ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ: ଆଜି ହେବ ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ। ରବିବାର ଆଡପମଣ୍ଡପରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହୋଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଅନ୍ୟପଟେ ରାସମଣ୍ଡପରେ ରବିବାର ଦାରୁଦିଅଁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଶ୍ରଦ୍ଧାଳୁ ବି ପାଇଛନ୍ତି ଆଡପ ଅବଢ଼ା। ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି କରାଯିବ। ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ଦାରୁବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଇଥାଏ ।

ରବିବାର ସକାଳ ୬ଟା ୪୦ରେ ଦ୍ୱାର ଫିଟାଯାଇ ୭ଟା ୩୦ରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ସାଢେ ୮ଟାରେ ଅବକାଶ ସରିଥିଲା। ଏହାପରେ ସାହାଣମେଲା ଦର୍ଶନ ହୋଇଥିଲା। ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଆଡପ ଦର୍ଶନ କରି ଆଡପ ଅବଢ଼ା ପାଇଥିଲେ। ସକାଳ ଧୂପରେ କମ୍‍ ଅବଢ଼ା ବାହାରିଥିବାବେଳେ ଭୋଗମଣ୍ଡପରେ ପର୍ଯ୍ୟାପ୍ତ ମହାପ୍ରସାଦ ବାହାରିଥିଲା। ବର୍ଷକୁ ଥରେ ଆଡପ ଅବଢ଼ା ମିଳୁଥିବାରୁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ପାଇବା ସହ ସାଙ୍ଗରେ ନେଇଯାଉଥିଲେ।

ଅନ୍ୟପକ୍ଷରେ ଆସନ୍ତା ମଙ୍ଗଳବାର ହେରାପଞ୍ଚମୀ। ପରମ୍ପରା ଅନୁଯାୟୀ ସୋମବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ପଛ ଭୋଗମଣ୍ଡପ ଶେଷ ହୋଇ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଥିପାଇଁ ପ୍ରାୟ ୪ ଘଣ୍ଟା ଅର୍ଥାତ୍‍ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.