ରାଜ୍ୟରେ ଖୋଲିବ ଆଉ ୧୫୭୬ ନୂଆ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର : ଓଡିଶାରେ ୧୫୭୬ ନୂଆ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଶନିବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, “ଶିଶୁମାନଙ୍କ ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି। ତେଣୁ ଅଙ୍ଗନବାଡ଼ି କେନ୍ଦ୍ରରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଏଥିସହ ରାଜ୍ୟରେ ଆହୁରି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ଓଡିଶାରେ ୬୨,୧୭୧ ଅଙ୍ଗନୱାଡି କେନ୍ଦ୍ର ଅଛି। ଏଥିସହିତ ମନ୍ତ୍ରୀ କହିଛନ୍ତି ଯେ ୭୮୪୪ ନୂତନ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଥିଲେ। ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଏହି ପ୍ରସ୍ତାବକୁ ପଠାଇବାକୁ କହିଥିବା ବେଳେ ଆମ ପ୍ରସ୍ତାବକୁ କେନ୍ଦ୍ର ଫେରସ୍ତ କରିଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁସୂଚିତ ଜନଜାତି ପ୍ରାଧାନ୍ୟ ଅଞ୍ଚଳରେ ତଥା ଅପପୃଷ୍ଟି ଅଞ୍ଚଳରେ ରାଜ୍ୟ ସରକାର ବର୍ତ୍ତମାନ ୧୫୭୬ ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ନୂତନ ଅଙ୍ଗନୱାଡି କେନ୍ଦ୍ର ପାଇଁ ୭ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ଯେଉଁଥିରୁ ମନରେଗା ଯୋଜନାରୁ ୫ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି।ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ସମସ୍ୟା ଥିଲେ, ଜିଲ୍ଲାପାଳମାନଙ୍କୁ  ଜାଗା ଚିହ୍ନଟ କରି ରିପୋର୍ଟ ଦେବାକୁ କୁହାଯାଇଥିବା ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Leave a comment