ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଲ୍‌ଏସିକୁ ଯିବେ ଆଉ ୯୪୦୦ ଯବାନ

ନୂଆଦିଲ୍ଲୀ: ସୀମା ସୁରକ୍ଷା ପାଇଁ ଭାରତ-ଚୀନ ସୀମା(ଏଲଏସି)ରେ ଆଉ ୯୪୦୦ ଯବାନଙ୍କୁ ମୁତୟନ କରାଯିବ। ଏଥିପାଇଁ ଅତିରିକ୍ତ ୭ଟି ବାଟାଲିୟନ ଗଠନ କରାଯିବା ସହିତ କ୍ଷେତ୍ରୀୟ ମୁଖ୍ୟାଳୟ ପ୍ରତିଷ୍ଠା କରାଯାଇ ସୀମା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ। ଏଥିସହିତ ସୀମାରେ ୪୭ଟି ନୂଆ ବର୍ଡର ପୋଷ୍ଟ(ବିଓପି) ଏବଂ ୧୨ଟି ଷ୍ଟେଜିଂ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯିବ। ୭ ଅତିରିକ୍ତ ବାଟାଲିୟନର ୯୪୦୦ ଯବାନଙ୍କୁ ଏହିସବୁ ନୂଆ ପୋଷ୍ଟ ଏବଂ ଷ୍ଟେଜିଂ କ୍ୟାମ୍ପରେ ମୁତୟନ କରାଯିବ। ଏଲଏସି ସୁରକ୍ଷା ପାଇଁ ଅତିରିକ୍ତ ସେନାର ଆବଶ୍ୟକତା ପଡ଼ୁଥିବା ବେଳେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

୨୦୨୫-୨୬ ସୁଦ୍ଧା କ୍ଷେତ୍ରୀୟ ମୁଖ୍ୟାଳୟ ପ୍ରତିଷ୍ଠା ସହିତ ଏହି ୭ଟି ଅତିରିକ୍ତ ବାଟାଲିୟନ ପ୍ରତିଷ୍ଠା କରାଯିବ। ଏହି ବାଟାଲିୟନ କାର୍ଯ୍ୟାଳୟ, ଆବାସିକ କୋଠା ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ନିମନ୍ତେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯିବ। ସେହିପରି ପ୍ରତିବର୍ଷ କର୍ମଚାରୀଙ୍କ ଦରମା ଏବଂ ଚଳନ୍ତି ଖର୍ଚ୍ଚ ପାଇଁ ୯୬୩ କୋଟି ଟଙ୍କା ବ୍ୟୟ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ ଆକ୍ରମଣ ପରେ ଭାରତ ଏବଂ ଚୀନ୍‌ ମଧ୍ୟରେ ରହିଥିବା ୩୪୮୮ କିମି ପରିବ୍ୟାପ୍ତ ଏଲଏସିରେ ଆଇଟିବିପି ସୁରକ୍ଷା ଯୋଗାଇ ଦେଇଆସୁଛି। ବର୍ତ୍ତମାନ ସୁଦ୍ଧା ଆଇଟିବିପିର ୯୦ ହଜାର ଯବାନ ସୀମା ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ତେବେ ଏଲଏସି ନିକଟରେ ଚୀନ୍‌ ସେନାର ବାରମ୍ବାର ହରକତ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଇଟିବିପି ଯବାନଙ୍କ ସଂଖ୍ୟା ବୃଦ୍ଧି କରିବା ସହିତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୀମାନ୍ତ ଗ୍ରାମ ବିକାଶ ପାଇଁ ୪୮୦୦ କୋଟି ସୀମାନ୍ତ ଅଞ୍ଚଳରେ ରହିଥିବା ଗ୍ରାମଗୁଡିକର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ ଭାଇବ୍ରାଣ୍ଟ ଭିଲେଜ୍‌ ପ୍ରୋଗ୍ରାମ’ କାର୍ଯ୍ୟକାରୀ କରାଯାଉଛି। ବିଶେଷକରି ଦେଶର ଉତ୍ତର ଭାଗ ସୀମାନ୍ତରେ ରହିଥିବା ଗ୍ରାମାଞ୍ଚଳ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯାଉଛି। ଏହିକ୍ରମରେ ତିନି ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ୪୮୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Leave A Reply

Your email address will not be published.