ଜୟନାରାୟଣ ‘5T’କୁ ଧରି ପାକିସ୍ତାନରେ ପହଞ୍ଚିଗଲେଣି, ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ? : ଅରୁଣ ସାହୁ

ଭୁବନେଶ୍ବର : ବାରମ୍ବାର ୫-ଟିକୁ ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ‘୫-ଟି’ କେବଳ ଏକ ଉପକ୍ରମ ନୁହେଁ, ସାଧାରଣ ଲୋକଙ୍କ ପାଇଁ ଏହା ଏବେ ବିଶ୍ୱାସର ପ୍ରତୀକ ପାଲଟିଛି। ପ୍ରଶାସନରେ ସ୍ୱଚ୍ଛତା, ଦୁର୍ନୀତିରେ ଅଙ୍କୁଶ, ସାଧାରଣ ଲୋକଙ୍କ ସେବାକୁ ‘୫-ଟି’ ସୁନିଶ୍ଚିତ କରିଛି ଏବଂ ରାଜ୍ୟର ରୂପାନ୍ତରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ସାଧାରଣ ଲୋକ ‘୫-ଟି’ର ଗୁରୁତ୍ୱକୁ ବୁଝି ପାରିଛନ୍ତି; ଏହା ଦ୍ୱାରା ଉପକୃତ ହୋଇ ପାରୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ବିରୋଧୀଦଳ ନେତାଙ୍କ ପାଇଁ ‘୫-ଟି’ ଏବେ ବି ଅବୋଧ୍ୟ।

ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉ ଛନ୍ତି ଯାହା କି ହାସ୍ୟାସ୍ପଦ ୫-ଟି କଣ ତାହା ବୁଝିଛନ୍ତି ବିରୋଧୀ ଦଳ ନେତା । କିନ୍ତୁ ବୁଝି ଅବୁଝା ହେଉଛନ୍ତି । ସେ ବୁଝିବା ପରି ଲାଗୁଛି ।ଯଦି ଓଡ଼ିଶାର କୌଣସି ଗାଁ କୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ ସେଇଟା ହିଁ ୫-ଟି । ବିରୋଧୀ ଦଳ ନେତା ୫-ଟି କୁ ଧରି ଓଡ଼ିଶାରୁ ପାକିସ୍ତାନରେ ପହଞ୍ଚିଗଲେଣି। ପାକିସ୍ତାନ ନଯାଇ ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝି ପାରିବେ ୫-ଟି କଣ ବୋଲି ଅରୁଣ ସାହୁ କହିଛନ୍ତି।

ବିରୋଧୀ ଦଳ ନେତା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ। ଜୟନାରାୟଣ ୫-ଟି ସ୍କୁଲରେ ଲଗାଯାଉଥିବା ସବୁଜ ରଙ୍ଗକୁ ନେଇ ମଧ୍ୟ ପଶ୍ନ କରିବାକୁ ହାସ୍ୟସ୍ପଦ ବୋଲି କହି ଅରୁଣ କହିଛନ୍ତି ଜାତୀୟ ପତାକାରେ ମଧ୍ୟ ସବୁଜ ରଙ୍ଗ ଅଛି। ଆହୁରି ମଧ୍ୟ ଯଦି ସବୁଜ ରଙ୍ଗ ଜୟନାରାୟଣ ମିଶ୍ରଙ୍କ ସବୁଜ ରଙ୍ଗ ଭଲ ଲାଗୁନାହିଁ,ତେବେ ପନିପରିବା ବି ଖାଇବା ଛାଡି ଦିଅନ୍ତୁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସିକି ୫-ଟି କୁ ଅନୁକରଣ କରୁଛନ୍ତି । ତାଙ୍କୁ ୫-ଟି ଭୂତ ଲାଗିଛି। ୫-ଟି ହେଉଛି ଏକ ଚିନ୍ତା ଧାରା, ଏକ ବିଚାର ଧାରା । ସବୁଠି ୫-ଟି ଜରିଆରେ ସ୍କୁଲର ରୂପାନ୍ତରଣ ହେଉଛି, ସବୁ ନିର୍ବାଚନ ମଣ୍ଡଳୀରେ ହେଉଛି ବୋଲି ଅରୁଣ କହିଛନ୍ତି।

ଅନ୍ୟପଟେ ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରଶ୍ନକୁ ନେଇ ମଧ୍ୟ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କଟାକ୍ଷ କରି କହିଥିଲେ ଯେ ସେ ସତରେ ୫ଟି ସମ୍ପର୍କରେ ଜାଣନ୍ତି ନାହିଁ ନା ସବୁ ଜାଣିଶୁଣି ଅବୁଝା ଥିବା ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି। ବିରୋଧୀଦଳ ନେତାଙ୍କ ତଥାକଥିତ ଅଜ୍ଞତାକୁ କଟାକ୍ଷ କରିବା ସହ ‘୫-ଟି’କୁ ସୁଶାସନର ମହାମନ୍ତ୍ର ବୋଲି ଅଭିହିତ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି।ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେବଳ ସ୍ୱପ୍ନ ଦେଖିନାହାନ୍ତି; ରାଜ୍ୟକୁ ଦେଶର ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅବିରତ ଉଦ୍ୟମ କରୁଛନ୍ତି। ‘୫-ଟି’ ହେଉଛି ଏହାର ଅଂଶବିଶେଷ। ଟିମ୍‌‌ ୱାର୍କ, ଟେକ୍‌‌ନୋଲୋଜି, ଟାଇମ୍‌‌, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ‘୫-ଟି’ କୁ ଆଧାର କରି ଓଡ଼ିଶାର ଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ସମ୍ଭବ ହୋଇ ପାରିଛି, ପରିଣତିସ୍ୱରୂପ ଓଡ଼ିଶାରେ ନବ ରୂପାନ୍ତରଣ ସୃଷ୍ଟି ହୋଇଛି। ସାମଗ୍ରିକ ବିକାଶ ଉଦ୍ଦେଶ୍ୟକୁ ସୁନିଶ୍ଚିତିକରଣ କରାଯାଉଛି। ୫-ଟିକୁ ନିଜ କାର୍ଯ୍ୟକ୍ଷେତ୍ରରେ ସୁନିଶ୍ଚିତ କରିବା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ କରି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିକଳ୍ପେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ସର୍ବଦା ପରାମର୍ଶ ଦେଇ ଆସିଛନ୍ତି।

ପ୍ରଶାସନ ପରିଚାଳନା ଓ ସେବା ପ୍ରଦାନରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ୫-ଟି। ତେଣୁ ଏହାର କାର୍ଯ୍ୟଦକ୍ଷତା ସଂକ୍ରାନ୍ତରେ ହାସ୍ୟାସ୍ପଦ ପ୍ରଶ୍ନକୁ କଟାକ୍ଷ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି। ସେ କହିଛନ୍ତି ଯେ ରାଜ୍ୟରେ ରୂପାନ୍ତରଣ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ପରିକଳ୍ପନା କରିଥିଲେ ତାହାର ବାସ୍ତବ ରୂପ ହେଉଛି ୫-ଟି। ଏବେ ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ମହାମନ୍ତ୍ରରେ ପରିଣତ ହୋଇଛି। ଗାଁରେ ରହୁଥିବା ଲୋକଟିଏ ସରକାରୀ ସେବାରୁ ବଞ୍ଚିତ ହେଲେ, କିଛି ସମସ୍ୟା ଭୋଗିଲେ ସିଧାସଳଖ ୫-ଟିଙ୍କୁ ଯୋଗାଯୋଗ କରି ଅଭିଯୋଗ ଜଣାଉଛନ୍ତି ଆଉ ତାହାର ତୁରନ୍ତ ସମାଧାନ ହେଉଛି। ସବୁ ସରକାରୀ କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ରାଜ୍ୟର ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିଛି। ପ୍ରଶାସନିକ ବ୍ୟବସ୍ଥାକୁ ଚଳଚଞ୍ଚଳ କରିଛି। ଏପରିକି ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ୫-ଟିଙ୍କୁ ସମ୍ବୋଧିତ କରୁଛନ୍ତି। ସରକାରୀ ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ପାଇଁ ଏହା କେତେ ଜରୁରୀ ଏଥିରୁ ବୁଝା ପଡୁଛି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

Leave a comment