ସକାଳୁ ସଞ୍ଜ କଟେ ସାଇକଲ ମରାମତି କରିବାରେ; ପେସାରୁ ଟିକିଏ ଅବସର ମିଳିଲେ ସାହିତ୍ୟ ସୃଷ୍ଟି କରିବାରେ ନିମଗ୍ନ ହୋଇଯାଆନ୍ତି ପାଣୁ

ଭୁବନେଶ୍ୱର: ସକାଳୁ ସଞ୍ଜ ତାଙ୍କର ସାଇକଲ ମରାମତି କରିବାରେ ଦିନ କଟେ। କିନ୍ତୁ ଏ ପେସାରୁ ଅବସର ମିଳିଲେ ସାହିତ୍ୟ ସୃଷ୍ଟି କରିବାରେ ନିମଗ୍ନ ହୁଅନ୍ତି ସେ। ସେ ନିଜକୁ କବି ବା ସାହିତ୍ୟିକ ଭାବେ ପ୍ରତିଷ୍ଠିତ କରିପାରିନାହାଁନ୍ତି ସତ, କିନ୍ତୁ ପେଟପାଟଣା ଚିନ୍ତା ଭିତରେ ବି ଲେଖିଚାଲିଛନ୍ତି ଶତାଧିକ କବିତା ଓ ଉପନ୍ୟାସ। ତାହାରି ଭିତରେ ରହିଛି ପଲ୍ଲୀ ଗୀତ ଓ ଭଜନ। ନିଜର ଇଚ୍ଛାଶକ୍ତି ଯୋଗୁଁ ଅସାଧ୍ୟକୁ ସାଧନାରେ ପରିଣତ କରିପାରିଥିବା ବ୍ୟକ୍ତି ହେଉଛନ୍ତି ବାପୁଜୀ ନଗରର ପାଣୁ ସେଠୀ(୬୧)।
ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ବ ହେଲା ଗଛମୂଳେ ତାଙ୍କର ସାଇକଲ୍ ମରାମତି ଦୋକାନ ରହିଛି। ପାଣୁଚିନ୍ତୁ ରହୁଛନ୍ତି ବାପୁଜୀ ନଗର ରଙ୍ଗଗୋଦାମ ବସ୍ତିର ନୂଆଣିଆ ଘରେ। କିନ୍ତୁ ସାଇକଲ୍ ସଜଡ଼ା ଭିତରେ ବି କଥା କଥାକେ ତାଙ୍କ ମୁହଁରୁ ବାହାରିଆସେ ସୁନ୍ଦର ଶବ୍ଦ ସଂଯୋଜନାରେ କବିତା। କବିତାର ଗୋଟିଏ ଗୋଟିଏ ଧାଡ଼ିକୁ ଭାବି କେତେବେଳେ କହିପକାନ୍ତି ତ ଆଉ କେତେବେଳେ କାଗଜ କଲମ ଧରି ଲେଖିଦିଅନ୍ତି। କାମରୁ ଅବସର ମିଳିଲେ ଖାତା କଲମ ଧରି ବସି ପଡ଼ନ୍ତି କବିତା ଓ ଭଜନ ଲେଖିବାରେ। ପାଣୁ ମଉସାଙ୍କର ଏହି କବିତା ରଚନା ଆଜି କାଲିର ନୁହେଁ, ପିଲାଟିବେଳୁ। ପିଲାଦିନୁ ସେ କବିତା, ଗୀତ, ଭଜନ ଲେଖି ଆସୁଛନ୍ତି। ତାଙ୍କ କଲମରୁ ନିସୃତ ସଙ୍ଗୀତର ପ୍ରତ୍ୟେକଟି ଶବ୍ଦ ସରଞ୍ଚନା ଅତି ଉଚ୍ଚକୋଟିର ବୋଲି ଅନେକ କୁହନ୍ତି।
ଜଣେ ସାଇକଲ୍ ଦୋକାନୀର ଦୁଃଖ, ସଂଘର୍ଷମୟ ଜୀବନ ଭିତରେ ବି କବିତାକୁ ଛାଡ଼ିପାରିନାହାଁନ୍ତି ସେ। କବିତା, ଭଜନ ଦୁନିଆରେ ସିନା ନିଜକୁ ପ୍ରତିଷ୍ଠିତ କରିପାରିନାହାନ୍ତି, କିନ୍ତୁ ନିଜ ପ୍ରତିଭାକୁ ଲୁଚାଇପାରିନାହାନ୍ତି। କବିତା ଲେଖା ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଳତା। ଏବେସୁଦ୍ଧା ସେ ୩ଶହରୁ ଊର୍ଦ୍ଧ୍ବ ପଲ୍ଲୀ କବିତା ରଚନା କରିସାରିଛନ୍ତି। ଏହାସହିତ ପାଖାପାଖି ୨୦ଟି ପାଣ୍ଡୁଲିପିକରିଛନ୍ତି। ତାଙ୍କ ଶବ୍ଦ ସଂଯୋଜନାରେ ଅନେକ ଭଜନ ବି ସୃଷ୍ଟି ହୋଇଛି। ମାତ୍ର ଅଭାବ ଅନଟନ ଯୋଗୁଁ ସେସବୁକୁ ପୁସ୍ତକ କରିପାରିନାହାନ୍ତି। ହେଲେ ସାଇତି ରଖିଛନ୍ତି ସବୁ୍ତକ କବିତା ସଂକଳନ। କେବଳ କବିତା ନୁହେଁ, ୨ଟି ଉପନ୍ୟାସ ମଧ୍ୟ ଲେଖିଛନ୍ତି ପାଣୁ।
ଗଛ ତଳେ ସାଇକଲ ସଜାଡ଼ିବା ସମୟରେ ତାଙ୍କ ସହ ଘଡ଼ିଏ କଥା ହେବା ଭିତରେ ଲୋକେ ତାଙ୍କ କବିତା ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି। ସାଇକଲ୍ ସଜାଡ଼ିଲେ ପେଟକୁ ଭାତ ଗଣ୍ଡାଏ ଯାଏ। ସେଥିରେ ବି ତାଙ୍କର କବିତା ରଚନା ତାଙ୍କୁ ଖୁସି ଯୋଗାଏ। କବିତା ରଚନାରେ ରାତି ରାତି ବିତିଯାଏ ତାଙ୍କର। ଗାଁର ଜୀବନ ଶୈଳୀ ହେଉ ଅବା ଗାଁ କଥା, ସ୍ମୃତି, ଅନୁଭୂତିକୁ ମନେ ପକାଇ ତାଙ୍କର ଆପେ ଆପେ କବିତାର ଭାବନା ସୃଷ୍ଟି ହୁଏ। କବିତା ମାଧ୍ୟମରେ ମନ ଭାଷାକୁ ସେ ପରିପ୍ରକାଶ କରନ୍ତି। କାମରୁ ବିରତି ମିଳିଲେ ଅନେକ କବିତା ପାଠ ଉତ୍ସବରେ ଯୋଗ ଦିଅନ୍ତି। ହେଲେ ମନରେ କ୍ଷୋଭ ଯେ, ତାଙ୍କ ପ୍ରତିଭା ଆଜିଯାଏଁ ଲୋକଲୋଚନକୁ ଆସିପାରିଲା ନାହିଁ। ଏସମ୍ପର୍କରେ ପାଣୁ ମଉସା କୁହନ୍ତି, ପୁଅ ବୋହୂଙ୍କୁ ନେଇ ମୋର ସଂସାର। ହେଲେ ଭୁବନେଶ୍ୱରରେ ସେ ଏକାକୀ ଜୀବନ ବିତାଉଛି। ସାଇକଲ୍ ସଜାଡ଼ି ଦିନକୁ ୩ଶହରୁ ୪ଶହ ଟଙ୍କା ରୋଜଗାର କରନ୍ତି। ଦୁଃଖ, କଷ୍ଟ, ଅସହାୟତା ଭିତରେ ବି କବିତାକୁ କେବେ ବି ଛାଡ଼ିପାରିନି। କାମରୁ ଫୁର୍ସତ୍ ମିଳିଲେ କବିତା ଲେଖିବା ଆରମ୍ଭ କରିଦିଅନ୍ତି। ଅଭାବ ଯୋଗୁଁ ଗୋଟିଏ ହେଲେ ବି କବିତା ପୁସ୍ତକ କରିବା ମୋ ପକ୍ଷେ ସମ୍ଭବ ହୋଇପାରିନାହିଁ। ମୋ ଅନ୍ତେ ଯଦି କେହି ଏସବୁକୁ ନେଇ ପୁସ୍ତକ କରନ୍ତି, ତେବେ ଆତ୍ମସନ୍ତୋଷ ମିଳିବ। କେବଳ କାଗଜ ଫର୍ଦ୍ଦ ଭିତରେ ସୀମିତ ହୋଇ ରହିଯାଇଛି କବିତା।