ପୁଲିସକୁ ବଡ ସଫଳତା: ଏନକାଉଣ୍ଟରରେ ନିପାତ ହେଲେ ୨୬ ମାଓବାଦୀ

ଗଡ଼ଚିରୋଲି: ମହାରାଷ୍ଟ୍ର ପୁଲିସକୁ ମିଳିଛି ବଡ଼ ସଫଳତା । ଗଡ଼ଚିରୋଲିରେ ପୁଲିସ ଗୁଳିରେ ୨୬ ମାଓବାଦୀ ନିପାତ ହୋଇଛିନ୍ତି। ମହାରାଷ୍ଟ୍ର ଗଡଚିରୋଲି ପୁଲିସର ସି-୬୦ କମାଣ୍ଡୋ ଆଜି ସକାଳୁ କୋଟଗୁଲ-ଗ୍ୟାରାପଟ୍ଟୀ ଜଙ୍ଗଲରେ ମାଓଦମନ ପାଇଁ ସର୍ଚ୍ଚ ଅପରେସନ୍‌ କରୁଥିଲା। ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳିଚଳନା କରାଯାଇଥିଲା। ଯାହାର ଯବାବରେ ପୁଲିସ ପକ୍ଷରୁ ଗୁଳିଚାଳନା କରାଯିବା ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଥିଲା। ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ତିନି ଯବାନ ଆହତ ହୋଇଛନ୍ତି।

ସୂଚନା ମୁତାବକ ମୁମ୍ବାଇରୁ ୯୨୦ କିଲୋମିଟର ଦୂର ଦୂର ଜିଲ୍ଲାର ଗ୍ୟାରହବତୀ ବନାଞ୍ଚଳର ଧନୋରା ଠାରେ ଶନିବାର ଦିନ ପୋଲିସ ମାଓ ଦମନ ଅଭିଯାନ ଚଳାଇଥିଲା । ସକାଳ ୬ଟା ୩୦ ସମୟରେ ମାଓବାଦୀଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା। ମାଓବାଦୀ ଯବାନଙ୍କୁ ଦେଖିବା ମାତ୍ରେ ଗୁଳିମାଡ ଆରମ୍ଭ କରିଥିଲେ। ଏହା ପରେ ଯବାନ ପାଲଟା ଯବାବ ଦେଇଥିଲେ। ଫଳରେ ମାଓବାଦୀ ଛତ୍ରଭଙ୍ଗ ଦେଇ ଫେରାର ମାରିଥିଲେ। ହେଲେ ଗୁଳିବିନିମୟରେ ବଡ ସଂଖ୍ୟାରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତଲାସି ଅଭିଯାନ ଏବେ ମଧ୍ୟ ଜାରି ରହିଛି। ମୃତ ମାଓବାଦୀଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଏ ପର୍ୟ୍ୟନ୍ତ ୨୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି।

ଘଟଣା ସମ୍ପର୍କରେ ଗଡ଼ଚିରୋଲି ଏସପି ଅଙ୍କିତ ଗୋଏଲ କହିଛନ୍ତି, ଗୟାରପଟ୍ଟି ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । କିଛିଦିନ ପୂର୍ବରୁ ଏହି ସ୍ଥାନରୁ ୨ ଲକ୍ଷ ପୁରସ୍କାର ରାଶି ଥିବା ମାଓବାଦୀ ମଙ୍ଗାରୁ ମାଣ୍ଡବୀକୁ ଗିରଫ କରାଯାଇଥିଲା । ମଙ୍ଗରୁ ବିରୋଧରେ ହତ୍ୟା ଓ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ମାମଲା ରୁଜୁ କରାଯାଇଛି । ସେପଟେ ମଧ୍ୟପ୍ରଦେଶର ବାଲାଘାଟର ମାଲଖେଡୀ ଗାଁରେ ମାଓବାଦୀ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏମାନଙ୍କୁ ହତ୍ୟା କରିଛନ୍ତି । ଗତ ୭ ତାରିଖରେ ପୋଲି ଲାଞ୍ଜି ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଥିଲା । ଗାଁ ଲୋକ ଏନେଇ ପୋଲିସକୁ ସୂଚନା ଦେଇଥିବା ମାଓବାଦୀ ସନ୍ଦେହ କରୁଥିଲେ ।

Leave a comment