରିଥିଲା । ଜେଡିୟୁରେ ଆରସିପି ବିଜେପିର ଗୁପ୍ତଚର ଥିଲେ ବୋଲି ଦଳ ସନ୍ଦେହ କରୁଥିଲା । ଏହି ସବୁ କାରଣକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ୧୯୯୮ରେ ଏନଡିଏରେ ଯୋଗ ଦେଇଥିବା ନୀତିଶ ଏପର୍ୟ୍ୟନ୍ତ ଦୁଇଥର ଏନଡିଏ ଛାଡିଛନ୍ତି । ପ୍ରଥମ ଥର ମେଣ୍ଟ ଛାଡିବାର ୩ ବର୍ଷ ପରେ ତାଙ୍କର ଘର ୱାପସୀ ହୋଇଥିଲା । ତେବେ ଏଥର ତେଜସ୍ୱୀଙ୍କ ସହିତ ବୁଝାମଣାରେ ଏହି ରାଜନୈତିକ ଗଠବନ୍ଧନ କେତେଦିନ ତିଷ୍ଟିବ ତାହା ଆଗାମୀ ସମୟ କହିବ ।

Leave A Reply

Your email address will not be published.