ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ଲଜିଷ୍ଟିକ କାର୍ଯ୍ୟ ଯୋଜନାକୁ କ୍ଷମତା ସଂପନ୍ନ କମିଟି ବୈଠକରେ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନ ବିକାଶ ଦିଗରେ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟ ଲଜିଷ୍ଟିକ୍ କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ଷମତା ସଂପନ୍ନ କମିଟି ବୈଠକରେ ଅନୁମୋଦନ କରାଯାଇଛି । ଲୋକସେବା ଭବନରୁ ଭର୍ଚୁଆଲ ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ ପ୍ରକଳ୍ପ ନିର୍ଦ୍ଧାରଣ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କରୁ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦ୍ୱୀପ, ଝାରସୁଗୁଡ଼ା ଓ ରାୟଗଡ଼ା ଶିଳ୍ପାଞ୍ଚଳରୁ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ ନେଇ ଗୋଟିଏ ବୈଷୟିକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦୮.୬୭ କୋଟି ଟଙ୍କା ଆକଳନରେ ୧୮ଟି ପ୍ରକଳ୍ପ ସୁପାରିଶ କରିଛନ୍ତି ।

ସଡ଼କ ଯୋଗାଯୋଗ, ବାହ୍ୟ ଜଳଯୋଗାଣ ଏବଂ ଭଣ୍ଡାର ଘର ନିର୍ମାଣ ଆଦି ପ୍ରକଳ୍ପକୁ ବୈଠକରେ ଅନୁମୋଦନ କରାଯାଇଥିଲା । ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ଇଡକୋର ୩୦୨.୯୫ କୋଟି ଟଙ୍କା ଆକଳନରେ ୧୨ ଟି ପ୍ରକଳ୍ପ, ପୂର୍ତ୍ତ ବିଭାଗର ୩୮୬.୬୪ କୋଟି ଟଙ୍କା ଆକଳନରେ ୪ଟି ପ୍ରକଳ୍ପ ଏବଂ ଓଡ଼ିଶା ରାଜ୍ୟ ଓୟାର ହାଉସିଂ ନିଗମର ୧୯.୦୮ କୋଟି ଟଙ୍କା ଆକଳନରେ ୨ଟି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ ମୁଖ୍ୟତଃ କଳାହାଣ୍ଡି, ଯାଜପୁର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନବରଙ୍ଗପୁର, ଢେଙ୍କାନାଳ, ପୁରୀ ଆଦି ଜିଲ୍ଲା ସହ ରାଜ୍ୟ ଓୟାର ହାଉସିଂ ନିଗମର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବ ।

ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକୁ ବିଚାର କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ହୋଇଥିବାରୁ ପୁଞ୍ଜି ନିବେଶ ନିମନ୍ତେ ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ସ୍କିମରେ ଅନ୍ତର୍ଭୁକ୍ତ ହୋଇପାରିବ । ଏଥିନିମନ୍ତେ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି-ଶକ୍ତି ପୋର୍ଟାଲରେ ଅପଲୋଡ୍ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.