ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଦାସୀନ ଜାତୀୟ ରାଜପଥ କର୍ତ୍ତୃପକ୍ଷ : ଖାଲଖମାରେ ପରିପୂର୍ଣ୍ଣ ଏନ୍‍ଏଚ୍‍-16

ଭୁବନେଶ୍ୱର : ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‍ଏଚ୍‍ଆଇ) ଙ୍କ ଅବହେଳାରୁ ରାଜ୍ୟର ସବୁଠାରୁ ବ୍ୟସ୍ତତମ ଭୁବନେଶ୍ୱର-କଟକ ନମ୍ବର ଜାତୀୟ ରାଜପଥ-୧୬ ଏବେ ଖାଲଖମାରେ ପରିପୂର୍ଣ୍ଣ । ପାର୍ବଣ ସମୟରେ ବି ଏହାର ମରାମତି ନହେବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଏହି ଜାତୀୟ ରାଜପଥର ଖଣ୍ଡଗିରି ଠାରୁ ଓଏମ୍‍ମି ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଅଧିକାଂଶ ସ୍ଥାନରେ ଏବେ ପରସ୍ତ ପରସ୍ତ ପିଚୁ ଉଠିଗଲାଣି । ରାସ୍ତା ମଝିରେ ବହୁ ସ୍ଥାନରେ ବଡ ବଡ ଗାତ । ରାଜପଥରେ ଥିବା ପୋଲ ଉପରୁ ଲୁହାଛଡ ବି ବାହାରି ଆସିଲାଣି । ଛୋଟ ଗାଡି ତ ଦୂରରକଥା ବଡ ବଡ ଗାଡି ମଧ୍ୟ ଏଭଳି ଖାଲଖମା ଲୁହାରଡକୁ ଦେଖି ଡରି ମରି ଗାଡି ଚଳାଉଛନ୍ତି ।

ଏହି ଜାତୀୟ ରାଜପଥର ଅବସ୍ଥା ପୂର୍ବରୁ ଏଭଳି କେବେ ଦେଖିବାକୁ ମିଳୁନଥିଲା । ଯଦି କେଉଁଠି ସାମାନ୍ୟ ପିଚୁ ଉଠୁଥିଲା କିମ୍ବା ଗର୍ତ୍ତ ସୃଷ୍ଟି ହେଉଥିଲା କର୍ତ୍ତୃପକ୍ଷ ତାହାକୁ ତୁରନ୍ତ ମରାମତି କରି ଦେଉଥିଲେ । ହେଲେ ଏବେ ମାସ ମାସ ଧରି ରାସ୍ତାକୁ ପରସ୍ତ ପରସ୍ତ ପିଚୁ ଉଠିଗଲେ ବି ସେଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଏହା ଫଳରେ ଏହି ରାଜପଥରେ ଯାଉଥିବା ଦୁଇ ଚକିଆ ଓ ଛୋଟ ଚାରିଚକିଆ ଯାନଗୁଡିକ କେତେକ ସମୟରେ ଖାଲରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଜାତୀୟ ରାଜପଥରେ ବି ୪୦ କିଲୋମିଟରରୁ ଅଧିକବେଗରେ ଗାଡି ଚଳାଇବାକୁ ଡରୁଛନ୍ତି ।

ଚଳିତ ପାର୍ବଣ ଋତୁ ପୂର୍ବରୁ ରାଜପଥଟି ମରାମତି ହୋଇଯିବ ବୋଲି ଅନେକ ଆଶା କରୁଥିଲେ । କାରଣ ଏହି ସମୟରେ ରାଜପଥରେ ଅଧିକ ଭିଡ ହୋଇଥାଏ । ହେଲେ ଚଳିତବର୍ଷ ରାଜପଥ କର୍ତ୍ତୃପକ୍ଷ ବି ସେଥିପ୍ରତି ଆଗ୍ରହ ପ୍ରକାଶ କଲେ ନାହିଁ । ସଡକରୁ ପିଚୁ ଉଠିଯାଉ କିମ୍ବା ପୋଲ ଉପରୁ ଲୁହାଛଡ ବାହାରି ଆସୁ ସତେ ଯେଭଳି ତାହା ରାଜପଥ କର୍ତ୍ତୃପକ୍ଷଙ୍କୁ ଦିଶୁ ନାହିଁ । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଜାତୀୟ ରାଜପଥ ପାଶ୍ୱର୍ରେ ହିଁ ଏନ୍‍ଏଚ୍‍ଏର ଆଞ୍ଚଳିକ ଦପ୍ତର ରହିଛି ଏବଂ ଏହାର ବରିଷ୍ଠ ଅଧିକାରୀମାନେ ପ୍ରତିଦିନ ଏହି ରାସ୍ତାରେ ଯା ଆସ କରୁଛନ୍ତି ।

ଗାଡି ଚାଳକଙ୍କ କହିବାକଥା ରାଜପଥରୁ ଅର୍ଥ ଆଦାୟ ପାଇଁ କର୍ତ୍ତୃପକ୍ଷ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ସେହି ଅନୁସାରେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଖୋଦ ରାଜ୍ୟ ରାଜଧାନୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଯଦି ଏଭଳି ଅବସ୍ଥା ତେବେ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ରାଜପଥର ଅବସ୍ଥା କିଭଳି ହୋଇଥିବ ଓ ତାହାକୁ କର୍ତ୍ତୃପକ୍ଷ କିଭଳି ରକ୍ଷଣା ବେକ୍ଷଣ କରୁଥିବେ ତାହା ସହଜରେ ଅନୁମେୟ । ତେଣୁ କାଳ ବିଳମ୍ବ ନକରି ଏନ୍‍ଏଚ୍‍ଏ କର୍ତ୍ତୃପକ୍ଷ ଏହି ୧୬ନମ୍ବର ଜାତୀୟ ରାଜପଥର ମରାମତି ନକଲେ ଏଠାରେ ଖୁବ୍‍ଶୀଘ୍ର ଏକାଧିକ ଦୁର୍ଘଟଣା ଘଟିବ ବୋଲି ଯାତାୟତ କରୁଥିବାଲୋକେ ଅଭିଯୋଗ କରୁଛନ୍ତି । ଯେଉଁ ହାରରେ ଏହି ରାସ୍ତାରୁ ପରସ୍ତ ପରସ୍ତ ପିଚୁ ଉଠୁଛି ତାହାର ମରାମତି ନହେଲେ ଲୋକେ ଗୋଡି ମାଟି ରାସ୍ତାରେ ଗାଡି ଚଳାଇବାକୁ ବାଧ୍ୟହେବେ।

Leave A Reply

Your email address will not be published.