ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୩ବର୍ଷରେ ପାଦ ଥାପିଛି ମନ୍ଦିରମାଳିନୀ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠାକୁ ୭୨ ବର୍ଷ ପୂରିଛି। ତେସ୍ତରି ଚାଲିବା ଆଗରୁ ରାଜଧାନୀକୁ ନେଇ ଅନେକଙ୍କ ମଧ୍ୟରେ ରହିଛି ଅସୁମାରି ସ୍ୱପ୍ନ ଓ ସମ୍ଭାବନା। ସହରର ରାସ୍ତାଘାଟଠାରୁ ପରିମଳ, ଯୋଗାଯୋଗଠାରୁ ପର୍ଯ୍ୟଟନ-ସଂସ୍କୃତି, ମେଟ୍ରୋ ସୁବିଧାଠାରୁ କ୍ରୀଡ଼ା ଭିତ୍ତିଭୂମି ଓ ଶିକ୍ଷା, ସୁରକ୍ଷାଠାରୁ ଟ୍ରାଫିକ୍‍ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି। ଏସବୁ କେତେ କାର୍ଯ୍ୟକାରୀ ହେବ ଏବଂ ତା’ର ପ୍ରକୃତ ସୁଫଳ ଲୋକେ କେତେଦୂର ପାଇପାରିବେ ତାହା ପରକଥା, କିନ୍ତୁ ଏହା ଯେ, ସହର ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଛି ତାହା ଅସ୍ୱୀକାର କରିହେବ ନାହିଁ।

ମିଳିବ ବିଶ୍ୱବିସ୍ତାରୀ ବିମାନସେବା

ଦେଶର ଅନ୍ୟ ପ୍ରାନ୍ତ ସମେତ ଏହି ତାଲିକାରେ ଅନ୍ତର୍ଜାତୀୟ ପର୍ଯ୍ୟଟକ ବି ରହୁଛନ୍ତି। ଯାହାଦ୍ୱାର ଓଡ଼ିଶାରୁ ବାର୍ଷିକ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଯାତ୍ରୀ ବିମାନରେ ଯିବା ଆସିବା କରୁଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରୁ ଜଣାପଡ଼ିଛି। ଏହି ଦୃଷ୍ଟିରୁ ଭୁବନେଶ୍ୱରରେ ଆଉ ଏକ ବିମାନବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ୍‍ ସିଗନାଲ୍‍ ମିଳିସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ଉପକଣ୍ଠରେ ଏକ ସ୍ଥାନ ଚିହ୍ନଟ କରାଯାଇଥିଲା।

ଚିହ୍ନଟ ହୋଇଥିବା ଜାଗା ଡିଜିସିଏର ମାନଦଣ୍ଡ ପୂରଣ କରୁ ନ ଥିବାରୁ ପ୍ରସ୍ଥାବିତ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ହୋଇ ପାରି ନ ଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ସ୍ଥାନରେ ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଖୁବ୍‍ଶୀଘ୍ର ନୂଆ ବିମାନବନ୍ଦର ନର୍ମାଣ କାର୍ଯ୍ୟ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଉ ଏକ ଟର୍ମିନାଲ୍‍ ନିର୍ମାଣ ହେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ମଧ୍ୟ ଖୁବ୍‍ଶୀଘ୍ର କାର୍ଯ୍ୟଆରମ୍ଭ ହେବ ବୋଲି ଜଣାପଡ଼ିଛି। ସେହିପରି ଏପିସି ଟାୱାର୍‍ ନିର୍ମାଣଧୀନ ଅବସ୍ଥାରେ ଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଜଣାପଡ଼ିଛି। ଏହା ସହିତ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ କମର୍ଗ୍ଧିଆଲ୍‍ କମ୍ପେ୍ଲକ୍ସ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି। ଦୁଇଟି ନୂଆ ସ୍କାଏ ୱାକ୍‍ ମଧ୍ୟ ଲାଗିବାର ଯୋଜନା କରାଯାଇଛ। ଯାହାଦ୍ୱାରା ଆଗାମୀ ଦିନରେ ଭୁବନେଶ୍ୱର ସମେତ ସାରା ରାଜ୍ୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସମୃଦ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଡ୍ରୋନ୍‍ ଜଗିବ ମେଟ୍ରୋ ସହର

କମିସନରେଟ ପୁଲିସ ପ୍ରତିଷ୍ଠା ହେବା ଦିନଠୁ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ଅନେକ ଯୋଜନା କରିଛି। କିଛି ଯୋଜନା ସଫଳ ହୋଇଥିବା ବେଳେ ଅନେକ ଯୋଜନା ଅଧାରୁ ବନ୍ଦ ହୋଇଯାଇଛି। ବିଗତ ଦିନରେ ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ ପିଙ୍କ୍‍ ଅଟୋ, ପ୍ରିପେଡ୍‍ ଅଟୋ, ମୋ ସାଥୀ ଆପ୍‍, ମହିଳ ଏସ୍‍ପିଓ, ଅପରେସନ୍‍ ସ୍ମୋକ୍‍, ବସ୍ତିକୁ ଚାଲ ଅଭିଯାନ, ଡ୍ରୋନ୍‍ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବା ଭଳି ଅନେକ ଯୋଜନା କରିଛି। କିନ୍ତୁ ଏହି ଯୋଜନା ସବୁ ଏବେ ବନ୍ଦ ହୋଇ ଗଲାଣି। ପୁଲିସ ବର୍ତ୍ତମାନ କେବଳ ବସ୍ତିକୁ ଚାଲ ଅଭିଯାନ ମନେ ପଡ଼ିଲେ କରୁଥିବା ବେଳେ ବାକି ସମସ୍ତ ବ୍ୟବସ୍ଥା ବନ୍ଦ ହୋଇଛି। ସେହିପରି ବରିଷ୍ଠ ନାଗରିକ ସୁରକ୍ଷା ସେଲ ମଧ୍ୟ ବିଫଳ ହୋଇଛି। କିନ୍ତୁ ଏବେ ପୁଲିସ ନୂତନ ଯୋଜନା କରିବାର ଲକ୍ଷ୍ୟ ରଖିଛି। ପୂରା ରାଜଧାନୀ ଏବେ ଡ୍ରୋନ୍‍ ନଜରରେ ରହିବ।

ଏହି ଡ୍ରୋନ୍‍ କଣ୍ଟ୍ରୋଲ ରୁମ୍‍ ସହ ଯୋଡ଼ି ହେବ। କୌଉଁଠି ଯଦି କିଛି ଅଘଟଣ ଘଟେ ତେବେ ତୁରନ୍ତ ଡ୍ରୋନ୍‍ କଣ୍ଟ୍ରୋଲ ରୁମ୍‍କୁ ଖବର ଦେବେ। ଏହାଦ୍ୱାରା ଘଟଣାସ୍ଥଳରେ ତୁରନ୍ତ ପୁଲିସ ପହଞ୍ଚି ପାରିବ। ସେହିପରି ହଁସପାଳରେ ଅନ୍ୟ ଏକ ଥାନା ହେବାର ଆଗାମୀ ଯୋଜନା ରହିଛି। କାରଣ ମଞ୍ଚେଶ୍ୱର, ସହିଦନଗର, ବାଲିଅନ୍ତା ଏବଂ ବାଲିପାଟଣାର କିଛି ଅଂଶ ଏହି ଥାନାରେ ଯିବ। ଏନେଇ କମିସନରେଟ ପୁଲିସ ପକ୍ଷରୁ ଗୃହ ବିଭାଗର ରିପୋର୍ଟ ଦିଆଯାଇଛି। ସେହିଭଳି ରାଜଧାନୀରେ ପଡ଼ି ରହିଥିବା ମାମଲା ସଂଖ୍ୟା ବଢ଼ିୁଥିବାରୁ ଆଇନଶୃଙ୍ଖଳା ଏବଂ ତଦନ୍ତକୁ ଅଲଗା କରିବା ପାଇଁ ଯୋଜନା କରାଯାଉଛି। ସେହିଭଳି ବ୍ରାଉନସୁଗର ବେପାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ, ସହରରେ ସିସିଟିଭି ଫୁଟେଜ ବଢ଼ିାଇବା, ପିସିଆର ବଢ଼ିାଇବା, ନୂତନ ସାଇବର ଥାନା ପ୍ରତିଷ୍ଠା ଭଳି ଅନେକ ଯୋଜନା ରହିଛି। ଏହି ସବୁ ଯୋଜନା କାର୍ଯ୍ୟକାରୀ ହେଲେ ରାଜଧାନୀର ଅପରାଧ ନିୟନ୍ତ୍ରଣ ହେବ ବୋଲି ପୁଲିସ ଆଶା ରଖିଛି। କିନ୍ତୁ ପୁଲିସର ସ୍ୱଳ୍ପସଂଖ୍ୟକ କର୍ମଚାରୀ ଓ ବୈଷୟିକ ଜ୍ଞାନକୌଶଳର ଅଭାବ କେତେଦୂର ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।

ନିଜ ଭିତରେ ସାରାଓଡ଼ିଶା

ସାରା ଓଡ଼ିଶାକୁ ନିଜ ଭିତରେ ସାଉଁଟିବ ରାଜଧାନୀ ଭୁବନେଶ୍ୱର। ଗଣ୍ଡମୁଣ୍ଡାଠାରେ ଅର୍ବାନ୍‍ ମ୍ୟୁଜିୟମ୍‍ ଏହି ପରିଚିତିରେ ଶେଷ ସ୍ପର୍ଶ ଟାଣିବ। ଇତିହାସ, ସ୍ଥାପତ୍ୟ, ଆଦିବାସୀ ସଂସ୍କୃତି, ହସ୍ତତନ୍ତ, ହସ୍ତଶିଳ୍ପ ସବୁକୁ ନିଜ ଭିତରେ ସାଇତି ରଖିଥିବା ରାଜଧାନୀ ଆଉ କିଛିଦିନ ଭିତରେ ଭୁବନେଶ୍ୱରର ଇତିହାସକୁ ବଖାଣିବ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସ୍ଥାନ ଚୟନଠାରୁ ନକ୍ସା ପ୍ରସ୍ତୁତି ଯାଏଁ ସବୁ ଶେଷ। ଆଢ଼େଇ ବର୍ଷ ଭିତରେ ପୂରା ହାଇଟେକ୍‍ ଢାଞ୍ଚାରେ କଳିଙ୍ଗର ମୌଳିକତାକୁ ନିଜ ଭିତରେ ବଞ୍ଚାଇ ରଖି ମୁଣ୍ଡ ଟେକିବ ଅର୍ବାନ୍‍ ମ୍ୟୁଜିୟମ୍‍।

ନୂଆ ରୂପରେ ଏକାମ୍ରକ୍ଷେତ୍ର

ମନ୍ଦିରମାଳିନୀ ରାଜଧାନୀ ପାଇବ ୟୁନେସ୍କୋ ଟ୍ୟାଗ୍‍। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୬୬ ଏକର ପରିମିତ ଅଞ୍ଚଳରେ ସୌନ୍ଦର୍ଯ୍ୟକାରଣ କାମ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ଖୁବ୍‍ଶୀଘ୍ର ସ୍ମାର୍ଟସିଟି ଭୁବନେଶ୍ୱରକୁ ନୂଆ ପରିଚିତି ଦେବ। ଯେଉଁଥିରେ ୯ଟି ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି।

ଲିଙ୍ଗରାଜ ମନ୍ଦିର ପାଇଁ ବିକଳ୍ପ ରାସ୍ତା ନିର୍ମାଣ କରିବା ସହ ଲିଙ୍ଗରାଜ ଏଣ୍ଟିପ୍ଲାଜା, ବିନ୍ଦୁସାଗର ପୁନରୁଦ୍ଧାର, ପାର୍କିଂ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ବିକାଶ, ଇ-ଅଟୋ ପ୍ରଚଳନ, ସ୍ଥାନୀୟ ବ୍ୟବସାୟୀଙ୍କୁ ଥଇଥାନ ଓ ଐତିହ୍ୟର ବ୍ୟାଖ୍ୟାନ କେନ୍ଦ୍ର ଆଦି ଯୋଜନା ରହିଛି।

‘କଳାମଣ୍ଡଳ’ ହେବ ସାଂସ୍କୃତିକ ହବ୍‍
ରାଜଧାନୀରେ ସଭାସମିତି ଓ ଉତ୍ସବ ଆଦି ପାଇଁ ପ୍ରେକ୍ଷାଳୟ ବଡ଼ ସମସ୍ୟାକୁ ସମାଧାନ କରିବା ପାଇଁ କଳାମଣ୍ଡଳ ପ୍ରତିଷ୍ଠା କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ୨୦୨୧ ନଭେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ କଳାମଣ୍ଡଳ କାମ ଶେଷ ହେବ। ସଙ୍ଗୀତ, ନୃତ୍ୟ, ସଭା ସମିତି, ଉତ୍ସବ ଓ ମହୋତ୍ସବର ହବ୍‍ ହେବ କଳାମଣ୍ଡଳ। ଏଥିରେ ମେଗା ଅଡିଟୋରିୟମ ସାଙ୍ଗକୁ ମୁକ୍ତାକାଶ ରଙ୍ଗମଞ୍ଚ, ପାର୍କିଂ ସ୍ଥାନ, କଳାକାର ଗ୍ରାମ, ଅତିଥିଭବନ ସହିତ ମ୍ୟୁଜିୟମ ହେବା ନେଇ ଯୋଜନା କରାଯାଇଛି। ଏଥିପାଇଁ ବ୍ୟବବରାଦ ପ୍ରାୟ ୬୦ କୋଟିରୁ ଊର୍ଦ୍ଧ୍ବ ଥିଲା। ଏହି ପ୍ରେକ୍ଷାଳୟରେ ଏକାସାଙ୍ଗରେ ପ୍ରାୟ ୨ହଜାର ଲୋକ ବସିବା ସହ ସମ୍ପୂର୍ଣ୍ଣ ଆଧୁୁନିକ ଶୈଳୀ ସହିତ ପ୍ରାୟ ୬ଶହରୁ ଅଧିକ ଗାଡି ପାର୍କିଂର ବ୍ୟବସ୍ଥା। ଏହାସହିତ କଳାମଣ୍ଡଳ ମଧ୍ୟରେ ଐତିହ୍ୟ ପାର୍କ, କାଫେଟେରିଆ, ଲଳିତକଳା ମଣ୍ଡଳ, ସଙ୍ଗୀତ କଳା ମଣ୍ଡଳ ଆଦିର ଯୋଜନା ରହିଥିବାବେଳେ ଏହାର କାମ ମଧ୍ୟ ଚାଲିଛି। ଏକ ବଡ ଆଧୁନିକ ପ୍ରେକ୍ଷାଳୟ ୱାର୍ଡ ନମ୍ବର ୧୨ ସୈନିକ ସ୍କୁଲ- ଗଜପତି ନଗର ନିକଟରେ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ୨୦୦୩ ମସିହାରେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ୨୦୧୫ରେ ଇଡ଼୍‍କୋ ସଂସ୍କୃତି ବିଭାଗକୁ ପରିଯୋଜନା ପାଇଁ ସଂଶୋଧିତ ଯୋଜନା ପ୍ରସ୍ତୁତ କରି ଦେଇଥିଲେ। ପରେ ବିଭାଗ ଏହି ବିଶାଳ ପ୍ରୋଜେକ୍ଟ ପାଇଁ ୨୦୧୬ରେ ୫୯.୮୫ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଥିଲା। ୨୦୧୮ମସିହା ଫେବୃଆରୀରେ କାମ ଆରମ୍ଭ ହେବାପରେ ୨୦୨୧ ନଭେମ୍ବର ଶେଷ ସୁଦ୍ଧା କାର୍ଯ୍ୟ ଶେଷହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ସ୍ପୋର୍ଟସ୍‍ ଏନକ୍ଲେଭ, କ୍ରୀଡ଼ା ବିଶ୍ୱବିଦ୍ୟାଳୟ
ବିଶ୍ୱର କିଛି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଏବେ ସମଗ୍ର ଦେଶ ସହ ବିଶ୍ୱରେ ପ୍ରଶଂସା ସାଉଁଟିଛି। ସେହିପରି କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ସରକାରଙ୍କ କ୍ରୀଡ଼ା କ୍ଷେତ୍ରରେ ପ୍ରତିବଦ୍ଧତା ଦର୍ଶାଉଛି। ତେବେ ଭବିଷ୍ୟତରେ ଭୁବନେଶ୍ୱରରେ ସ୍ପୋର୍ଟସ ଏନକ୍ଲେଭ, କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ରାଜଧାନୀବାସୀ ଆଶାପୋଷଣ କରିଛନ୍ତି।

ନିକଟରେ ଗୁଜରାଟରେ ନିର୍ମିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟସ୍‍ ଏନକ୍ଲେଭ ପରି ଏଠାରେ ମଧ୍ୟ ଏକ ଏନକ୍ଲେଭ ପ୍ରତିଷ୍ଠା ହୋଇପାରିଲେ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ମାନ ଆହୁରି ବୃଦ୍ଧି ହୁଅନ୍ତା ବୋଲି ମତପ୍ରକାଶ ପାଇଛି। ସେହିପରି ତୃଣମୂଳସ୍ତରରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଧ୍ୟାନ ଦେବାକୁ ରାଜଧାନୀବାସୀ ମତପୋଷଣ କରନ୍ତି।

ବଢ଼ିବ ମେଟ୍ରୋ ପରିସୀମା!
ଗମନାଗମନ କ୍ଷେତ୍ରରେ ରାଜଧାନୀରେ ନିକଟ ଅତୀତରେ ଅନେକ ପରିବର୍ତ୍ତନ ଆସିଛି। ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଶହଶହ ବସ୍‍ ରାଜଧାନୀକୁ ଗଡ଼ୁଥିବା ବେଳେ ରାଜଧାନୀ ମଧ୍ୟରେ ମୋ ବସ୍‍ ସେବା ବେଶ୍‍ ଲୋକପ୍ରିୟ ହୋଇପାରିଛି। ତେବେ ଅନ୍ୟ ମେଟ୍ରୋ ସହର ପରି ରାଜଧାନୀରେ ମେଟ୍ରୋ ରେଳ ସେବା ଏବେବି ଲୋକଙ୍କ ପାଇଁ ସ୍ୱପ୍ନ ସଦୃଶ୍ୟ। ତେବେ ଭୁବନେଶ୍ୱର-କଟକ ମଧ୍ୟରେ ୨୦୪୧ ମସିହା ଯାଏଁ ମେଟ୍ରୋ ରେଳ ଚଳାଇବା ପାଇଁ ଫିଜିବିଲିଟି ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିକଟରେ ବିଧାନସଭାରେ ଉତ୍ତର ରଖିଥିଲେ ମଧ୍ୟ ଏହାର ବିକଳ୍ପ ସନ୍ଧାନରେ ରାଜ୍ୟ ସରକାର ଥିବା କହିଥିଲେ। ଆଗାମୀ ଦିନରେ ମେଟ୍ରୋ ପରିସୀମାକୁ ଖୋର୍ଦ୍ଧାରୁ ଚଣ୍ଡିଖୋଲ ଏବଂ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ବଢ଼ି଼ାଇବାକୁ ଯୋଜନା କରାଯିବ ଏବଂ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯିବ ବୋଲି ମନ୍ତ୍ରୀ କହିଥିଲେ। ଯାହା ରାଜଧାନୀବାସୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିପାରିଛି।

ସବୁଜ ସୁନ୍ଦର ସ୍ମାର୍ଟସିିଟି
ଆସନ୍ତା ଦିନରେ ରାଜଧାନୀ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ସବୁଜ କରିଡର। ବଦଳୁଥିବା ପାଣିପାଗକୁ ଆଖି ଆଗରେ ରଖି ଜଙ୍ଗଲ ବିଭାଗ ଏଥିପାଇଁ ଯୋଜନା କରୁଛି। ଏଥିପାଇଁ ପାତ୍ରପଡ଼ା ନିକଟରେ ୨୫୬ ଏକରର ଗ୍ରୀନ୍‍ କରିଡର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାକି ଆସନ୍ତା କିଛିବର୍ଷ ଭିତରେ କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରିବ। ଏହାବାଦ୍‍ କଟକ, ମଞ୍ଚେଶ୍ୱର, ଖଣ୍ଡଗିରି, ଚନ୍ଦକା, ଧଉଳି ପୁରୀ ବାଇପାସ୍‍ ରାସ୍ତାରେ ବନୀକରଣ ଆରମ୍ଭ ହୋଇଛି।

୧୫୦ ଏକରର ଔଷଧୀୟ ଉଦ୍ୟାନ ସହ ୨୧ ଏକରର ସ୍ମୃତିବନ ଓ ପ୍ରସ୍ତାବିତ ୮୫ ଏକରର ନଗର ବନକୁ ନେଇ ଏକ ଜଙ୍ଗଲ କରିଡର ପ୍ରସ୍ତୁତ କରାଯାଉଛି। ତା’ଛଡ଼ା ସହର ଭିତରେ ସବୁଜ ପରିବେଶ ତିଆରି କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସହ ମିଶି ୨୧ ପ୍ରକାର ଗଛକୁ ଚୟନ କରାଯାଇ ବନୀକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ବାର୍ତ୍ତା ବଖାଣିବ ବରମୁଣ୍ଡା
ଦୀର୍ଘଦିନର ପ୍ରତୀକ୍ଷା ପରେ ନିକଟରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡର କାମ ଆରମ୍ଭ ହୋଇଛି। ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲ୍‍ କାମ ୨୦୨୨ ମସିହା ସୁଦ୍ଧା ସରିବା ପାଇଁ ଯୋଜନା ରହିଥିବାବେଳେ କାମ ଜୋରଦାର ହୋଇଛି। ନୂଆ ବସ୍‍ ଟର୍ମିନାଲ୍‍ ନିର୍ମାଣ ସରିବା ପରେ ଭୁବନେଶ୍ୱର ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାର ସମ୍ଭାବନା ରହିଛି। ୨୦୨୦ ଶେଷ ଆଡ଼କୁ ବରମୁଣ୍ଡା ବସ୍‍ ଟର୍ମିନାଲ୍‍ କାମ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘଟଣାସ୍ଥଳ ବୁଲି କାମର ସମୀକ୍ଷା କରିଛନ୍ତି। ପ୍ରାୟ ୧୦ ବର୍ଷ ଧରି କାମକୁ ଆଶ ଆଶଙ୍କା ଲାଗି ରହିଥିଲା। ଏନେଇ ଦୁଇ ଦୁଇ ଥର ଟେଣ୍ଡର ବି କରିବାକୁ ପଡ଼ିଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡ୍‍ ଲାଇନ୍‍ ଯୋଗୁ ବରମୁଣ୍ଡା ବସ୍‍ ଟର୍ମିଲାନ ଉଚ୍ଚତା କମିବା ପରେ କାମ ଆରମ୍ଭ କରିବାକୁ ଗ୍ରୀନ ସିଗନାଲ୍‍ ମିଳିଥିଲା।

ବସ୍‍ଟର୍ମିନାଲ୍‍ ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସାଙ୍ଗକୁ ଫୁଡ୍‍କୋଟ୍‍ର ବ୍ୟବସ୍ଥାମାନ ଏଠାରେ ରହିବ। ନୂଆ ବସ୍‍ ଟର୍ମିନାଲ୍‍ର ବେସ୍‍ମେଣ୍ଟରେ କେବଳ କାର୍‍ ପାର୍କିଂ କରାଯିବ ବୋଲି ବ୍ୟବସ୍ଥା ରହିଛି। ପ୍ରଥମ ମହଲାରେ ବାଇକ୍‍ ଓ କାର ପାର୍କିଂ ସହିତ ଟିକଟ୍‍ କାଉଣ୍ଟର ମଧ୍ୟ ଏଠାରେ ରହିବ। ଏହାର ଉପରମହଲାରେ ବସ୍‍ ଚଳାଚଳ ପାଇଁ କଣ୍ଟ୍ରୋଲ୍‍ରୁମ୍‍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରହିବ। ବିଡିଏ ଏହି ପ୍ରକଳ୍ପର ଦାୟିତ୍ୱ ନେଇଥିବା ବେଳେ ବ୍ରିଜ୍‍ ଆଣ୍ଡ ରୁଫ୍‍ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଛି। ମୋଟ୍‍ ୧୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ବସ୍‍ ଟର୍ମିନାଲ ନିର୍ମାଣ ପାଇଁ ୧୮ ମାସ ସମୟ ଦଆଯାଇଛି। ସମ୍ପୃକ୍ତ ସଂସ୍ଥାକୁ ୫ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଦିଆଯାଇଛି।
ଏହି ବସ୍‍ ଟର୍ମିନାଲରେ ୩୫ଟି ବସ୍‍ ବେ’ ରହିବା ସହ ୨୦୦ଟି ବସ୍‍ ରହଣି ପାଇଁ ପାର୍କିଂ ସ୍ପେସ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ଏତଦ୍‍ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରି ଚକଆ ଓ ୧୭୫ଟି ଦୁଇ ଚକିଆ ଯାନର ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ସେହିପରି ଏହି ବସ୍‍ ଟର୍ମିନାଲ୍‍ରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ଛାପ ରହିବାର ଯୋଜନା କରାଯାଇଛି।

ନାଇଟ୍‍ ବଜାର ପରିଯୋଜନା
ରାତି ୧୨ଟା ଯାଏଁ ଚାଲିବ କିଣାବିକା। ତା’ସାଙ୍ଗକୁ ମନୋରଞ୍ଜନର ଆସର ବି ଜମିବ। ଲୋକକଳା ଓ ଲୋକସଂସ୍କୃତିରେ ଉତ୍ସବ ମୁଖର ହେବ ରାଜଧାନୀ। ମନ ପସନ୍ଦର ଭଳିକି ଭଳି ଚଟ୍‍ପଟି ଓ ସୁସ୍ୱାଦୁ ବ୍ୟଞ୍ଜନର ସୁବିଧା ପାଇପାରିବେ ପର୍ଯ୍ୟଟକ। ନାଇଟ୍‍ ବଜାରର ସୁବିଧା ସାଙ୍ଗକୁ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ମହାମିଳନ ହେବ ରାଜଧାନୀର ଏକାମ୍ର ହାଟରେ। ଏଥିପାଇଁ ଏକାମ୍ର ହାଟର ନବୀକରଣ କରାଯାଉଛି। ରାଜଧାନୀ ଭୁବନେଶ୍ୱରରେ ନାଇଟ୍‍ ବଜାର କରାଯାଇ ସର୍ବସାଧାରଣଙ୍କ ପାଇଁ ହାଟ ଖୋଲା ରହିବ। ଶନିବାର ଏବଂ ରବିବାରରେ ଏହି ନାଇଟ୍‍ ବଜାର ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହି ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାର ବ୍ୟବସ୍ଥା କରାଯାଉଛି।

ଏହି ନାଇଟ୍‍ ବଜାରରେ ବିଶେଷକରି ଲୋକକଳାକୁ ଗୁରୁତ୍ୱ ଦିଆଯିବାର ଯୋଜନା ରହିଛି। ଏହାସହିତ ଏହି ବଜାରରେ ସମସ୍ତ ହସ୍ତଶିଳ୍ପ, ହସ୍ତତନ୍ତ, ଖାଦ୍ୟ, କଳାପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ ଖୋଲା ରହିବ ଏବଂ ପର୍ଯ୍ୟଟକମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିବେ। ଏକାମ୍ର ହାଟର ନବୀକରଣ କାମ ଶେଷ ହେବାପରେ ଏହା ଆରମ୍ଭ ହେବ।

Leave A Reply

Your email address will not be published.