ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୁହାବାଡ଼ ରହୁନି; ବାଉଁଶ ରହିବ ?

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ୍‍ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ ବାଉଁଶ ମେଡିଆନ୍‍ ତିଆରି କରାଯିବ। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ଏହି କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଖୁବଶୀଘ୍ର ଏହାର କାମ ଆରମ୍ଭ କରିବ। ଏଥିପାଇଁ ବିଭାଗ ପକ୍ଷରୁ ୧.୨୫ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ସ୍ଥିର କରାଯାଇଥିବା ବେଳେ ବିଭାଗର ଏଭଳି ଯୋଜନାକୁ ବିଭିନ୍ନ ମହଲରୁ ସମାଲୋଚନା ଆରମ୍ଭ ହୋଇଛି। ବାଉଁଶ ବାଡ କରି ସ୍ମାର୍ଟସିଟି ଏତେ ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ରଖିଥିବା ବେଳେ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଭୁବନେଶ୍ୱରରେ ଯେତେ ସବୁ ମେଡିଆନ୍‍ ରହିଛି, ଏଠାରେ ଲୁହା ଗ୍ରୀଲ୍‍ କିମ୍ବା ରେଲିଂ କରି ଲଗାଯାଇଛି। ହେଲେ ଏହାକୁ ମଧ୍ୟ ସୁରକ୍ଷିତ ରଖାଯାଇପାରୁନି। ବିଭିନ୍ନ ସ୍ଥାନରୁ ଲୁହା ଚୋରି ହୋଇଯାଉଥିବା ବେଳେ ମେଲା ମୁକୁଳା ମେଡିଆନ୍‍ ଦୁର୍ଘଟଣାର କାରଣ ପାଲଟୁଛି।

ମେଡିଆନ୍‍ଗୁଡିକରୁ ଲୁହା ରେଲିଂ କାଢ଼ି ନେଉଥିବାରୁ ଗାଈ ଗୋରୁ ରାସ୍ତା ପାର ହେଉଛନ୍ତି। ଯାହାକି ଗାଡ଼ି ଚାଳକଙ୍କ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି କରୁଛି। ତେବେ ବର୍ତ୍ତମାନ ସ୍ମାର୍ଟସିଟି କରିଥିବା ଯୋଜନାରେ ବାଉଁଶ ମେଡିଆନର ମଧ୍ୟ ସମାନ ସ୍ଥିତି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବଡ଼କଥା ହେଉଛି ଯେ ଲୁହା ବାଡ଼କୁ ସୁରକ୍ଷିତ ଭାବେ ରଖାଯାଇ ପାରୁ ନ ଥିବା ବେଳେ ସ୍ମାର୍ଟସିଟି ପକ୍ଷରୁ ଏହି ବାଉଁଶ ବାଡ଼ ସ୍ଥାୟିତ୍ୱ ୬ ବର୍ଷ ବୋଲି ଦାବି କରାଯାଉଛି। ଅନ୍ୟପଟେ ଟାଉନ୍‍ ପ୍ଲାନର ପୀୟୂଷ ରାଉତ କହିଛନ୍ତି ଯେ କେବଳ ଗଛ ଲଗାଇ ମଧ୍ୟ ମେଡିଆନ୍‍ କରାଯାଇ ପାରିବ। ମେଡିଆନ୍‍ ପାଇଁ ସ୍ୱତନ୍ତ୍ର ଗଛ ରହିଛି। ଏହାକୁ ବ୍ୟବହାର କଲେ ସୌନ୍ଦର୍ଯ୍ୟ କରଣ ସାଙ୍ଗକୁ ସବୁଜିମା ମଧ୍ୟ ରହିପାରିିବ। ଏହା ବ୍ୟତୀତ ଭୁବନେଶ୍ୱରରେ ବୁଲା ଷଣ୍ଢଙ୍କୁ ଯଦି ବିଏମସିି ନିୟନ୍ତ୍ରଣ କରିବା କଥା କହୁଛି, ତେବେ ମେଡିଆନ୍‍ରେ ଏତେ ଟଙ୍କା ଖର୍ଚ୍ଚ କରିବାର କଣ ଆବଶ୍ୟକତା ରହିଛିି ବୋଲି ସେ କହିଛନ୍ତି।

ମେଡିଆନ୍‍ରେ ଝଙ୍କାଳ ଗଛ ଲଗାଇ, ଏହାକୁ ନିୟମିତ ବ୍ୟବଧାନରେ କାଟିବା ଉଚିତ। ଏହାଦ୍ୱାରା ରାଜଧାନୀରେ ସବୁଜିମା ବଢ଼ୀବା ସହିତ ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଅନେକ ସ୍ଥାନରେ ଊଇର ପ୍ରାଦୁର୍ଭାବ ରହୁଛି। ତେଣୁ ବାଉଁଶ କେତେଦିନ ରହିପାରିବ ତାହା ମଧ୍ୟ ଚିନ୍ତା କରିବା ଆବଶ୍ୟକତା ରହିଛିି। କୋଲକାତା ଢାଞ୍ଚାରେ ସ୍ମାର୍ଟସିଟି ଏହି ଯୋଜନା କରିଥିବା ବେଳେ ତରବରିଆ ଟେଣ୍ଡରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.