ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଟିଆକୁ କବଜା କରିବାକୁ ଆନ୍ଧ୍ରର ନୂଆ ରଣନୀତି, ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାରେ ମିଶାଇବା ଲାଗି ଚକ୍ରାନ୍ତ

ପଟାଙ୍ଗି : ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ କୋଟିଆକୁ ନେଇ ବିବାଦ ଲାଗିରହିଛି। ଏବେ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଆନ୍ଧ୍ର ନୂଆ ଚାଲ୍‌ ଖେଳିବା ଆରମ୍ଭ କରିଛି। ଆନ୍ଧ୍ରର ବିଜୟନଗରମ୍‌ ଜିଲ୍ଲା ବିଭାଜନ ହେବା ପରେ ନୂତନ ଭାବେ ଗଠିତ ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାରେ କୋଟିଆ ଅଞ୍ଚଳର ୨୮ଟି ରାଜସ୍ବ ଗାଁ ଓ ୧୨ ପଡା ଗାଁକୁ ଅନ୍ତର୍ଭୁକ୍ତ କରି ଆନ୍ଧ୍ର ସରକାର ନୂଆ ଚାଲ୍‌ ଖେଳିବା ଆରମ୍ଭ କରିଛନ୍ତି।

ପୂର୍ବରୁ କୋଟିଆ ସୀମାକୁ ଲାଗି ରହିଥିବା ବିଜୟନଗର ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ମାନ୍ୟତା ଦେଇ ମାନ୍ୟମ୍ ବୋଲି ନାମକରଣ କରାଯାଇଥିଲା। ପୁରୁଣା ବିଜୟନଗର ଜିଲ୍ଲାର ପାର୍ବତୀପୁରମ ରାଜସ୍ବ ମଣ୍ଡଳ ଓ ଶ୍ରୀକାକୁଲମ୍‌ ଜିଲ୍ଲାର ପାଲାକୋଣ୍ଡା ରାଜସ୍ବ ମଣ୍ଡଳକୁ ନେଇ ଏହି ନୂଆ ଜିଲ୍ଲା ଗଠିତ ହୋଇଥିଲା। ଶ୍ରୀକାକୁଲମ ରାଜସ୍ବ ମଣ୍ଡଳ ଅଧୀନରେ କୋଟିଆ ଗ୍ରାମପୁଞ୍ଜ ରହିଥିବା ବେଳେ ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ତିନୋଟି ପଞ୍ଚାୟତରେ ଭାଗ କରିଛି। କୋଟିଆରେ ରହିଥିବା ୨୮ଟି ରାଜସ୍ବ ଗାଁ ଓ ୧୨ ପଡା ଗାଁକୁ ମିଶାଇବାକୁ ଆନ୍ଧ୍ର ପ୍ରୟାସ ଜାରି ରଖିଥିବା ବେଳେ ଏହି ନୂଆ ଜିଲ୍ଲା ଗଠନ ପରେ ନୂଆ ପ୍ରଶାସନ ବି ସେହି କାମରେ ଲାଗିବ ବୋଲି କୁହାଯାଉଛି। ପୂର୍ବରୁ ବିଜୟନଗରରୁ କୋଟିଆର ଦୂରତା ୧୨୦ରୁ ଅଧିକ ରହିଥିବା ବେଳେ ପାର୍ବତୀପୁରମ ନୂଆ ଜିଲ୍ଲା ମୁଖ୍ୟାଳୟ ହେବା ପରେ ଦୂରତା ଅଧାରୁ ଅଧିକ କମିଯିବ। ଫଳରେ ସରକାରୀ କର୍ମଚାରୀ ଖୁବ କମ୍‌ ସମୟରେ କୋଟିଆରେ ପଶିବେ ଏବଂ କାମ ତୁଟାଇ ଫେରିଯାଇ ପାରିବେ।

ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶରେ ପୂର୍ବରୁ ୧୩ ଗୋଟି ଜିଲ୍ଲା ରହିଥିବା ବେଳେ ଉକ୍ତ ଜିଲ୍ଲାଗୁଡ଼ିକୁ ବିଭାଜନ କରି ୨୬ଟି ଜିଲ୍ଲାକୁ ବୃଦ୍ଧି କରାଯାଇଛି । ଏପ୍ରିଲ ୪ରୁ ଏହି ୨୬ ଜିଲ୍ଲା କାର୍ଯ୍ୟକରିବ। ତେଲୁଗୁରେ ମାନ୍ୟମ୍‌ର ଅର୍ଥ ପଛୁଆ ଅଞ୍ଚଳ। କୋଟିଆକୁ ପଛୁଆ ଅଞ୍ଚଳ ଦର୍ଶାଇ ଏବେ ନିଜ ମ୍ୟାପ୍‌ରେ ସ୍ଥାନ ଦେଇଛି ଆନ୍ଧ୍ର। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକକୁ ଲାଗି ରହିଥିବା ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାକୁ ବିଭାଜନ କରି ନୂତନ ଭାବେ ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲା ଗଠନ କରାଯାଇଛି । ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାରେ ସାଲୁର, ପାର୍ବତୀପୁରମ୍, କୁରୁପାମ ଓ ପାଲାକୋଣ୍ଡ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଅନ୍ତର୍ଭୁକ୍ତ କରାଯାଇଛି । ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଶାନ୍ତ କୁମାର ଏବଂ ଆରକ୍ଷୀ ଅଧୀକ୍ଷକ ଭାବେ ବିଦ୍ୟାସାଗର ନାଇଡ଼ୁଙ୍କୁ ନିଯୁକ୍ତ କରାଯାଇଛି । ଯୁଦ୍ଧକାଳୀନ ଭାବେ ପାର୍ବତୀପୁରମ ସହରରେ ନୂତନ ଭାବେ ନିର୍ମାଣ ହୋଇଥିବା ଆଇଟିଡିଏ କାର୍ଯ୍ୟାଳୟକୁ ଜିଲ୍ଲାପାଳ କାର୍ଯ୍ୟାଳୟ, ଆରସିଏମ୍‌ ବିଦ୍ୟାଳୟଠାରେ ଅନ୍ୟ କାର୍ଯ୍ୟାଳୟ କରାଯାଇଥିବା ଜଣାପଡ଼ିଛି ।

ପ୍ରକାଶଥାଉ କି, ଆନ୍ଧ୍ରପ୍ରଦେଶ କୋଟିଆ ଗ୍ରାମପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରିଛି। ସେଗୁଡ଼ିକ ହେଲା ଫାଟୁସିନେରି, ଫଗୁଣସିନେରୀ ଓ ଗଞ୍ଜେଇପଦର୍ । ଏହି ୩ ପଞ୍ଚାୟତ କରି କୋଟିଆର ୨୧ ଖଣ୍ଡ ଗ୍ରାମକୁ ଆନ୍ଧ୍ରପ୍ରଦେଶ ହାତେଇବା ପାଇଁ ବିଭିନ୍ନ ପ୍ରକାର ଚକ୍ରାନ୍ତ ଚଲାଇଛି। ବର୍ତ୍ତମାନ ନୂତନ ଜିଲ୍ଲା ଗଠନ କରାଯିବା ପରେ ଆନ୍ଧ୍ର କ’ଣ ଚକ୍ରାନ୍ତ କରିବ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.