ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାକୁ କେନ୍ଦ୍ର ଅବହେଳାର ଆଉ ଏକ ନମୁନା, ୧୭ ଅଧ୍ୟାପକରେ ଚାଲିଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

କୋରାପୁଟ : ଅନୁନ୍ନତ ପଛୁଆ  ଅଞ୍ଚଳ ଭାବେ ପରିଚିତ ଆଦିବାସୀ ବହୁଳ କଳାହାଣ୍ଡି-ବଲାଙ୍ଗିର-କୋରାପୁଟ(କେବିକେ) ଜିଲ୍ଲାରେ ଶିକ୍ଷାର ବିକାଶ ଓ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କୁ କମ ଖର୍ଚ୍ଚରେ ଉଚ୍ଚଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୦୯ ମସିହାରେ ତତ୍କାଳୀନ ୟୁପିଏ ସରକାର କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନା କରିଥିଲେ। କୋରାପୁଟ ଭଳି ଏକ ଉପାନ୍ତ ଜିଲ୍ଲାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ସରକାର ଘୋଷଣା କରିବା ମାତ୍ରେ ସ୍ଥାନୀୟ ଅଞ୍ଚଳ ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଖୁସିର ଲହର ଦେଖିବାକୁ ମିଳିଥିଲା। ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା କେବିକେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନୂଆ ଆଶା ସଞ୍ଚାର କରିଥିଲା। ହେଲେ ବିଡ଼ମ୍ବନାର ବିଷୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ୧୩ ବର୍ଷ ପରେ ମଧ୍ୟ ନାନା ସମସ୍ୟା ଭିତରେ ବୁଡ଼ି ରହିଛି। ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି କିନ୍ତୁ ଆଶାନୁଯାୟୀ ଫଳ ପାଇ ନ ପାରି ନିରାଶ ହେଉଛନ୍ତି।

ଏପରିକି ବର୍ତ୍ତମାନ ଦୀର୍ଘ ଆଠ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ବିଶ୍ୱବିଦ୍ୟାଳୟର ସ୍ଥାୟୀ କୁଳପତି ନ ଥିବା କେନ୍ଦ୍ର ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠିଛି। ୨୦୨୧ ଜୁଲାଇରେ ତତ୍କାଳୀନ କୁଳପତି ପ୍ରଫେସର ଆଇ.ରାମାବ୍ରହ୍ମମଙ୍କ  ଅକାଳ ବିୟୋଗ ପରେ ଭାରତ ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଆଉ କୁଳପତି ନିଯୁକ୍ତି ଦେଇ ନଥିବା ବେଳେ ବରିଷ୍ଠ ପ୍ରଫେସର ଶତର କୁମାର ପାଲିତା ସେହିଦିନରୁ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବା ସତ୍ତ୍ବେ କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟ ପ୍ରତି ଗୁରୁତ୍ୱ ଦେଉନଥିବା ମନେ ହେଉଛି। ସୁନାବେଡ଼ାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ସୁନାବେଡ଼ା ପୌର ପରିଷଦ ଅଧୀନ ଚିକାପାର ଓ ଚକର୍ଲିପୁଟ ରାଜସ୍ୱ ଗ୍ରାମର କୋଟି କୋଟି ଟଙ୍କା ମୂଲ୍ୟର ୪୫୦.୦୯ ଏକର ଜମି ଦେଇଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ଆବଶ୍ୟକତା ଅନୁଯାୟୀ ସମସ୍ତ ସହଯୋଗ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଛି। ହେଲେ କେନ୍ଦ୍ର ସରକାର କେବିକେ ଅଞ୍ଚଳର ଏକ ପ୍ରମୁଖ ଶିକ୍ଷା ଅନୁଷ୍ଠାନ ପ୍ରତି ଯେଭଳି ଗୁରୁତ୍ବ ଦେବା କଥା ସେଭଳି ଦିଆ ଯାଉନଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି।

ସୂଚନା ଥାଉକି, ୨୦୦୯ରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ  ୨୦ଟି ବିଷୟରେ ଶିକ୍ଷାଦାନ କରିବାକୁ ୟୁଜିସି  ଅନୁମୋଦନ କରିଥିଲେ ମଧ୍ୟ  ଅଧ୍ୟାପକ ଅଭାବ ହେତୁ ବର୍ତ୍ତମାନ ସୁଦ୍ଧା  ୭ଟି ବିଭାଗର ୧୪ଟି ବିଷୟରେ ଶିକ୍ଷାଦାନ କରାଯାଉଛି। ଶିକ୍ଷାଦାନ ବିଷୟ ଗୁଡ଼ିକ ମଧ୍ୟରେ ସ୍‌ୁଲ ଅଫ୍ ଲାଙ୍ଗୁଏଜ୍ ଅଧୀନରେ ଇଂରାଜୀ, ଓଡ଼ିଆ, ହିନ୍ଦୀ ଓ ସଂସ୍କୃତ ଭାଷା ରହିଥିବା ବେଳେ ସ୍କୁଲ ଅଫ୍ ସୋସିଆଲ୍ ସାଇନ୍ସ ବିଭାଗ  ଅଧୀନରେ ଆନ୍ଥ୍ରୋପଲୋଜି, ସୋସିଓଲୋଜି ଓ ଇକୋନୋମିକ୍ସ ରହିଛି। ସେହିପରି ସ୍କୁଲ୍ ଅଫ୍ ଏଜୁକେଶନ୍ ଆଣ୍ଡ ଏଡୁକେଶନ ଟେକ୍ନୋଲଜି ବିଭାଗ ଅଧୀନରେ ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ୍ ଓ ଏଡୁକେସନ୍ ବିଷୟ ରହିଥିବା ବେଳେ ସ୍କୁଲ୍ ଅଫ୍ ବେସିକ ସାଇନ୍ସ ଏଣ୍ଡ ଇନଫରମେସନ୍ ବିଭାଗ ଅଧୀନରେ ଗଣିତ ଓ କମ୍ପ୍ୟୁଟର୍ ସାଇନ୍ସ ରହିଛି।

ଅନ୍ୟପକ୍ଷରେ ବାୟୋଡାଇଭରସିଟି, ସ୍କୁଲ  ଅଫ୍ କମର୍ସ ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ଷ୍ଟାଟିଷ୍ଟିକସ୍  ପାଠ୍ୟକ୍ରମ ରହିଛି। ଉପରୋକ୍ତ ୧୪ଟି ବିଷୟରେ  ମୋଟ ୯୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଶ୍ୱବିଦ୍ୟାଳୟର ୯୫୦ ବିଦ୍ୟାର୍ଥୀଙ୍କ ପାଇଁ  ମାତ୍ର ୧୭ଜଣ ନିୟମିତ ପ୍ରାଧ୍ୟାପକ ରହିଛନ୍ତି। ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା କେନ୍ଦ୍ରର ଏପରି ଚରମ ଅବହେଳାକୁ ତୀବ୍ର ନିନ୍ଦା କରାଯାଉଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ଟି ବିଭାଗ ନିମନ୍ତେ  ୧୫୪ ଅଧ୍ୟାପକ ପଦ ଅନୁମୋଦନ ହୋଇଥିବା ବେଳେ ସେଥିମଧ୍ୟରୁ  ୧୩୭ ପଦ ଖାଲି ପଡ଼ିରହିବା ସମସ୍ତଙ୍କୁ ଚକିତ କରିଛି। ୯୫୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ  ମାତ୍ର ୧୭ଜଣ ନିୟମିତ ଅଧ୍ୟାପକ ଥିବା ବେଳେ ୭୦ ଜଣ ଅସ୍ଥାୟୀ  ଅଧ୍ୟାପକଙ୍କୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାମ ଚଳେଇ ନେଉଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ରାଜ୍ୟର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତି ଧ୍ୟାନ ଦେବାକୁ ବୁଦ୍ଧ଄ଜୀବୀ ମହଲରେ ଦାବି ହୋଇଛି।

Leave A Reply

Your email address will not be published.