ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍କଳୀୟ କଳା ପ୍ରେମରେ ଆନ୍ଧ୍ର ଚିତ୍ରଶିଳ୍ପୀ

ସହରର ଭିଡ଼ ଭିତରେ ରହିଛନ୍ତି ଅନେକ ବିଶେଷ ବ୍ୟକ୍ତି ଓ ସଂଗଠନ। ଯେଉଁମାନଙ୍କ ପ୍ରତିଭା, ନିଷ୍ଠା ଓ କାର୍ଯ୍ୟଦକ୍ଷତା ସମାଜର ଏକ ନିର୍ଦ୍ଦିଷ୍ଟ ପରିସୀମାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେମାନେ ହୁଏ ତ କେଉଁ ଅନାମଧ୍ୟେୟ ପରିଧି ଭିତରେ ସୀମିତ ରହିପାରନ୍ତି; କିନ୍ତୁ ସେମାନଙ୍କ ଅବଦାନ ସମାଜ ପାଇଁ ସର୍ବଦା ମୂଲ୍ୟବାନ। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟାପକ କରିବା ତଥା କାର୍ଯ୍ୟଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ବିରଳ ଓ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱକୁ ନେଇ ‘ସକାଳ’ର ସ୍ୱତନ୍ତ୍ର ପ୍ରୟାସ।

ଭୁବନେଶ୍ବର: ଉତ୍କଳୀୟ ପାରମ୍ପରିକ ଚିତ୍ରକଳାକୁ ଆଗାମୀ ପିଢ଼ିଙ୍କ ମନରେ ଉଜ୍ଜୀବିତ କରିବାକୁ ନିଆରା ପ୍ରୟାସ କରିଛନ୍ତି ଆନ୍ଧ୍ରପ୍ରଦେଶର ରାଜା ରାୱନ୍ତ। ତାଙ୍କ ପଟ୍ଟଚିତ୍ର କଳା କେତେବେଳେ କାନ୍‍ଭାସରେ ନୂଆ ରୂପ ନିଏ ତ ଆଉ କେତେବେଳେ କାଚ ବୋତଲ ଏବଂ କପଡ଼ାରେ କଥା କୁହେ। ପଟ୍ଟଚିତ୍ରକୁ ନେଇ ତାଙ୍କର ସୃଜନଶୀଳତା ଏବେ ଦେଶ ବିଦେଶରେ ଚମକୁଛି।

ପିଲାଦିନରୁ ପଟ୍ଟଚିତ୍ର କଳା ପ୍ରତି ରାଜାଙ୍କର ଅହେତୁକ ଦୁର୍ବଳତା ରହିଥିବାରୁ ରାଜା ପାଠପଢ଼଼ା ସହିତ ଚିତ୍ରକଳା ମଧ୍ୟ କରୁଥିଲେ। ଆନ୍ଧ୍ର ପ୍ରଦେଶରୁ +୨ ପାସ୍‍ କରିବା ପରେ ପଟ୍ଟଚିତ୍ର ଶିଖିବାର ନିଶା ତାଙ୍କୁ ଓଡ଼ିଶାକୁ ଟାଣି ଆଣିଥିଲା। ସ୍ଥାନୀୟ ଗଣ୍ଡମୁଣ୍ଡା ସ୍ଥିତ ଆର୍ଟ ଆଣ୍ଡ କ୍ରାଫ୍ଟ ଇନଷ୍ଟିଚ୍ୟୁଟରୁ କଳା ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ଦୀର୍ଘ ୧୨ବର୍ଷ ହେବ ପୁରୁଣା ଭୁବନେଶ୍ୱରରେ ଏକ ଭଡ଼ାଘରେ ରହି ପଟ୍ଟଚିତ୍ର କାମ କରୁଛନ୍ତି। ଯାହା ତାଙ୍କୁ ଏବେ ଜଣେ ପଟ୍ଟଚିତ୍ର ଶିଳ୍ପୀ ଭାବେ ପରିଚିତ କରାଯାଇଛି।

ଓଡ଼ିଶାରୁ ସୃଷ୍ଟି ଏହି ପଟ୍ଟଚିତ୍ର କଳା ଏବେ ଆନ୍ଧ୍ର ପ୍ରଦେଶରେ ବେଶ୍‍ ପ୍ରସିଦ୍ଧି ଲଭା କରିଛି। ତାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବସ୍ତ୍ର, ଯଥା ଶାଢ଼ି, କୁର୍ତ୍ତିର୍, ବ୍ଲାଉଜ୍‍, ଓଢ଼ଣୀ ଉପରେ ପଟ୍ଟଚିତ୍ରର ନିଆରା ସୃଜନଶୀଳତା ରହିଛି। କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ, ବେଙ୍ଗାଲୁରୁ, କର୍ଣ୍ଣାଟକ, ହାଇଦରାବାଦ, ଗୁଜରାଟ ଆଦି ରାଜ୍ୟ ସମେତ ଦେଶ ବାହାରେ ଆମେରିକା, ଇଂଲଣ୍ଡ, ସ୍ୱିଡେନ୍‍, ଅଷ୍ଟ୍ରେଲିଆ, ମାଲେସିଆରେ ମଧ୍ୟ ତାଙ୍କ ପଟ୍ଟଚିତ୍ର କଳା ଆଦୃତି ଲାଭ କରିଛି। ସାଦା ଶାଢ଼ି କିମ୍ବା ପୋଷାକ ଉପରେ ଭିନ୍ନ ପାରମ୍ପରିକ ଚିତ୍ର ବେଶ୍‍ ଆକର୍ଷଣ ହୋଇଛି। ଗୋଟିଏ ଶାଢ଼ିରେ ପଟ୍ଟଚିତ୍ର କରିବାକୁ ତାଙ୍କୁ ୧୦ଦିନ ସମୟ ଲାଗୁଥିବା ବେଳେ ଓଢ଼ଣି ପାଇଁ ୨ରୁ ୩ଦିନ ଲାଗିଥାଏ। ସେହିପରି କାଚ ବୋତଲରେ ବିଭିନ୍ନ ଆକର୍ଷଣୀୟ କ୍ଲେ ଆର୍ଟ ସହିତ ପରଦା, ୱାଲ୍‍ ହ୍ୟାଙ୍ଗିଙ୍ଗ୍‍, ପ୍ଲେଟ୍‍ ଆର୍ଟ, ଅଳଙ୍କାର ଆଦି ନିଜେ ପ୍ରସ୍ତୁତ କରିବା ସାଙ୍ଗକୁ ଅନେକ ପ୍ରକାରର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହାସହ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ଗାଥା, ପୁରାଣ କଥା, ଶ୍ରୀକୃଷ୍ଣ ଲୀଳା, ରାମାୟଣ, ମହାଭାରତ ଆଦି ପୌରାଣିକ କଥାବସ୍ତୁ ମଧ୍ୟ ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇଛନ୍ତି। ଆଗକୁ ପଟ୍ଟଚିତ୍ର ପ୍ରତି ଯୁବପିଢ଼ିଙ୍କର କିଭଳି ଆଗ୍ରହ ପ୍ରକାଶ ପାଇବ ସେଥି ନିମନ୍ତେ ଏକ ଭିନ୍ନ ଉଦ୍ୟମ କରିବାର ଯୋଜନା ରଖିଥିବା କହିଛନ୍ତି ପଟ୍ଟଚିତ୍ର ଶିଳ୍ପୀ ରାଜା। ଯାହାଦ୍ୱାରା କେବଳ ପାରମ୍ପରିକ କଳା ବଞ୍ଚି ରହିବନି ବରଂ ରୋଜଗାରର ବାଟ ମଧ୍ୟ ଦେଖାଇବ। ତେବେ ତାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପଟ୍ଟଚିତ୍ର ଏବେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ ଶୋଭା ପାଉଛି।

Leave A Reply

Your email address will not be published.