ଆସନ୍ତା ୨୮ରୁ ୧୦ ଖଣ୍ଡଗିରି କୁମ୍ଭମେଳା, ବିଏମ୍‌ସି ପକ୍ଷରୁ ଜାରିହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେବ ଫିକା ପଡ଼ିଥିବା ଖଣ୍ଡଗିରି ମାଘମେଳା ଏଥର ଜମିବ। ପାହାଡ ଉପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ବିଶ୍ବଶାନ୍ତି ଯଜ୍ଞ ସହ ପାହାଡ ତଳେ ରାଜ୍ୟର ବିଭିନ୍ନ ଯାତ୍ରା ଅନୁଷ୍ଠାନ ପକ୍ଷରୁ ପରିବେଷଣ ହେବ ଏବର୍ଷର ନୂଆ ନୂଆ ନାଟକ। ଏଥି ସହିତ ଚଳିତ ବର୍ଷ ମଧ୍ୟ ଖଣ୍ଡଗିରି ମାଘମେଳାରେ ପ୍ରାୟ ୪ଶହଟି ଷ୍ଟଲ ପଡିବ। ଲୋକାମନେ ଗତ ଦୁଇବର୍ଷ ଧରି ମେଳାକୁ ଉପଭୋଗ କରିପାରିନଥିବା ବେଳେ ଚଳିତ ବର୍ଷ ମନଭରି ଉପଭୋଗ କରିବା ସହ ମନପସନ୍ଦର ସାମଗ୍ରୀମାନ କିଣାକିଣି କରିପାରିବେ।

ଚଳିତ ମାସ ୨୮ ତାରିଖ ଠାରୁ ଭୁବନେଶ୍ବର ଖଣ୍ଡଗିରି ଓ ଉଦୟଗିରି ପାଦଦେଶରେ ପ୍ରସିଦ୍ଧ ଖଣ୍ଡଗିରି ମେଳାର ଆୟୋଜନ ହେବ। ଏଥି ପାଇଁ ଭୁ‌ବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଏସ୍‌ଓପି ଜାରି କରିଛି। ଖଣ୍ଡଗିରି ମେଳା ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ତରଫରୁ ଏହି ଏସଓପି ଜାରି କରାଯାଇଛି। ତେବେ କୋଭିଡକୁ ଆଖି ଆଗରେ ରଖି ସମସ୍ତେ ଏହି ଏସଓପି ପାଳନ କରିବାକୁ ବିଏମସି ତରଫରୁ କୁହାଯାଇଛି ।

ଯାତ୍ରା ନାଟକ ଦଳର ସମସ୍ତେ କୋଭିଡ୍ ନିମୟ ମାନି ଯାତ୍ରା ପରିବେଷଣ କରିବେ। ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ ବିଏମସି ଏସଓପରେ ଉଲ୍ଲେଖ କରିଛି । ଏହାସହ ନାଟକ ପେଣ୍ଟାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଆଖି ଆଗରେ ରଖି କରାଯିବ। ଅପେରାରେ ସାନିଟାଇଜର, ଦୁଇ ସିଟ ମଧ୍ୟରେ ବ୍ୟବଧାନ ଓ ମାସ୍କ ବ୍ୟବସ୍ଥା ରହିବ। ଅଗ୍ନିକାଣ୍ଡ ଓ ଦଳାଚକଟା ଭଳି ଅଘଟଣକୁ ରୋକିବାକୁ ସ୍ୱତନ୍ତ୍ର ନଜର ରଖାଯିବ। ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା ସହ ସ୍ଵଛତା ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି।

ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟବସ୍ଥା କମିଶନରେଟ ପୁଲିସ ପକ୍ଷରୁ କରାଯିବ। ମେଳାର ସୁପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଗହଣରେ ଓ ଅପେରାକୁ ଅନୁମତି ମିଳିଥିବାରୁ ଆୟୋଜକ କମିଟି ଚଳିତ ଥର ବହୁ ଭିଡ଼ ହେବା ଅନୁମାନ କରିଛି। ସେପଟେ ମେଳା ଆୟୋଜନ ପାଇଁ ବିଏମସି ପକ୍ଷରୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାରୁ କମିଟି ପକ୍ଷରୁ ମେୟର ଓ କମିଶନରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସେହିପରି ଆୟୋଜକ କମିଟି ନାଟକର ଶବ୍ଦ ଉପରେ ମଧ୍ୟ ନଜର ରଖିବ । ପ୍ରଚାର ବେଳେ କୌଣସି ବି ଯାତ୍ରାର ସଦସ୍ୟ ଉଚ୍ଚ ଶବ୍ଦରେ ପ୍ରଚାର କରିବେ ନାହିଁ । ଯାତ୍ରାରେ ଆୟୋଜକ କମିଟି ପକ୍ଷରୁ ପର୍ଯ୍ୟାପ୍ତ ସିସିଟିଭି ଲଗାଇବାକୁ କୁହାଯାଇଛି । ସେହିପରି ଲାଇନ୍ କଟିଲେ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଗତବର୍ଷ କୋଭିଡ୍ କଟକଣା ଭିତରେ ଖଣ୍ଡଗିରି ମେଳା ଅନୁଷ୍ଠିତ ହୋଇଥିଲା । ଏଥର କୋଭିଡ୍ ସଂକ୍ରମଣ ଯଥେଷ୍ଟ କମିଥିବାରୁ, ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ଭୁବନେଶ୍ୱର ମହାନଗର ନିଗମ ନିର୍ଦ୍ଦେଶ ଦେଇଛି ।

ପାର୍କିଂ ପାଇଁ ୩ ଟି ସ୍ଥାନ ଚିହ୍ନଟ

ଖଣ୍ଡଗିରି ମାଘମେଳାରେ ବହୁ ଲୋକସମାଗମ ହେଉଥିବା ବେଳେ ଏହି ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ମେଳାକୁ ଆସୁଥିବା ଲୋକଙ୍କ ଗାଡି ପାର୍କିଂ ପାଇଁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି।ମେଲଣ ପଡିଆ, ଓସଆରଟିସି ପଡିଆ ଏବଂ ଏସଆଇ ପାର୍କିଂ ରେ ଗାଡି ରହିବ। ଗାଡି ଷ୍ଟାଣ୍ଡର ଫି ନିର୍ଦ୍ଧାରଣ କରି ବୋର୍ଡ ଲଗାଯିବ। ସେହି ଅନୁସାରେ ପାର୍କିଂ ଫି ଦେଇ ମେଳାକୁ ଆସୁଥିବା ଲୋକ ଗାଡି ରଖିବେ। ତେବେ ବହୁ ସମୟରେ ଦେଖାଯାଏ ମେଳାକୁ ଆସୁଥିବା ଲୋକ ରାସ୍ତା କଡରେ ଗାଡି ପାର୍କିଂ କରି ମେଳାକୁ ଆସନ୍ତି। ତେବେ ପୁଲିସ ଏଥର ରାସ୍ତା କଡରେ ପାର୍କିଂ କଲେ ମୋଟା ଅଙ୍କର ଫାଇନ କାଟିବ ବୋଲି କହିଦେଇଛି।

Leave a comment