ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁରରେ ବିଜେପି ପାଇଁ ଟଙ୍କା ବାଣ୍ଟୁଛନ୍ତି ‘ଅର୍ଗସ ଟିଭି’ ପ୍ରତିନିଧି, ସିଇଓଙ୍କ ନିକଟରେ ଫେରାଦ୍‌ ହେଲା ବିଜେଡି

ଭୁବନେଶ୍ବର : ଭୋଟ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ପ୍ରଲୋଭିତ କରିବାକୁ ବିଜେପି ନେତାଙ୍କ ଉଦ୍ୟମ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା, ଆଚରଣବିଧିକୁ ଉଲ୍ଲଙ୍ଘନ କରିନାହିଁ; ପକ୍ଷାନ୍ତରେ ବିରୋଧୀ ପ୍ରାର୍ଥୀ, ସାଧାରଣ ଜନତା ଓ ମହିଳାମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିଛି। ହିଂସାକାଣ୍ଡ, ଅଶାଳୀନ ବ୍ୟବହାର, ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ପରେ ଟଙ୍କା ବାଣ୍ଟି ଭୋଟ ଗୋଟାଇବାକୁ ବିଜେପି ପୁରା ଦମ୍‍ ଲଗାଇ ଦେଇଛି।

କେବଳ ବିଜେପି ନେତା ନୁହନ୍ତି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଛି । ଅର୍ଗସ ଟିଭିର ଟିମ୍ ପଦମପୁରରେ ଡେରା ପକାଇ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଅର୍ଗସ ଟିଭିର ଟିମ୍ ସ୍ଥାନୀୟ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ବିଜେଡି ଅଭିଯୋଗ କରିଛି। ଆଜି ଭୋଟ୍‌ ଚାଲିଥିବା ଅର୍ଗସ ଟିଭିର ପ୍ରତିନିଧି ଟଙ୍କା ବଣ୍ଟୁଥିବା ଅଭିଯୋଗ ନେଇ ବିଜେଡି ପ୍ରତିନିଧି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ବିଜେଡି ସିଇଓଙ୍କୁ ଅଭିଯୋଗ ଦେବା ସହ ଅର୍ଗସ ଟିଭିର ପ୍ରତିନିଧି ଟଙ୍କା ବଣ୍ଟୁଥିବାର ଏକ ଭିଡିଓ ଫୁଟେଜ୍‌ ମଧ୍ୟ ଦେଇଛନ୍ତି।

କେବଳ ଏତିକି ନୁହେଁ ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ସ୍ଥାନୀୟ ଲୋକଙ୍କୁ ୩୦୦ ଲେଖାଏଁ ଟଙ୍କା ବାଣ୍ଟିବା ବେଳେ ଲୋକ ଅଟକ ରଖି ପୁଲିସରେ ଜିମା ଦେଇଛନ୍ତି। ଅନ୍ୟପଟେ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଛନ୍ତି ବିଜେପି କାଉନସିଲର ଚିନ୍ମୟ ପଣ୍ଡା । ବୁଥରେ ଥିବା ଭୋଟର ଚିନ୍ମୟଙ୍କୁ ଧରି ଦେଲେ ପୁଲିସ ଜିମା । ଏମିତି ଘଟଣା ଘଟିଛି ପଦମପୁର ୯ ନମ୍ବର ଓ୍ବାର୍ଡ ଚନ୍ଦ୍ରାବତୀ ସ୍କୁଲ ବୁଥରେ । ବୁଥ୍‌ ପରିସରରେ ଲାଇନରେ ଥିବା ମହିଳାଙ୍କୁ ଚିନ୍ମୟ ଟଙ୍କା ବାଣ୍ଟୁଥିବା ଲୋକେ ଦେଖି ପୁଲିସ ଜିମା ଦେଇଛନ୍ତି ।

ଚାରିଚାରିଜଣ କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦ, ବିଧାୟକ ଏବଂ ପଡ଼ୋଶୀ ଛତିଶଗଡ଼ର ନେତା ଓ ଗୁଣ୍ଡାଙ୍କୁ ବ୍ୟବହାର କରି ବିଜେପି ପଦ୍ମପୁରରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚେଷ୍ଟା ଚଳାଇଛି। ସାମ୍ବାଦିକ ଓ ଜନସାଧାରଣଙ୍କୁ ମାଡ଼ ମାରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛି। ଆକ୍ରମଣରେ ଆହତ ଦୁଇ ସାମ୍ବାଦିକ ଓ ଗୁରୁତର ଆହତ ସଞ୍ଜୁ ବରିହା ନାମକ ଜଣେ ବିଜେଡି ସମର୍ଥକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଜେପିର ଦୁଇ ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ବିରୋଧରେ ଜାତିସୂଚକ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି। ତାଙ୍କର ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରି ଜାତି ରାଜନୀତି ଆରମ୍ଭ କରିଛନ୍ତି।

ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶ ପରେ ପଦ୍ମପୁରରେ ମଉଳିବା ଆରମ୍ଭ କରିଛି ବିଜେପିର ଆଶା। ଏହାପରେ ଦଳ ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଜଣ ପିଛା ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବାଣ୍ଟିବା ଆରମ୍ଭ କରିଛି। ପେଟିଏମ୍‍, ଗୁଗୁଲ ପେ, ଫୋନ୍‍ ପେ ଜରିଆରେ ଭୋଟରଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିବା ଅଭିଯୋଗ ହୋଇଛି। ଏପରିକି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭୋଟରଙ୍କୁ ଟଙ୍କା ବାଣ୍ଟିବାକୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଭାଇ ଅନ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପ୍ରମାଣ ମିଳିଛି ଏବଂ ତାଙ୍କ ପତ୍ନୀ ଓ ମାଉସୀ ଟଙ୍କା ବାଣ୍ଟୁଥିବା ମଧ୍ୟ ଅଭିଯୋଗ ହୋଇଛି। ଟଙ୍କା ବାଣ୍ଟିବା ବେଳେ ବିଜେପିର ଜଣେ ପୂର୍ବତନ ମନ୍ତ୍ରୀ ଧରାପଡ଼ିଛନ୍ତି। ତାଙ୍କ ଗାଡ଼ିକୁ ପୁଲିସ ଜବତ କରିଛି ଓ ତାଙ୍କୁ ଅଞ୍ଚଳ ପରିସରରୁ ବାହାର କରି ଦିଆଯାଇଛି। ପ୍ରଦୀପଙ୍କ ଜଣେ ସହଯୋଗୀ ୟୁପିଆଇ ଜରିଆରେ ଟଙ୍କା ବାଣ୍ଟି ଗିରଫ ହୋଇଛନ୍ତି।

ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.