ଆଜି ପୁଣି ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ ଭୁବନେଶ୍ୱର, ୪୩.୩ ଡ଼ିଗ୍ରି ସହ ପାଲଟିଗଲା ରାଜ୍ୟର ଦ୍ବିତୀୟ ତତଲା ସହର

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ। କ୍ରମାଗତ ଭାବେ ରାଜଧାନୀରେ ବଢୁଥିବା ତାତି ଅସ୍ତବ୍ୟସ୍ତ କରିପକାଉଛି। ଆଜି ଭୁବନେଶ୍ବରରେ ୪୩.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା। ୨୦୧୧ ପରଠାରୁ ଅପ୍ରେଲ୍‌ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନରେ କଲବଲ ରାଜଧାନୀବାସୀ କଲବଲ ହେଉଥିବା ବେଳେ କ୍ରମାଗତ ଭାବେ ଆଜି ତୃତୀୟ ଦିନରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।ରାଜଧାନୀର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁବା ସହିତ ସବୁ ରେକର୍ଡ ଭାଙ୍ଗି ଦେଇଛି।ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୨୦୧୧ ପରଠାରୁ ଏପ୍ରିଲ ମାସରେ ଆଜି ତୃତୀୟ ସ‌ର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ବରରେ ତାପମାତ୍ରା ୪୫.୮ ଡିଗ୍ରି ରେକର୍ଡ ହୋଇଥିଲା। ୨୦୧୯ ଏପ୍ରିଲ ୧୬ରେ ଏଠାକାର ତାପମାତ୍ରା ୪୩.୭ ଡିଗ୍ରି ଥିଲା। ଏହା ପୂର୍ବରୁ ଭୁବନେଶ୍ବରରେ ଗତକାଲି ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଶୁକ୍ରବାର ମଧ୍ୟ ଏଠାରେ ୪୦.୮ ଡିଗ୍ରି ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ବରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା।


ଅନ୍ୟପଟେ ଆଜି ରାଜ୍ୟରେ ସୋନପୁର ସବୁଠୁ ଉତପ୍ତ ସହର ପାଲଟିଛି। ୪୩.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ  ୪୩.୩ ଡ଼ିଗ୍ରୀ ସହ ଭୁବନେଶ୍ୱର ଦ୍ୱିତୀୟରେ ରହିଛି। ଏଥି ସହ ୮ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଅନ୍ୟପଟେ ଆଜି ପୁଣି ୪୧ ଡ଼ିଗ୍ରୀ ଅତିକ୍ରମ କରିଛି ଟ୍ୱିନ-ସିଟି କଟକ-ଭୁବନେଶ୍ବର ତାପମାତ୍ରା। କଟକରେ ୪୧.୧ ଡ଼ିଗ୍ରୀ ଏବଂ ଭୁବନେଶ୍ୱର ରେ ୪୩.୩ ଡ଼ିଗ୍ରୀ ରେକର୍ଡ ହୋଇଛି। 


ସେହିପରି ଆସନ୍ତା ୨୫ରୁ ୨୭ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୫ ତାରିଖରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ। ଠିକ୍‌ ସେହିପରି ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଂଜ ଏବଂ ୨୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଂଜ ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେବାର ଆଶଙ୍କା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a comment