ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତିକୂଳ ସମୟରେ ହରିଣ ବଂଶ ବୃଦ୍ଧି ପାଇଁ ବଲାଙ୍ଗିର ଜିଲ୍ଲା ସୃଷ୍ଟି କରିଛି ବଡ଼ ସମ୍ଭାବନା

ବଲାଙ୍ଗୀର (ଅଭିଳାଷ ହୋତା): ଜଙ୍ଗଲକ୍ଷୟ, ପ୍ରାକୃତିକ ବାସସ୍ଥାନର ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରତିକୂଳ ସମୟରେ ହରିଣ ବଂଶ ବୃଦ୍ଧି ପାଇଁ ବଲାଙ୍ଗିର ଜିଲ୍ଲା ବଡ଼ ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟରେ ଥିବା ହାତଗଣତି କିଛି ହରିଣ ପାର୍କ ମଧ୍ୟରୁ ହରିଶଙ୍କର ଅନ୍ୟତମ। ଅନୁକୂଳ ଜଳବାୟୁ ଯୋଗୁଁ ହରିଶଙ୍କରରେ ହରିଣ ସଂଖ୍ୟା ବଢିଚାଲିଛି। ଜିଲ୍ଲାର ଅନ୍ୟ ସ୍ଥାନରେ ହରିଣ ପାର୍କ କରିବା ପାଇଁ ପ୍ରସ୍ତାବ ରହିଛି। ଏହାଦ୍ୱାରା ହରିଣ ସଂଖ୍ୟା ବୃଦ୍ଧି ପାଇବା ସହ ଏହା ଜିଲ୍ଲାର ପର୍ଯ୍ୟଟନ ବିକାଶରେ ମଧ୍ୟ ସହାୟକ ହେବ।

ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ପୀଠକୁ ଲାଗି ରହିଛି ଏକ ହରିଣ ପାର୍କ। ପ୍ରତିଦିନ ହରିଶଙ୍କରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ହେଉଛି ଅନ୍ୟତମ ଆକର୍ଷଣ। ଏହି ପାର୍କ ୧୯୭୧ରେ ଦେଢ଼ଏକର ଜମିରେ ଆରମ୍ଭ ହୋଇଥିଲା। ମାତ୍ର ଆଠଟି ହରିଣ ବା ଚିଥଲ ରଖି ଏହି ପାର୍କ ଆରମ୍ଭ କରାଯାଇଥିବା ବେଳେ ୨୦୨୩ ଜାନୁୟାରୀ ୧ ତାରିଖ ସୁଦ୍ଧା ଏହି ସଂଖ୍ୟା ୫୪୧ରେ ପହଞ୍ଚିଛି। ହରିଣ ସଂଖ୍ୟାକୁ ଦୃଷ୍ଟିରେ
ରଖି ବର୍ତ୍ତମାନ ଏହି ପାର୍କର ସମ୍ପ୍ରସାରଣ କାମ ମଧ୍ୟ ଜାରି ରହିଛି।

ବିଭାଗୀୟ ସୂଚନା ଅନୁସାରେ, ଏହି ପାର୍କରେ ବର୍ତ୍ତମାନ ୧୮୯ ଅଣ୍ଡିରା, ୩୦୨ ମାଈ, ୧୭ ଅଣ୍ଡିରା ଶିଶୁ, ୧୩ ମାଈ ଶିଶୁ ଓ ୨୦ଟି ଲିଙ୍ଗ ଚିହ୍ନଟ ହୋଇ ନଥିବା ହରିଣ ରହିଛନ୍ତି। ହରିଣଙ୍କ ବଂଶ ବିସ୍ତାର ହାରରୁ ବଲାଙ୍ଗିର ଜଳବାୟୁ ସହ ହରିଣ ସହଜରେ ଖାପ ଖୁଆଇ ପାରୁଥିବା ସ୍ପଷ୍ଟ ହୋଇଛି।

ଜିଲ୍ଲାର ଅନ୍ୟ କିଛି ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ହରିଣ ଦେଖିବାକୁ ମିଳିଛି। ଲୋଇସିଂହା ରେଞ୍ଜ ପାଣ୍ଡରିଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲ, ବଲାଙ୍ଗିର-ସୋନପୁର ସୀମାରେ ରହିଥିବା ରମାଇ ଜଙ୍ଗଲ, ସିଞ୍ଜୁରୀ କଟାରେ ବହୁ ସଂଖ୍ୟାରେ ହରିଣ ଦେଖିବାକୁ ମିଳିଥାନ୍ତି।

ସୁରକ୍ଷା ଓ ଜଳବାୟୁ ଦୃଷ୍ଟିରୁ ହରିଣ ବଂଶ ବିସ୍ତାର ପାଇଁ ବଲାଙ୍ଗିରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଯାହାକୁ ସୁବିନିଯୋଗ କରିବା ପାଇଁ ହରିଣ ପାର୍କ ସଂଖ୍ୟା ବଢ଼଼଼଼ାଇବାର କିମ୍ୱା ହରିଣ ଅଭୟାରଣ୍ୟ କରିବାର ସମୟ ଆସିଛି। ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟଟନସ୍ଥଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ହରିଣ ପାର୍କ କରିବା ପାଇଁ ପ୍ରସ୍ତାବ ରହିଛି। ଭୀମଡୁଙ୍ଗୁରୀଠାରେ ଏକ ହରିଣ ପାର୍କ କରିବା ପାଇଁ ପ୍ରସ୍ତାବ ରହିଛି। ସେହିପରି ଗାଈଖାଇ ପର୍ଯ୍ୟଟନସ୍ଥଳର ଉନ୍ନତୀକରଣ କାମ ବନ ବିଭାଗ ଦ୍ୱାରା ଆରମ୍ଭ ହୋଇଛି। ଏଠାରେ ଏକ ହରିଣ ପାର୍କ କିମ୍ୱା ହରିଣ ଅଭୟାରଣ୍ୟ କରିବାର ସୁଯୋଗ ରହିଛି। ଏହା ଏକ ଘଞ୍ଚ ଜଙ୍ଗଲ ହୋଇଥିବାରୁ ଖାଦ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଲେ ଏହା ଏକ ସଫଳ ପ୍ରକଳ୍ପ ହୋଇପାରିବ । ସେହିପରି ପାଣ୍ଡରିଡୁଙ୍ଗୁରୀ, ରମାଇଠାରେ ମଧ୍ୟ ହରିଣ ପାର୍କ କିମ୍ୱା ଅଭୟାରଣ୍ୟ କରାଗଲେ ଜିଲ୍ଲା ପର୍ଯ୍ୟଟନର ବିକାଶ ପାଇଁ ବେଶ୍‌‌ ସହାୟକ ହେବ।

Leave A Reply

Your email address will not be published.