ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି, ଭରସା କରି ପ୍ରାର୍ଥୀ କରିଥିବାରୁ ଧନ୍ୟବାଦ’ : ବର୍ଷା ସିଂ ବରିହା

ପଦମପୁର : ପଦମପୁର ଉପନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବର୍ଷା ସିଂ ବରିହାଙ୍କୁ ଟିକେଟ୍ ଦେଇଛି। ବର୍ଷା ହେଉଛନ୍ତି ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଆସନ୍ତା ୧୬ତାରିଖରେ ସେ ନାମାଙ୍କନ ଦାଖଲ କରିବେ। ପ୍ରାର୍ଥୀଭାବେ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବର୍ଷା।ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଭରସା ଓ ବିଶ୍ୱାସ କରି ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସେହିଭଳି ଟିକେଟ ରେସରେ ସେ ନଥିଲେ, କିନ୍ତୁ ବାପା କିଛି ଭଲ କାମ କରିଥିବାରୁ ପରିବାରରୁ ମୋତେ ଚୟନ କରିଛନ୍ତି। ପରିବାରର ଯାହାକୁ ବି ଟିକେଟ ମିଳିଥାନ୍ତା ତାହାକୁ ଆମେ ସମର୍ଥନ କରିଥାଆନ୍ତୁ ବୋଲି ବର୍ଷା କହିଛନ୍ତି ।

 

ବର୍ଷା ସିଂ ବରିହା ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କିଭଳି ପହଂଚିପାରିବ ସେଦିଗରେ ଦୃଷ୍ଟି ଦେବି। ଅନ୍ୟପଟେ ବିଜୟଙ୍କ ପତ୍ନୀ କହିଛନ୍ତି ଯେ ଆମ ପରିବାରର ଜଣଙ୍କୁ ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଞ୍ଝାଲ ସମାଜ । ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ସମାଜ ପକ୍ଷରୁ ନିବେଦନ କରାଯାଇଥିଲା। ଯାହା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷିତା ବର୍ଷାଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି। ବର୍ଷା ସିଂ ବରିହା ଇତିହାସରେ ସ୍ନାତକୋତ୍ତର କରିବା ପରେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ।

ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏ ସଂକ୍ରାନ୍ତରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଥିଲା। ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ତେଣେ ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ବିଜେଡି ଜିତିଥିଲା ପଦମପୁର ଆସନ । ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟ ରଞ୍ଜନ ସିଂ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଥିଲେ। ଡିସେମ୍ବର ୫ ପଦମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପାଗ ଭିଡ଼ିଛନ୍ତି। ପଦମପୁର ନିର୍ବାଚନମଣ୍ଡଳୀରେ ୩ଟି ବ୍ଲକ ପଦମପୁର, ପାଇକମାଳ, ଝାରବନ୍ଧ ରହିଛି। ପଦମପୁର ଏନଏସି ସହ ନିର୍ବାଚନମଣ୍ଡଳୀରେ ମୋଟ୍ ୫୮ଟି ପଞ୍ଚାୟତ ରହିଛି। ୨ଲକ୍ଷ ୫୭ ହଜାର ୪୭୪ ଭୋଟର ପଦମପୁରର ନୂଆ ନେତା ବାଛିବେ।

Leave A Reply

Your email address will not be published.