ଆହୁରି ଭୟାବହ ହେବ ଯୁଦ୍ଧ : ୟୁକ୍ରେନ୍‌କୁ ଅତ୍ୟାଧୁନିକ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ବୁଧବାର ରୁଷ-ୟୁକ୍ରେନ ଯୁଦ୍ଧକୁ ୯୮ ଦିନରେ ପହଞ୍ଚିଛି। ଆଉ ୨ ଦିନ ପରେ ଯୁଦ୍ଧକୁ ୧୦୦ ଦିନ ପୂରିବାକୁ ଥିବା ବେଳେ ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ତେବେ ଏହାରି ମଧ୍ୟ ଏକ ବଡ ଖବର । ରୁଷ ବିରୋଧୀ ଲଢେଇରେ ୟୁକ୍ରେନକୁ ଅଧିକ ବଳଦେବ ଆମେରିକା । କ୍ରେମଲିନ ସେନାର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରବତି ଜୋ ବାଇଡେନ ବଡ ନିଷ୍ପତି ନେଇ ୟୁକ୍ରେନକୁ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ପଠାଇବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ନିକଟରେ ଆମେରିକା ଘୋଷଣା କରିଥିବା ୭ଶହ ମିଲିୟନ ଡଲାରର ସାମରିକ ସହଯୋଗ ଯୋଗାଇବା ପ୍ରତିଶ୍ରୁତିର ଏହା ଅଂଶବିଶେଷ ।

ଆମେରିକା ୟୁକ୍ରେନକୁ ଦେବାକୁ ଯାଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଏମ୍‌.-୧୪୨, ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ରହିଛି । ସେହି ରକେଟ୍‌ରୁ ବିଭିନ୍ନ ପ୍ରକାର ଗାଇଡେଡ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ । କ୍ଷେପଣାସ୍ତ୍ରଗୁଡ଼ିକୁ ୭୦ କିଲୋମିଟର ଦୂର ପର୍ଯ୍ୟନ୍ତ ନିକ୍ଷେପ କରାଯାଇପାରିବ । ୟୁକ୍ରେନ୍‌କୁ ରୁଷ୍ ବିପକ୍ଷରେ ଯୁଦ୍ଧରେ ସହାୟତା କରିବା ଲକ୍ଷ୍ୟରେ ଏହି ରକେଟ୍ ପଠାଯିବ । ଇତିମଧ୍ୟରେ ୟୁକ୍ରେନ୍ ଆଞ୍ଚଳିକ ଗଭର୍ଣ୍ଣର ସିବେରୋ ଦୋନେତ୍‌ସ୍କ ସହରର ଅର୍ଦ୍ଧାଧିକ ଅଞ୍ଚଳ ରୁଷ୍ ଅଧିକାର କରିଥିବା ବିଷୟ ସୁନିଶ୍ଚିତ କରିଛନ୍ତି । ଏହାଦ୍ୱାରା ରୁଷ୍ ଡୋନ୍‌ବାସ୍ ଶିଳ୍ପାଞ୍ଚଳକୁ ଅକ୍ତିଆର କରିବା ସହଜ ହେବ । ଆଡଭାନ୍ସ ଆର୍ଟିଲେରୀ ରକେଟ ଆମେରିକା ପ୍ରତିରକ୍ଷା କ୍ଷେତ୍ରର ଅନ୍ୟତମ ଶକ୍ତିଶାଳୀ ରକେଟ। କ୍ଷଣିକରେ ହିଁ ଶତ୍ରୁ ଓ ସେମାନଙ୍କ ଶକ୍ତିଶାଳୀ ହତିଆରକୁ ଧ୍ୱଂସ କରିପାରେ। ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରେ ।

ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରାଳୟ ସହ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନର ଯୁଦ୍ଧକ୍ଷେତ୍ରରେ ଠିକଣା ଭାବେ ଶତ୍ରୁର ଲକ୍ଷ୍ୟଭେଦ କରିବା ପାଇଁ ଅଧିକ ଉନ୍ନତ ରକେଟ ସିଷ୍ଟମ ଯୋଗାଇ ଦେବା ପାଇଁ ନିଷ୍ପତି ନିଆଯାଇଛି । କିଛି ଦିନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଆମେରିକାଠୁ ଅଧିକ ସହାୟତା ମାଗିଥିଲେ । ରୁଷ ବିିରୋଧୀ ଲଢେଇ ପାଇଁ ୟୁକ୍ରେନ ମିତ୍ର ରାଷ୍ଟ୍ରମାନଙ୍କଠୁ ଦୂରଗାମୀ ମିସାଇଲ ସିଷ୍ଟମ ସହାୟତା ମାଗୁଛନ୍ତି । ଯୁଦ୍ଧର ୯୮ ଦିନରେ ୟୁକ୍ରେନର ବିଭିନ୍ନ ସହରରୁ ବିଚଳିତ କରୁଥିବା ଘଟଣା ସାମ୍ନାକୁ ଆସୁଛି । ଏହା ଭିତରେ ପୂର୍ବ ୟୁକ୍ରେନରେ ଥିବା ସେବେରୋଡନେଟିକ୍ସର ଏକ କେମିକାଲ ପ୍ଲାଣ୍ଟ ଉପରେ ରୁଷ ଆକାଶ ମାର୍ଗରୁ ଆକ୍ରମଣ କରିଛି । ପ୍ଲାଣ୍ଟରେ ରହିଥିବା ନାଇଟ୍ରିକ୍ ଏସିଡ ଟ୍ୟାଙ୍କ ଗୁଡିକ ଧ୍ୱଂସ ପାଇ ବିଷାକ୍ତ ଧୂଆଁ ବ୍ୟାପୁଥିବା କହିଛନ୍ତି ଲୁହାନସ୍କର ଗଭର୍ଣ୍ଣର ସର୍ଗେଇ ଗେଡେ । ଘଟଣାସ୍ଥଳରୁ ଲୋକଙ୍କୁ ବାହାରିବାକୁ କୁହାଯାଇଛି । ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛି ୟୁକ୍ରେନ । ଏଭଳି ଆକ୍ରମଣ ରୁଷର ଏକ ପାଗଳାମୀ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେପଟେ ୟୁକ୍ରେନକୁ ଅଧିକ ସାମାରିକ ସହାୟତା ଦେବା ପାଇଁ ଘୋଷଣା କରିଛି ଜର୍ମାନୀ ।

Leave a comment