ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକ୍ଟୋବରରେ ଭୁବନେଶ୍ୱରକୁ ‘ସ୍ମାର୍ଟ’ ମାନ୍ୟତା

ଭୁବନେଶ୍ୱର : ବିଧିବଦ୍ଧ ଭାବେ ଭୁବନେଶ୍ୱରକୁ ‘ସ୍ମାର୍ଟସିଟି’ ମାନ୍ୟତା ମିଳିବାକୁ ଯାଉଛି। ଭୁବନେଶ୍ୱର ସମେତ ଦେଶର ୭ଟି ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟକୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ଟ୍ୟାଗ୍‍ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଦେଶରେ ଆସନ୍ତା ୨୦୨୩ ଜୁନ୍‍ ମାସରେ ସ୍ମାର୍ଟସିଟି ପ୍ରକଳ୍ପ ଶେଷ ହେବାକୁ ଥିବାବେଳେ ଚଳିତ ବର୍ଷ ଅକ୍ଟୋବର ମାସରେ କେନ୍ଦ୍ରସରକାର ଏହି ସହରଗୁଡ଼ିକୁ ‘ସ୍ମାର୍ଟ’ ଭାବେ ଘୋଷଣା କରିବେ ବୋଲି ଜଣାପଡ଼ିଛି। ୨୦୧୫ ମସିହାରେ କେନ୍ଦ୍ର ସରକାର ଦେଶର ୧୦୦ଟି ସହରକୁ ସ୍ମାର୍ଟସିଟି ଭାବେ ଚିହ୍ନଟ କରି ଏହି ସହରଗୁଡ଼ିକରେ ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ôଥକ ଅନୁଦାନ ଦେଇଥିଲେ। ଏହି ଆଧାରରେ ଭୁବନେଶ୍ୱରକୁ ବିଭିନ୍ନ କିସ୍ତିରେ ୧ ହଜାର କୋଟି ଟଙ୍କା ମିଳିଥିବା ବେଳେ ଏହି ଅର୍ଥରେ ଅନେକ ପ୍ରକଳ୍ପ ନିର୍ମାଣ କରାଯାଇଛି।

ମାନ୍ୟତା ପାଇବାକୁ ଥିବା ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ଥିବା ବେଳେ ଏଠାରେ ପ୍ରାୟ ୭୬ ପ୍ରତିଶତରୁ ଅଧିକ କାମ ଶେଷ ହୋଇଛି। ସେହିପରି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଭୋପାଳ ସବୁଠୁ ଆଗରେ ଥିବା ବେଳେ ଦ୍ୱିତୀୟରେ ସୁରତ ଓ ତୃତୀୟରେ ରାଜସ୍ଥାନର ଉଦୟପୁର ରହିଛି। ଭୁବନେଶ୍ୱର ସ୍ମାର୍ଟସିଟି ପକ୍ଷରୁ ୮୪୬ଟି ପ୍ରକଳ୍ପରୁ ୬୪୪ଟି କାର୍ଯ୍ୟକ୍ଷମ କରିବାରେ ସଫଳ ହୋଇଛି। ଭୁବନେଶ୍ୱର ସ୍ମାର୍ଟସିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ମାର୍ଟସିଟି ପାଇଁ କେନ୍ଦ୍ର ସରକାର ଟଙ୍କା ଦେଇଥିଲେ। ତେବେ କେଉଁମାନେ ଏହି ଟଙ୍କାକୁ ବିନିଯୋଗ କରି କାର୍ଯ୍ୟ କରିଛନ୍ତି ତାହାର ଅନୁଧ୍ୟାନ କରାଯାଇ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ପ୍ରକଳ୍ପରେ ପରିବେଶ ଅନୁକୂଳ, ଭିତ୍ତିଭୂମି ବିକାଶ ଓ ଜ୍ଞାନକୌଶଳକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ତେବେ ଭୁବନେଶ୍ୱର ସ୍ମାର୍ଟସିଟି ଜ୍ଞାନ କୌଶଳ ଆପଣାଇବାରେ ଅନେକ ପଦକ୍ଷେପ ନେଇଛି।

ଏହି ଯୋଜନାରେ ସମଗ୍ର ଭୁବନେଶ୍ୱରକୁ ଯୋଡ଼ାଯାଇଛି। ଜ୍ଞାନକୌଶଳ ମାଧ୍ୟମରେ ବିଡିଏ ଓ ବିଏମସିରେ ଇ-ଅଫିସ୍‍ କାର୍ଯ୍ୟକାରୀ ହୋଇଛି। ସହରରେ ୱାଇ-ଫାଇ ସେବା ସହିତ ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ସେହିପରି ସ୍ମାର୍ଟସିଟି ମିଶନରେ ଜନପଥକୁ ସ୍ମାର୍ଟ ଜନପଥରେ ରୂପାନ୍ତରିତ କରାଯାଇଥିବା ବେଳେ ନୂଆ ବିଏମ୍‍ସି ବିଲ୍ଡିଂ ଓ ଭୁବନେଶ୍ୱର ଅପରେସନ ସେଣ୍ଟର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହି ପ୍ରକଳ୍ପରେ ଦୁଇଟି ମଲ୍ଟିଲେଭଲ କାର ପାର୍କିଂ କରାଯାଇଥିବା ବେଳେ ସ୍ମାର୍ଟ ଟ୍ରାଫିକ୍‍ ବ୍ୟବସ୍ଥା ମଧ୍ୟ ପ୍ରଚଳନ କରାଯାଉଛି। ତେବେ ଏହା ପୂର୍ବରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ବେଳେ ଏବେ ବିଧିବଦ୍ଧ ଭାବେ ପ୍ରମାଣ ମିଳିବ ବୋଲି କେନ୍ଦ୍ର ମେଲ୍‍ କରି ସ୍ମାର୍ଟସିଟି ଲିମିଟେଡ୍‍କୁ ଜଣାଇଛନ୍ତି। ତେବେ ଜାରି ରହିଥିବା ଆଉ କିଛି ପ୍ରକଳ୍ପ ଆସନ୍ତା ୪ ମାସ ମଧ୍ୟରେ ଶେଷ କରିବାକୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.