ଋତୁଚକ୍ରରେ ବିଲକ୍ଷଣ: ବର୍ଷାରେ ଖୋଲୁନି ଛତା; ଶୀତରେ କମ୍ବଳ

-ଖରା ବର୍ଷା ଅଛି; ବାକି ଚାରି ଋତୁ ଗାଏବ -ବର୍ଷା ବଦଳରେ ଘଡ଼ଘଡ଼ି ଆଣୁଛି ମୌସୁମୀ

ଭୁବନେଶ୍ୱର: ଇଂରାଜୀ ନାମକରଣ ଅନୁଯାୟୀ ‘ପାରାସୋଲ୍‍’ ଓ ‘ଅମ୍ବ୍ରେଲା’କୁ ଓଡ଼ିଆରେ ଛତା କୁହାଯାଏ। ବିଦେଶରେ ‘ପାରାସୋଲ’ ଖରା ଦିନେ ବ୍ୟବହାର ହେଉଥିବାବେଳେ ‘ଅମ୍ବ୍ରେଲା’ ବର୍ଷାଦିନେ ବ୍ୟବହାର ହୋଇଥାଏ। ଏହି ଦୁଇଟି ସାମଗ୍ରୀର ଗଢ଼ଣ ମଧ୍ୟ ଭିନ୍ନ ଭିନ୍ନ ଭାବେ ସୂର୍ଯ୍ୟକିରଣ ଓ ବର୍ଷାରୁ ରକ୍ଷା ପାଇବା ଭଳି ନିର୍ମାଣ ହୋଇଛି। ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଛତାର ଗୁରୁତ୍ୱ ଯଥେଷ୍ଟ ରହିବା କଥା। କିନ୍ତୁ ଋତୁଚକ୍ରରେ ଘଟୁଥିବା ପରିବର୍ତ୍ତନ ଯୋଗୁଁ ବର୍ଷା ଦିନେ ଛତା ଖୋଲିବା ପରିବର୍ତ୍ତେ ଲୋକମାନଙ୍କୁ ପାରାଶୋଲ ବ୍ୟବହାର କରିବାକୁ ପଡ଼ୁଛି। ଅନୁରୂପ ଭାବେ ଶୀତ ଦିନେ ମଧ୍ୟ ଆଉ କମ୍ବଳର ଆବଶ୍ୟକତା ପଡ଼ୁନାହିଁ। ଯଦିବା ଶୀତ ଋତୁରେ କିଛି ଶୀତ ହେଉଛି, ମାତ୍ର ଶୀତ ଦିନ ସଂଖ୍ୟା ଯଥେଷ୍ଟ କମିଯାଇଛି। ପୂର୍ବ ଅପେକ୍ଷା ଶୀତ ବିଳମ୍ବରେ ଆରମ୍ଭ ହୋଇ ଶୀଘ୍ର ଶେଷ ହୋଇଯାଉଛି। ୬ ଋତୁରୁ ବର୍ତ୍ତମାନ ବସନ୍ତ ଋତୁ ଉଭାନ ହୋଇଯାଉଥିବା ଭଳି ମନେ ହେଉଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସମସ୍ତ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି। ଭାରତ ମହାଦେଶରେ ବର୍ଷର କିଛି ମାସ, ମୌସୁମୀ ବାୟୁ ଯୋଗୁ ପବନର ଦିଗ ପରିବର୍ତ୍ତନ ହେଉଛି। ବାୟୁର ଚାପ ଓ ତାପମାତ୍ରା ଉପରେ ହିଁ ପବନର ଦିଗ ନିର୍ଦ୍ଧାରଣ ହୋଇଥାଏ ଓ ସେହି ଅନୁସାରେ ପବନ ପ୍ରବାହିତ ହୋଇଥାଏ। ଏହି ୨ ଉପାଦାନରେ ପରିବର୍ତ୍ତନ ହେଉଛି। ବିଶ୍ୱତାପୀକରଣ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇଚାଲିଛି। ଯାହାଦ୍ୱାରା ଶୀତ ଦିନ ଅବଧି କମିବା ସହିତ ବର୍ଷା ଦିନେ ବର୍ଷା ବିଳମ୍ବରେ ଆସୁଛି ଓ ବିଳମ୍ବରେ ଯାଉଛି। ବର୍ଷାର ଦିନ ସଂଖ୍ୟା କମୁଥିବା ବେଳେ ଯେତିକି ଦିନ ବର୍ଷା ହେଉଛି ବହୁତ୍‍ ଅଧିକ ବର୍ଷା ହେଉଛି। ଉଦାହରଣ ସ୍ୱରୂପ ହରିୟାଣାର କର୍ଣ୍ଣଲାରେ ୨୪ ଘଣ୍ଟାରେ ରେକର୍ଡ ହୋଇଥିବା ବର୍ଷାର ପରିମାଣ ଜୁଲାଇ ମାସର ବର୍ଷାର ପରିମାଣଠାରୁ ଅଧିକ ହୋଇଛି। ଏଠାରେ ୨୪ ଘଣ୍ଟାରେ ୨୪୮ ମିଲିମିଟର ବର୍ଷା ହୋଇଛି। ଏହା ପୂର୍ବରୁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ଯାହାକି ବର୍ତ୍ତମାନ ଅନାବୃଷ୍ଟି ଓ ଅତି ବୃଷ୍ଟିର ପରିସ୍ଥିତିକୁ ଦର୍ଶାଉଛି। ଆକାଶରେ ମେଘ ରହୁନାହିଁ। ଯାହାଦ୍ୱାରା ଆକାଶ ନିର୍ମଳ ହେତୁ ସୂର୍ଯ୍ୟକିରଣ ପୃଥିବୀ ଉପରେ ସିଧା ପଡ଼ୁଛି। ଏହାଦ୍ୱାରା ଗରମ ହେବାରୁ ଶୀତ ଦିନରେ ପାରାସୋଲ୍‍ର ଆବଶ୍ୟକତା ପଡ଼ୁଛି। ସେହିପରି ଉତ୍ତରା ପବନ ଆସିବା ଦ୍ୱାରା ଶୀତ ବଢ଼଼ିଥାଏ। ହେଲେ ବର୍ତ୍ତମାନ ଶୀତ ଦିନର ଅବଧି କମିଯାଇଛି। ହିମାଳୟର ବରଫର ଘନତା ଓ ଉଚ୍ଚତା କମିବାରେ ଲାଗିଛି। ହିମାଚଳ ପ୍ରଦେଶରେ ଯେଉଁଠି ସେଓ ଚାଷ ହେଉଥିଲା ସେଠାରେ ମକା ଚାଷ କରାଯାଉଛି। ଫେବୃଆରୀରୁ ଗରମ ହେବା ଏକ ସ୍ଥାୟୀ ଧାରା ପାଲଟିଗଲାଣି।

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣପିାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସହିତ ତାପମାତ୍ରାରେ ଅସୁନ୍ତଳନ ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଛି। ସାଧାରଣତଃ ତାପମାନ ବଢ଼଼ିଲେ ବାୟୁ ମଣ୍ଡଳ ଅଧିକ ଜଳୀୟବାଷ୍ଫ ଗ୍ରହଣ କରିଥାଏ। ଏହାଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୁଏ। ବିଶେଷ କରି ଘଡ଼ଘଡ଼ି ଜନିତ ସମସ୍ୟାକୁ ଏହା ବୃଦ୍ଧି କରିଥାଏ। ପୂର୍ବରୁ ମୌସୁମୀ ଋତୁରେ ବର୍ଷା ହେଉ ନ ହେଉ ଆକାଶ ମେଘାଚ୍ଛନ୍ନ ରହୁଥିଲା। କିନ୍ତୁ ବର୍ତ୍ତମାନ ଏହା ହେଉ ନାହିଁ। ବାୟୁମଣ୍ଡଳରେ ପ୍ରଦୂଷଣ କଣିକା ରହୁଥିବାରୁ ଏହା କୁହୁଡ଼ିରେ ମିଶ୍ରଣ ହେଉଛି। ଫଳରେ ଶୀତ ଦିନରେ ତାପମାତ୍ରା ବୃଦ୍ଧି କରାଉଛି। ସମୁଦ୍ର ପଟୁ ପବନ ହେବା ଦ୍ୱାରା ବାୟୁମଣ୍ଡଳ ଅଧିକ ଜଳୀୟବାଷ୍ପ ଗ୍ରହଣ କରୁଛି ବୋଲି ଡ. ସାହୁ କହିଛନ୍ତି। ପାଣିପାଗର ବିଭିନ୍ନ ନିୟାମକରେ ପରିବର୍ତ୍ତନ ହେତୁ ରାଜ୍ୟକୁ ଘଡ଼ଘଡ଼ି ବଢ଼଼ି ଚାଲିଛି। ୨୦୨୧ ସୁଦ୍ଧା ଓଡ଼ିଶାକୁ ସର୍ବାଧିକ ଥର ବଜ୍ରପାତ ହିଟ୍‍ କରିଛି। ଯାହାଦ୍ୱାରା ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣ ଆଦି ଜନଜୀବନ ପାଇଁ ଆହ୍ୱାନ ହୋଇପଡ଼ିଥିବା ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Leave a comment