ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅସାମାଜିକଙ୍କୁ ସୁହାଉଛି ସାମାଜିକ ଗଣମାଧ୍ୟମ: ୟୁ-ଟ୍ୟୁବ୍‍ରୁ ଶିଖୁଛନ୍ତି ଲୁଟ୍‌ର ନୂଆ ତରିକା ଏବଂ ହତ୍ୟାର ପ୍ରମାଣ ନଷ୍ଟ କରିବାର ଶୈଳୀ

ଭୁବନେଶ୍ୱର : ଆଜିର ଅତ୍ୟାଧୁନିକ ଜୀବନ ଶୈଳୀରେ ନୂଆ ମାଗଦର୍ଶନର ଭଣ୍ଡାର ସାଜିଛି ସାମାଜିକ ଗଣମାଧ୍ୟମ। ୟୁଟ୍ୟୁବ୍‍ ବିଭିନ୍ନ କଳାକୃତି ଦେଖି କିଏ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହେଉଛି ତ ଆଉ କିଏ ୟୁଟ୍ୟୁବ୍‍ରୁ ପାଠପଢ଼଼ି ଉଚ୍ଚଶିକ୍ଷିତ ହେଉଛି। କରୋନା ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼଼ାରେ ଏକମାତ୍ର ଭରଷା ୟୁଟ୍ୟୁବ୍‍। କିନ୍ତୁ କିଛି ବ୍ୟକ୍ତି ସାମାଜିକ ଗଣମାଧ୍ୟମରୁ ଦେଖି ଏଟିଏମ୍‍ ଲୁଟିବା, ବୋମା, ବନ୍ଧୁକ ଆଦି ପ୍ରସ୍ତୁତ କରିବା ଏବେ ନୂଆ ଟ୍ରେଣ୍ଡ୍‍ ଦେଖାଯାଉଛି। ୟୁ-ଟ୍ୟୁବରୁ କିଏ ଭଲ ଶିକ୍ଷା ଗ୍ରହଣ କରୁଛି ତ ଆଉ ଅନେକ ଏହାର ଦୂରୁପଯୋଗ କରି ଅପରାଧର ନୂଆ ତରିକା ଶିକ୍ଷାପଥ ଭାବେ ଆପଣାଇ ନେଇଛନ୍ତି। କେବଳ ଚୋରି ଲୁଟ୍‍ପାଟ୍‍ ନୁହେଁ ବରଂ ହତ୍ୟା କରି ପ୍ରମାଣ ନଷ୍ଟ କରି ଖସିଯିବାର ବାଟ ବି ସାଜୁଛି। ଯାହାକି ଆଗାମୀ ଯୁବପିଢ଼ିଙ୍କୁ ବିପଦ ମୁହଁକୁ ଠେଲିବାର ସମ୍ଭାବନା ରହିଛି।

ଜ୍ଞାନକୌଶଳ ବଦଳିବା ସହ ତାଳ ଦେଇ ଅଗ୍ରଗତି କରୁଛି ଭୁବନେଶ୍ୱର। ପୁଲିସ ଓ ତଦନ୍ତକାରୀ ସଂସ୍ଥା ଡାଳେ ଡାଳେ ଗଲେ ଅଭିଯୁକ୍ତ ପତ୍ରେ ପତ୍ରେ ଯାଉଛନ୍ତି। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ଓଟିଟି ପ୍ଲାଟ୍‍ଫର୍ମରେ ଏକାଧିକ ୱେବ୍‍ସିରିଜ୍‍ ରହିଛି। ଯେଉଁଥରେ ହତ୍ୟା କରିବା ପରେ କେମିତି ମୃତଦେହକୁ ନଷ୍ଟ କରିବେ ସେଗୁଡ଼ିକ ଦୃଶ୍ୟ ଦେଖାଯାଉଛି। ଖାଲି ୱେବ୍‍ସିରିଜ୍‍ ନୁହେଁ ବରଂ ହିନ୍ଦୀ ଓ ତେଲୁଗୁର କିଛି ଚଳଚ୍ଚିତ୍ରରେ ମଧ୍ୟ ହତ୍ୟା କରିବା ପରେ ପ୍ରମାଣ ନଷ୍ଟର ଶୈଳୀ ରହିଛି। ଏହାକୁ ଦେଖି କିଛି ଅପରାଧ ଘଟୁଥିବାର ଅଭିଯୋଗ ମଧ୍ୟ ରହିଛି। ନୂଆ ଜ୍ଞାନକୌଶଳ ସହ ତାଳ ଦେଇ ଟଙ୍କା ଲୁଟିବାର ଫଣ୍ଡା ଆପଣେଇଛନ୍ତି। ୟୁ-ଟ୍ୟୁବ୍‍, ଅପରାଧ ବିଷୟ ବସ୍ତୁ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ଦେଖି ଟଙ୍କା ଲୁଟ୍‍ ଲାଗି ଯୋଜନା କରୁଛନ୍ତି।

ଏଇ ସପ୍ତାହରେ ୟୁ-ଟ୍ୟୁବ୍‍ରୁ ଦେଖି ବାପ-ନାବାଳକ ପୁଅ ଏଟିଏମ୍‍ ଲୁଟିର ଯୋଜନା କରିଥିଲେ। ନୂଆପଲ୍ଲୀ ଥାନା ଡିଏଭି ପବ୍ଲିକ ସ୍କୁଲ ନିକଟ ଏଟିଏମ୍‍ରୁ ଗ୍ୟାସ କଟର ସହାୟତା ଏଟିଏମ୍‍ କାଟୁଥିବା ବେଳେ ଧରାପଡ଼ିଥିଲେ ବାପ ଓ ନାବାଳକ ପୁଅ। ତେବେ ସେମାନଙ୍କୁ ପୁଲିସ ଗିରଫ କରିବା ସହ ଫୋନ୍‍ ଜବତ କରିଥିଲା। ତେବେ ସେମାନଙ୍କ ମୋବାଇଲ୍‍ ଯାଞ୍ଚ କରିବା ପରେ ପଦାକୁ ଆସିଥିଲା ସାଂଘାତିକ ସତ। ସେଭଳି ପଟିଆ ରେଳଷ୍ଟେସନ ନିକଟରେ ଥିବା ଏକ ବ୍ୟାଙ୍କ ଏଟିଏମ୍‍ରୁ ୟୁଟ୍ୟୁବ୍‍ ଦେଖି ଏଟିଏମ୍‍ ମେସିନ୍‍ କାଟି ପ୍ରାୟ ୨୭ ଲକ୍ଷ ଟଙ୍କା ନେଇଯାଇଥିଲେ। ସେହିପରି ସହିଦନଗର ଅଞ୍ଚଳରୁ ୟୁଟ୍ୟୁବ୍‍ରୁ ଦେଖି ଏଟିଏମ୍‍ରୁ ଲୁଟୁଥିବା ବେଳେ ଉତ୍ତରପ୍ରଦେଶ ୪ଯୁବକଙ୍କୁ ପୁଲିସ ଗିରଫ କରିଥିବା ବେଳେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ବଢ଼େଇବାଙ୍କ ଛକରେ ଥିବା ଏକ ଏଟିଏମ୍‍ରୁ ନୂଆଧରଣରେ ଟଙ୍କା ଲୁଟୁଥିବା ହରିୟାଣା ୩ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ସେପଟେ ନକଲି ସ୍କ୍ରିନ୍‍ସଟ୍‍ ଦେଖାଇ ସୁନା ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା ମୁମ୍ବାଇର ରାଜୀବ ପ୍ରଭାସ ଗୁପ୍ତା ଓ ବିଶାଲ ରାଜକୁମାର ଲେଲେଙ୍ଗା ମଧ୍ୟ ୟୁ-ଟ୍ୟୁବ୍‍ ଦେଖି ନକଲି ସ୍କ୍ରିନ୍‍ସଟ୍‍ କରି ଲୁଟୁଥିଲେ।

ଅନ୍ୟପକ୍ଷରେ ଚର୍ଚ୍ଚିତ ଚନ୍ଦକା କଟାମୁଣ୍ଡ ଘଟଣା ବି ସମାନ। ମହିଳାଙ୍କୁ ହତ୍ୟା କରିବା ପରେ ଚଳଚ୍ଚିତ୍ର ଦେଖି ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ଫୋପାଡ଼ି ଦେଇଥିଲେ। ମହିଳାଙ୍କ ଚିହ୍ନଟ କରିବା ସହ ଅଭିଯୁକ୍ତଙ୍କୁ ଠାବ କରିବାରେ ପୁଲିସକୁ ନାକେଦମ୍‍ ହେବାକୁ ପଡ଼ିଥିଲା। ଭରତପୁର ଥାନା ଅଞ୍ଚଳରେ ମହିଳାଙ୍କୁ ହତ୍ୟା କରିବା ପରେ ଘର ଭିତରେ ମୃତଦେହକୁ ରଖିବା ସହ ପଦାକୁ ଯେମିତି ଦୁର୍ଗନ୍ଧ ନ ହେବ ୟୁ-ଟ୍ୟୁବ୍‍ରୁ ଦେଖି ବଜାରରୁ କେମିକାଲ ଆଣି ଢାଳି ଦେଇଥିଲା ଅଭିଯୁକ୍ତ। ସେଭଳି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ଯୁବକ ବ୍ୟାଙ୍କ୍‍ ଡକାୟତି ଲାଗି ୟୁ-ଟ୍ୟୁବ୍‍ ଦେଖିଥିଲେ। ୟୁ-ଟ୍ୟୁବ୍‍ରେ ଦୁଇଟି ବ୍ୟାଙ୍କ ଡକାୟତି କରାଯାଉଥିବାର ଏକ ଚଳଚ୍ଚିତ୍ର ଦେଖି ବନ୍ଧୁକ ମୂନରେ ସୁରକ୍ଷାକର୍ମୀଙ୍କୁ ଭୟଭୀତ କରି ଲକ୍ଷାଧିିକ ଟଙ୍କା ଲୁଟିନେଇଥିଲା। ସେପରି ଖଣ୍ଡଗିରି ଥାନା ଓୟୁଏଟି କଲୋନୀର ଜଣେ ବ୍ୟକ୍ତି ଯୁବକ ୟୁଟ୍ୟୁବ୍‍ରେ ବନ୍ଧୁକ ତିଆରି କରିବାର ଶୌଳୀ ଦେଖି ମେସିନ ସହାୟତାରେ ବନ୍ଧୁକ ଗଢ଼ୁଥିଲେ। ତେବେ ଏହି ସମସ୍ତ ଘଟଣାରେ ଯୁବପିଢ଼ିଙ୍କ ଅଧିକ ସଂଶ୍ଲିଷ୍ଟ ରହିଛି।ସେହିପରି ସୋସିଆଲ୍‍ ମିଡିଆ ଏବଂ ଅପରାଧିକ ଚଳଚ୍ଚିତ୍ରରୁ ଅପରାଧ କରିବାର ଶୈଳୀ ଦେଖି ଅସାମାଜିକ ବ୍ୟକ୍ତିବିଶେଷ ଅପରାଧ ଘଟାଉଛନ୍ତି। ସେମାନଙ୍କୁ ପୁଲିସ ଠାବ କରିବାରେ ବାଟବଣା ହୋଇଯାଉଛି। ତେବେ ସୋସିଆଲ୍‍ ମିଡିଆକୁ ସୁଦୁପଯୋଗ କରି ଉତ୍ତମ କାର୍ଯ୍ୟରେ ଲଗାଇବାକୁ ଲାଗି ସମସ୍ତ ଜନସାଧାରଣଙ୍କୁ ପୁଲିସ ପରାମର୍ଶ ଦେଇଛି।

Leave A Reply

Your email address will not be published.