ଚମକିବ ରସୁଲଗଡ଼-ଖଣ୍ଡଗିରି ରାଜପଥ; ଜି-୨୦ ସମ୍ମିଳନୀ ପାଇଁ ହେବ ନବକଳେବର

ଭୁବନେଶ୍ୱର: ରସୁଲଗଡ଼-ଖଣ୍ଡଗିରି ପର୍ଯ୍ୟନ୍ତ ଜାତୀୟ ରାଜପଥର ନବକଳେବର କରାଯିବ। ରାସ୍ତାର ଦୁଇ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ସାଙ୍ଗକୁ ରାସ୍ତାର ପାରିପାର୍ଶ୍ବକ ବ୍ୟବସ୍ଥାର ଉନ୍ନତିକରଣ କରାଯିବ। ମୁଖ୍ୟତଃ ରାସ୍ତାପାର୍ଶ୍ବରେ ଲ୍ୟାଣ୍ଡସ୍କେପିଂ ଓ ଲାଇଟ୍ନିଂ ବ୍ୟବସ୍ଥା ନୂଆରୂପ ଦିଆଯିବାକୁ ଥିବା ବେଳେ ଫ୍ଲାଏଓଭର୍‌‌ କାନ୍ଥଗୁଡ଼ିକୁ ସୌନ୍ଦର୍ଯ୍ୟକରଣ କରାଯିବ। ଭାରତରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଦେଶର ବିଭିନ୍ନ ସହର ସମେତ କୋଣାର୍କରେ ମଧ୍ୟ ଆୟୋଜନ କରାଯିବ। ଆସନ୍ତା ଏପ୍ରିଲ ୨୪ରୁ ୨୬ ଏବଂ ମେ’ ୧୫ରୁ ୧୭ ତାରିଖ ମଧ୍ୟରେ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ଦେଶର ପ୍ରତିନିଧିମାନେ ଓଡ଼ିଶା ଆସିବେ। ଏହି ସମୟରେ ସେମାନେ ଭୁବନେଶ୍ୱର, ବ୍ରହ୍ମପୁର, ଖଣ୍ଡିଗିରି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର ରହିଛି। ଏଥିପାଇଁ ବିଡିଏ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏକ ଉଚ୍ଚସ୍ତରୀୟ ବୈଠକ କରି ରୋଡ୍‌‌ମ୍ୟାପ ପ୍ରସ୍ତୁତ କରାଯାଇଛି।

ଏଥିପାଇଁ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଅତିରିକ୍ତ କମିଶନର ହରିଶ ଚନ୍ଦ୍ର ନାୟକ, ଏନ୍‌‌ଏଚ୍‌‌ଏଆଇ ଭୁବନେଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ କ୍ଷେତ୍ରସ୍ତରରେ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବରମୁଣ୍ଡାସ୍ଥିତ କାଳୀ ମନ୍ଦିରଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ବାମପାର୍ଶ୍ବ ରାସ୍ତା ୫୦ମିଟର ଯାଏ ନିଜ ଅକ୍ତିଆରକୁ ଅଣାଯିବା ସହିତ ସେହି ଜାଗାରେ ସୌନ୍ଦର୍ଯ୍ୟକରଣ କରିବାକୁ ବିଡିଏ ନିଷ୍ପତ୍ତି ନେଇଛି। ଏହାସହିତ ଏହି ରାସ୍ତା ପାର୍ଶ୍ବରେ ହେଉଥିବା ବସ୍‌‌ ପାର୍କିଂ ଓ ରହିଥିବା ନର୍ସରୀଗୁଡ଼ିକୁ ହଟାଇବା ପାଇଁ ଯୋଜନା କରାଯାଇଛି। ସେହିପରି ଏହି ରାସ୍ତାରେ ସର୍ଭିସ ରୋଡ ନିର୍ମାଣ କରାଯିବା ପାଇଁ ମଧ୍ୟ ଯୋଜନା କରାଯାଇଛି।

ଜୟଦେବ ବିହାର ଛକରୁ ଫାୟାର ଷ୍ଟେସନ୍‌‌ ଛକ ପର୍ଯ୍ୟନ୍ତ ଦୁଇ ପାର୍ଶ୍ବ ରାସ୍ତା ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ। ସିଆର୍‌‌ପି ଛକରେ ଥିବା ଜନଜାତି ମ୍ୟୁଜିୟମ୍‌‌ ଠାରୁ ଫାୟାର ଷ୍ଟେସନ୍‌‌ ପର୍ଯ୍ୟନ୍ତ ବାମପାର୍ଶ୍ବରେ କେତେକ କାର୍‌‌ ଶୋ’ରୁମ୍‌‌ କାର୍‌‌ ପାର୍କିଂ କରୁଛନ୍ତି। ସେଠାରୁ କାର୍‌‌ଗୁଡିକୁ ହଟାଯାଇ ସୌନ୍ଦର୍ଯ୍ୟକରଣ କରିବାକୁ ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସତ୍‌‌ସଙ୍ଗ ବିହାର ସ୍ଥିତ ଶ୍ୟାମାପ୍ରାସଦ ମୁଖାର୍ଜୀ ପାର୍କ ସମ୍ମୁଖ ରାସ୍ତାରୁ ଜବରଦଖଲ ହଟାଯିବ। ସେହି ଜାଗାରେ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯିବ। ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟକରଣ ସହ ଓଭରବ୍ରିଜ ତଳେ ଖାଲି ସ୍ଥାନକୁ ମଧ୍ୟ ସଂରକ୍ଷିତ କରାଯିବ। ସେଠାରେ ହୋଇଥିବା ବିଭିନ୍ନ ଦୋକାନ ସମେତ ଜବରଦଖଲକାରୀଙ୍କୁ ହଟାଯିବ। ଲଳିତକଳା ଏକାଡେମୀ ପକ୍ଷରୁ ସ୍ଥାପତ୍ୟ ଚିତ୍ରକଳା ମଧ୍ୟ ଅଙ୍କାଯିବ। ସେହିଭଳି ଫୁଟପାଥ ରାସ୍ତା ସମେତ ଫ୍ଲାଏଓଭରର କାନ୍ଥକୁ ଚିକ୍କଣ କରାଯିବ। ଏନ୍‌‌ଏଚ୍‌‌ କଡ଼ରେ ଲାଗିଥିବା ହାଇମାଷ୍ଟ ଲାଇଟ୍‌‌ଗୁଡିକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a comment