ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଢ଼େୟା ନାଚର ଅନ୍ତୁଡ଼ିଶାଳ ଗୁଡୁଦା ଗାଁ; ପିଢ଼ି ପରେ ପିଢ଼ି କଳାକାରମାନେ ଏହି କଳାକୁ ବଞ୍ଚାଇ ରଖି ସାଉଁଟୁଛନ୍ତି ପ୍ରଶଂସା

ବାଲେଶ୍ୱର(କଳିଙ୍ଗ ସାହୁ): କଳାକ୍ଷେତ୍ର ବାଲେଶ୍ୱର। କଳା, ସଂସ୍କୃତି ଓ ସାହିତ୍ୟ ପ୍ରତି ଏ ଜିଲ୍ଲାର ଅବଦାନ ବହୁତ ଅଧିକ। ଆଜି ବି ଅନେକ ପୁରାତନ ଲୋକକଳା ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଉଜ୍ଜୀବିତ ହୋଇ ରହିଛି। ପିଢ଼ି ପରେ ପିଢ଼ି କଳାପ୍ରେମୀଙ୍କ ପ୍ରୋତ୍ସାହନରେ କଳାକାରମାନେ କଳାକୁ ବଞ୍ଚାଇ ରଖିଛନ୍ତି ଓ ପ୍ରଶଂସା ସାଉଁଟୁଛନ୍ତି। ସେମିତି ଏକ ଗାଁ ରେମୁଣା ବ୍ଲକର ଗୁଡୁଦା ଗାଁ। ଏଠାକାର ଲୋକେ ଏହି ଗାଁକୁ ଚଢ଼େୟା ନାଚର ଅନ୍ତୁଡ଼ିଶାଳ ବୋଲି ମଧ୍ୟ ଦାବି କରନ୍ତି। ସୌଭାଗ୍ୟର କଥା ଏ ଗାଁ ଅନେକ ପୁରାତନ କଳାକୁ ଆଗକୁ ନେବାରେ ଉଦ୍ୟମ ଜାରି ରଖିଛି।

ଏହି ଗାଁରୁ ସୃଷ୍ଟି ହୋଇଥିବା ଚଢ଼େୟା ନାଚକୁ କଳାର ଉପାସନା ବୋଲି ଭାବନ୍ତି ଗୁଡୁଦା ଗାଁର ଲୋକେ। ଏହାକୁ ବୃତ୍ତି ପ୍ରବୃତ୍ତି ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ଜିଲ୍ଲାର ଗ୍ରାମୀଣ ଅଞ୍ଚଳ ସମେତ ସହରାଞ୍ଚଳରେ ଏହି ନିଆରା କଳାର ପ୍ରଦର୍ଶନ କରି ଆସୁଛନ୍ତି ଏହି ଗାଁର କଳାକାର। ଗାଁର ଜଣେ ବର୍ଷୀୟାନ କଳାକାର ଗୌରାଙ୍ଗ ଦାସଙ୍କ କହିବା କଥା, ସେମାନଙ୍କ ପୂର୍ବ ପୁରୁଷ ବି ଚଢ଼େୟା ନାଚ କରୁଥିଲେ। ଗାଁରେ ପ୍ରାୟ ୫ଶହ ପରିବାର ରହୁଥିବା ବେଳେ ସମସ୍ତଙ୍କ ଘରେ ଚଢ଼େୟା ନାଚ ଉପରେ ନିର୍ଭରଶୀଳ। ଖାଲି ଚଢ଼େୟା ନାଚ ନୁହେଁ, ଗାଁରେ ଦୁଇଟି କୀର୍ତ୍ତନିଆ ଦଳ, ପାଲା ଦଳ, ଆଖଡ଼ା ଦଳ ଓ ଯାତ୍ରାପାର୍ଟି ମଧ୍ୟ ରହିଛି। ଏନେଇ ଏହି ଗାଁର ଚଢ଼େୟା ନାଚ କଳାକାର ପଞ୍ଚାନନ ଦଳେଇ, ପୁରୁଷୋତ୍ତମ ବେହେରା ପ୍ରମୁଖ କହିଛନ୍ତି ଯେ ଆଗରୁ ଗାଁ ଗହଳିରେ ଏହି ନାଚ ପ୍ରଦର୍ଶନ କରାଯାଉଥିଲା। କିନ୍ତୁ ଗାଁର ଚଢ଼େୟା ନାଚ ଦଳ ଜିଲ୍ଲା ପ୍ରଶାସନ ଦ୍ୱାରା ପଞ୍ଜୀକୃତ ଦଳର ମାନ୍ୟତା ପାଇସାରିଛି। ତେଣୁ ବିଭିନ୍ନ ଜିଲ୍ଲା ଓ ରାଜଧାନୀର ବିଭିନ୍ନ ଉତ୍ସବରେ ସେମାନଙ୍କୁ ନିମନ୍ତ୍ରଣ ମିଳୁଛି ଓ ପ୍ରଶଂସା ମିଳୁଛି।

କିଛି କଳାକାରଙ୍କୁ କଳାକାର ଭତ୍ତା ମିଳି ନ ଥିବା ଅଭିଯୋଗ ହୋଇଛି। କିନ୍ତୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ବର୍ତ୍ତମାନ ସ୍ୱୀକୃତି ପ୍ରାପ୍ତ କଳାକାର ସଂଘକୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୨୫୫୦ଜଣଙ୍କୁ ଏହି ଭତ୍ତା ପ୍ରଦାନ କରାଯାଉଛି। ୨୦୧୮ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୯୦ ଜଣଙ୍କୁ ଏହି ଭତ୍ତା ପ୍ରଦାନ କରାଯାଉଥିବା ବେଳେ ପୂର୍ବରୁ ୧୦୬୪ଜଣଙ୍କୁ ପ୍ରଦାନ କରାଯାଉଥିଲା। ଏପରିକି ସେମାନଙ୍କୁ ଭତ୍ତା ଆକାରରେ ୧୨ଶହ ଟଙ୍କା ଅନଲାଇନ ମାଧ୍ୟମରେ ପଠାଯାଉଛି। ଏପରିକି ୯୬ଜଣଙ୍କୁ ରାଜ୍ୟ ସରକାର ସିଧାସଳଖ ଏହି ଭତ୍ତା ପ୍ରଦାନ କରୁଛନ୍ତି ବୋଲି ସୂଚନା ଦିଆଯାଇଛି। ତେବେ ସେ ଯାହା ହେଉ ନା କାହିଁକି ଏହି ଗୁଡୁଦା ଗାଁ କେବଳ ବାଲେଶ୍ୱର ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିଛି ତା ନୁହେଁ ବରଂ ସେମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ବାହାର ରାଜ୍ୟରେ ମଧ୍ୟ ନିଜ କଳାର ପରିଚୟ ସୃଷ୍ଟି କରିପାରିଛନ୍ତି।

Leave A Reply

Your email address will not be published.