ଆଶିଷଙ୍କ ବିଶ୍ୱ ରେକର୍ଡ: ୧୪ ଦିନରେ ହାସଲ କରିଛନ୍ତି ୧ ହଜାରରୁ ଉର୍ଦ୍ଧ୍ବ ଅନଲାଇନ୍ ସାର୍ଟିଫିକେଟ୍

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆଶିଷ ପଲାଇ ଗତ ଲକଡାଉନ ସମୟରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବିଭିନ୍ନ ଅନଲାଇନ କୁଇଜ, ୱେବନାର, ଅନେକ ପ୍ରତିଯୋଗିତା ଏବଂ ବିଭିନ୍ନ ଅନଲାଇନ କୋର୍ସରେ ଭାଗ ନେଇଥିଲେ। ତେବେ ଗତ ସେପ୍ଟେମ୍ବର ମାସ ୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ମାତ୍ର ୧୪ ଦିନ ମଧ୍ୟରେ ୧ ହଜାରୁ ଉର୍ଦ୍ଧ ଅନଲାଇନ ସାର୍ଟିଫିକେଟ ହାସଲ କରିପାରିଛନ୍ତି। ତେଣୁ ଚଳିତ ମାସ ୧୬ ତାରିଖରେ ଆଶିଷ ମାତ୍ର ୧୪ ଦିନ ମଧ୍ୟରେ ଏକ ହଜାରୁ ଉର୍ଦ୍ଧ୍ବ ଅନଲାଇନ ସାର୍ଟିଫିକେଟ ହାସଲ କରିବାରେ ବିଶ୍ୱ ରେକର୍ଡ କରି ନିଜ ନାମକୁ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସରେ ସାମିଲ କରିପାରିଛନ୍ତି।

ଆଶିଷ ସ୍ୱଳ୍ପ ବୟସରେ ମାତ୍ର ୧୪ ଦିନ ମଧ୍ୟରେ ଏଭଳି କୃତିତ୍ୱ ହାସଲ କରିବା ବିରଳ ବୋଲି ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସ ସଂସ୍ଥା ତରଫରୁ କୁହାଯାଇଛି। ସେଥିପାଇଁ ଆଶିଷଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛା ମିଳୁଛି। ତେବେ ଆଶିଷଙ୍କ ବାପା ହେଉଛନ୍ତି ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ଗ୍ରାମର ଆଲୋକ ପଲାଇ ଜଣେ କୃଷକ ଏବଂ ମାଆ କବିତା ପଲାଇ ଜଣେ ଅଙ୍ଗନବାଡି କର୍ମୀ ଅଟନ୍ତି। ଆଶିଷ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶିକ୍ଷା ଲାଭ କରି ସାରିବା ପରେ ଭୁବନେଶ୍ୱର ସ୍ଥିତ ଆଇନଷ୍ଟାଇନ୍‍ କଲେଜରୁ ମେକାନିକାଲରେ ବିଟେକ ଡିଗ୍ରୀ ସଫଳାତାର ସହ ଅର୍ଜନ କରିଛନ୍ତି।

ଆଶିଷଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ସେ ଗୋଟିଏ ସାଧାରଣ ପରିବାରରୁ ଆସି ଛାତ୍ର ଜୀବନରୁ କଠିନ ପରିଶ୍ରମ ତଥା ନିଜର ଦକ୍ଷତା ଓ ଉଦ୍ୟମ ବଳରେ ଏ ଭଳି କୃତିତ୍ୱ ହାସଲ କରି ବିଶ୍ୱରେ ନିଜର ତଥା ନିଜ ଅଞ୍ଚଳ, ରାଜ୍ୟ ଏବଂ ଦେଶର ନାମକୁ ଗର୍ବିତ କରିପାରିଛନ୍ତି। ଏପର୍ଯ୍ଯନ୍ତ ସେ ୧୫ଶହରୁ ଉର୍ଦ୍ଧ ପ୍ରମାଣ ପତ୍ର ପାଇସାରିଛନ୍ତି। ଆଗାମୀ ଭବିଷ୍ୟତରେ ନିଜ ଅଞ୍ଚଳ ତଥା ଦେଶ ପାଇଁ କିଛି ଭଲ କାମ କରି ଗୌରବ ଆଣିବାକୁ ଯୋଜନା ରଖିଥିବା ଆଶିଷ କହିଛନ୍ତି।

Leave a comment