ମୁଖ୍ଯ ଅଭିଯୁକ୍ତ ବିବନକୁ ଫାଶି ଦିଆଯାଉ- ଅଞ୍ଜନା

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପୁଲିସ ହାତରେ ଧରାପଡିବା ପେର ପୀଡିତା ଅଞ୍ଜନା ମିଶ୍ରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେ ମୁଖ୍ଯ ଅଭିଯୁକ୍ତ ବିବନକୁ ଫାଶି ଦିଆଯାଉ ବୋଲି କହିଛନ୍ତି। ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ବସ୍ତି ଲାଗୁଛି । ସିବିଆଇ ଚୁପ୍ ବସିଲା, ଧରିଲାନି ବୋଲି କହିବାସହ କମିଶନରେଟ ପୁଲିସ ଓ ତାଙ୍କ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି । ଘଟଣା ପରେ ମୋତେ ମାରି ଦେବାକୁ ଚେଷ୍ଟା କରାଯାଇଥିଲା । ବହୁତ ଲମ୍ବା ସଂଘର୍ଷ ଥିଲା, ପ୍ରତି ଦିନ ମୁଁ ମରି ମରି ବଞ୍ଚିଛି। ଅନ୍ୟ ଗଣଦୁଷ୍କର୍ମ ପୀଡିତାଙ୍କୁ ଭାଙ୍ଗି ନ ପଡି ସଂଘର୍ଷ କରିବା ଦରକାର ବୋଲି ଅଞ୍ଜନା କହିଛନ୍ତି ।
ସୂଚନା ଅନୁଯାୟୀ, ଏହି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରୁଥିଲା । ୧୯୯୯ ଜାନୁଆରୀ ୯ରେ ବାରଙ୍ଗ ନିକଟରେ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା । ସେବେଠୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ପୂର୍ବରୁ ପଦିଆ ଓ ପୁନିଆଙ୍କୁ ଗିରଫ କରିଥିଲା ପୁଲିସ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଥିଲା ।