ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷ ହେଲା ମା ହିଙ୍ଗୁଳାଙ୍କ ବଡପୂଜା, ୪ ଦିନରେ ହୋଇଥିଲା ୫ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ

ବଡ଼ସାହି :  ଗତ ୨ବର୍ଷ ଧରି କରୋନା କଟକଣା ପାଇଁ ମା ହିଙ୍ଗୁଳାଙ୍କ ବଡପୂଜା କଟକଣା ମଧ୍ୟରେ ଶେଷ ହୋଇଥିଲା । ମାତ୍ର ଚଳିତ ବର୍ଷ କଟକଣା ନ ଥିବାରୁ ଏହିି ମେଳା ୪ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ମାଙ୍କ ବଡପୂଜା ସମ୍ପନ୍ନ ହୋଇଛି । ବଡ଼ସାହି ବ୍ଲକ୍‌ଠାରୁ ୫କିମି ଦୂର ସୁହାଗପୁର, କଉଡଖଣୀ ଶାଳୁଆ ଜଙ୍ଗଲରେ ଅବସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ବାର୍ଷିକ ପୂଜା ପାଇଁ ମନ୍ଦିରର ନୀତିନିର୍ଘଣ୍ଟ ଅନୁଯାୟୀ, ସୋମବାର ଭୋର ୫ଟାରେ ମା’ଙ୍କ ପହଡ଼ ଭଙ୍ଗା ପରେ ୫ଟା ୩୫ମିନିଟ୍‌ ମଙ୍ଗଳ ଆଳତି ହୋଇ ସାଧାରଣ ଦର୍ଶନ ଦିନତମାମ ଚାଲୁ ରହିିଥିଲା । ସେହିପରି ମଙ୍ଗଳବାର ୫ଟା୫୦ମିନିଟରେ ମହାସ୍ନାନ, ୬.୨୫ରେ ସୂର୍ଯ୍ୟପୂଜା, ୭ଟା୩୦ରେ ଯଜ୍ଞ ଆରମ୍ଭ, ୮ଟା୩୦ରେ ଦେବୀଙ୍କ ଯଜ୍ଞକୁଣ୍ଡକୁ ଶୋଭାଯାତ୍ରା, ଅପରାହ୍ନ ୪ଟାରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ଓ ୪ଟା ୧୦ରେ ପୂର୍ଣ୍ଣାହୂତି ହୋଇଥିବାର ଜଣାଯାଇଛି ।

୩୦ଜଣ ବ୍ରାହ୍ମଣଙ୍କ ଦ୍ୱାରା ଶନିବାର ଅଧିବାସ, ରବିବାର ଅଗ୍ନି ପୂର୍ଣ୍ଣିମା ଠାରୁ ବିଷ୍ଣୁ ଯଜ୍ଞ ଆରମ୍ଭ ହୋଇ ଅଗ୍ନିକୁଣ୍ଡରେ ଭୋଗ ସମର୍ପଣ ହୋଇଛି, ସୋମବାର ରୁଦ୍ର ଯଜ୍ଞ, ମଙ୍ଗଳବାର ମାଙ୍କ ବଡପୂଜା ସହିତ ଚଣ୍ଡି ଯଜ୍ଞ ଓ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଯାଇଛି । ଏହିି ମେଳାରେ ୫ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ସମାଗମ ହୋଇଥିବାର ଜଣାଯାଇଛି । ବ୍ୟାରିକେଡରେ ଲକ୍ଷ ଲକ୍ଷ ଭକ୍ତ ଶାନ୍ତିଶୃଙ୍ଖଳାର ସହିତ ଲାଇନରେ ଯାଇ ମାଙ୍କୁ ଦର୍ଶନ କରିଛନ୍ତି । କମିଟି ଓ ପ୍ରଶାସନ ପକ୍ଷରୁ ମଧ୍ୟ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ପୂଜାର ବିଧିବିଧାନ ଅନୁସାରେ ସମସ୍ତ ବିଭାଗର କାର୍ଯ୍ୟ ବ୍ରାହ୍ମଣ ମଣ୍ଡଳୀଙ୍କ ମଧ୍ୟରେ ସୂଚାରୁ ରୂପେ ବଣ୍ଟା ଯାଇଥିବାରୁ ତାହା ବେଶ ଉପଯୋଗୀ ହୋଇଛି । ଗତ ୪ଦିନ ଧରି ଭଜନ ସଂନ୍ଧ୍ୟା ଓ ଡ୍ୟାନ୍ସ ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଛି । ମୟୂରଭଞ୍ଜ ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଜିଲ୍ଲା ସହିତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ରାଜ୍ୟରୁ ଆସିଥିବା ଭକ୍ତଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଛି । ହଜାର ହଜାର ବିଭିନ୍ନ ପ୍ରକାର ଉଠା ଦୋକାନ ନିଜ ନିଜର ପସରା ମେଲାଇ ବସିଥିବା ବେଳେ ଦୋକାନ ମାନଙ୍କରେ କାରବାର ମଧ୍ୟ ବହୁତ ଭଲ ହୋଇଥିବାର ବାଲେଶ୍ୱରରୁ ଆସିଥିବା ଜଣେ ଚାଟ୍‌ ଓ ପାମ୍ପଡି ଦୋକାନୀ ଭାଇ ପ୍ରକାଶ କରିଛନ୍ତି ।

ଏତଦବାଦ ଚଳିତ ବର୍ଷ ମୂଖ୍ୟ ଆକର୍ଷଣ ସାଜିିଛି ପିଲାମାନଙ୍କ ପାଇଁ ଆସିଥିଲା ଆକର୍ଷଣୀୟ ୱାଟର ବୋଟ, ମିକି ମାଉସ, ଡ୍ରାଗନ, ଜମ୍ପିଙ୍ଗ, ଦୋଳି ଓ ଟ୍ରାଭେରା । ସେଠାରେ ଶହଶହ ପିଲାଙ୍କ ଭିଡ ଜମିଛି ଥିଲା। ଭକ୍ତ ଓ ଦୋକାନୀ ମାନଙ୍କର ସାହାର୍ଯ୍ୟ ସହଯୋଗରେ ଏହିି ପୀଠରେ ଉତୋରତର ଉନ୍ନତି ହେଉଥିବା ବେଳେ ଭକ୍ତଙ୍କ ଆଶା ଓ ବିଶ୍ୱାସକୁ କମିଟି ମଧ୍ୟ ଗୁରୁତ୍ୱ ଦେଇ ପ୍ରତିବର୍ଷ କିଛି କିଛି ନୂଆ ଜିନିଷ ଭକ୍ତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି । ଯେଉଁଥି ପାଇଁ ଏ ଅନୁଷ୍ଠାନ ଆଜି ଏକ ଦ୍ରୁମରେ ପରିଣତ ହୋଇ ମା ଓ ଭକ୍ତଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖି କାମ କରୁଛି । ଆଗାମୀ ଦିନରେ ନିର୍ମାଣାଧିନ ଥିବା ରାମ, ଲକ୍ଷ୍ମଣ, ସୀତା, ହନୁମାନଙ୍କ ସହିତ ଶିବ ଓ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଆଗାମୀ ବର୍ଷ ସରିବ ବୋଲି କମିଟି ପକ୍ଷରୁ ଜଣାଯାଇଛି । ଯାହାକି କମିଟିର ପୁଣି ଏକ ବଡ ସଫଳତା ବୋଲି ମୂଖ୍ୟ ଟ୍ରଷ୍ଟି ସୁନୀଲ ଦାଶ କହିଛନ୍ତି । ପୁଲିସ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ, ୪୦ ହୋମଗାର୍ଡ, ୨ ଇନ୍ସପେକ୍ଟର ସହିତ ଅଫିସରମାନେ ଶାନ୍ତିଶୃଙ୍ଖଳା ପାଇଁ ଦାୟିତ୍ୱରେ ଥିବା ବେଳେ ଉପ ଜିଲ୍ଳାପାଳ, ବି.ଡି.ଓ, ତହସିଲଦାର ସତର୍କ ଦୃଷ୍ଟି ରଖିଥିଲେ। ଶାନ୍ତିଶୃଙ୍ଖଳା ସହିତ ମେଳା ସମାପନ ହୋଇଥିବାରୁ ଟ୍ରଷ୍ଟ ପକ୍ଷରୁ ସମସ୍ତ କମିଟିର ସଦସ୍ୟ ଓ ସମସ୍ତ ବିଭାଗର ପ୍ରଶାସନକୁ ଧନ୍ୟବାଦ ଦିଆଯାଇଛି ।

Leave A Reply

Your email address will not be published.