ବଦଳିଲା ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାର ନିୟମ, ଜାଣନ୍ତୁ ନୂଆ ନିୟମ କ‘ଣ…..

ନୂଆଦିଲ୍ଲୀ : ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଘୋଷଣା କରାଯାଇଛି। ବର୍ତ୍ତମାନ ଯେଉଁ ପ୍ରାର୍ଥୀମାନେ ଅଗ୍ନିବୀର ଅଧୀନରେ ସେନାରେ ଯୋଗଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ପ୍ରଥମେ ଅନ୍ଲାଇନ୍ରେ କମନ୍ ଏଣ୍ଟ୍ରାସ୍ ପରିକ୍ଷା (CEE) ଦେବାକୁ ପଡିବ। ଏହା ପରେ ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ହେବ। ଅଗ୍ନିବୀର ନିଯୁକ୍ତି ପଦ୍ଧତିର ପରିବର୍ତ୍ତନ ନେଇ ସେନା ପକ୍ଷରୁ ବିଜ୍ଞାପନ ଦିଆଯାଉଛି । ଫେବୃଆରୀ ମଧ୍ୟଭାଗରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଶନିବାର ସୂଚନା ମିଳିଛି।
ପ୍ରଥମ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ଏପ୍ରିଲରେ ଅନୁଷ୍ଠିତ ହେବ
ଏକ ଉଚ୍ଚ ସ୍ତରୀୟ ସେନା ସୂତ୍ରରୁ ପ୍ରକାଶ ଯେ ଏପ୍ରିଲରେ ପ୍ରଥମ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ) କରାଯିବ। ଦେଶର ପ୍ରାୟ ୨୦୦ଟି ସ୍ଥାନରେ ସାଧାରଣ ପ୍ରବେଶିକା ପରୀକ୍ଷା କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଅନ୍ଲାଇନ୍ରେ କମନ୍ ଏଣ୍ଟ୍ରାସ୍ ପରିକ୍ଷା ଅଗ୍ନିବୀର ଚୟନ ସମୟରେ ଜ୍ଞାନଗତ ଦିଗ ଉପରେ ଅଧିକ ଧ୍ୟାନ ନିଶ୍ଚିତ କରିବ। ଏହା ଦ୍ବାରା ନିଯୁକ୍ତି ରାଲିରେ ଦେଖାଯାଇଥିବା ପ୍ରବଳ ଭିଡକୁ ମଧ୍ୟ ହ୍ରାସ କରାଯାଇପାରିବ। ଯେଉଁମାନେ ଅନ୍ଲାଇନ୍ରେ କମନ୍ ଏଣ୍ଟ୍ରାସ୍ ପରିକ୍ଷା ପାସ୍ ହେବେ ସେମାନେ ହିଁ ଅଗ୍ନିବୀର ନିଯୁକ୍ତି ରାଲିରେ ଭାଗ ନେଇପାରିବେ।
ମିଳିଥିବା ସୂଚନା ଅନୁସାରେ ଭାରତୀୟ ସ୍ଥଳସେନାର ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ସେପଟେ ଅଗ୍ନିବୀରମାନେ ସ୍ଥଳସେନାର ୪ ଟି ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଜେନରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମ୍ୟାନ ଭାବେ ୪ ଟି ବିଭାଗ ରଖା ଯାଇଛି । ତେବେ ଏବେ ପରିବର୍ତ୍ତନ କରାଯାଇଥିବା ନିଯୁକ୍ତି ପ୍ରକ୍ରିୟାରେ ଅନୁସାରେ ଅଗ୍ନିବୀର ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ପ୍ରଥମେ ଅନଲାଇନ୍ କମନ୍ ପ୍ରବେଶିକା ପରୀକ୍ଷା (CEE) ଦେବାକୁ ପଡିବ। ଏଥିରେ ପାସ୍ ହେଲେ ଫିଜିକାଲ୍ ଫିଟନେସ୍ ଟେଷ୍ଟ ଏବଂ ଶେଷରେ ମେଡିକାଲ ଟେଷ୍ଟ କରାଯିବ।