ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁନାବେଡ଼ା ଅଭୟାରଣ୍ୟରେ ପ୍ରାଚୀନ ସଭ୍ୟତାର ସନ୍ଧାନ, ରହିଛି ବିସ୍ତୃତ ଓ ପ୍ରସ୍ତର ନିର୍ମିତ ଦୁର୍ଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ଓ ସଂଗ୍ରହାଳୟତତ୍ତ୍ୱ ବିଭାଗ ତରଫରୁ ସୁନାବେଡା ଅଭୟାରଣ୍ୟରେ ଏକ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ କରାଯାଇଛି। ଏହି ସର୍ଭେକ୍ଷଣରେ ପ୍ରାଚୀନ ସଭ୍ୟତାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡିକର ସନ୍ଧାନ ମିଳିଥିବା ଜଣାଯାଏ। ଏହି ସର୍ଭେକ୍ଷଣରେ ବିଭାଗ ଅଧ୍ୟକ୍ଷ ଡ. ରଣବୀର ସିଂହ, ଅଧ୍ୟାପକ ହିମାଂଶୁ ଶେଖର ମହାକୁଡ, ଲୋକ ସଂସ୍କୃତି ଗବେଷକ ତଥା ବରିଷ୍ଠ ସାମ୍ୱାଦିକ ମାୟାଧର ସରାଫଙ୍କ ସହ ମହାବିଦ୍ୟାଳୟର ୧୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସୁନାବେଡା ଅଭୟାରଣ୍ୟରେ ଥିବା ବିଭିନ୍ନ ଜଳସ୍ରୋତ ତଥା ଜୋଙ୍କ ନଦୀ ଅବବାହିକାକୁ ବୁଲି ପ୍ରତ୍ନତାତ୍ତ୍ୱିକ ତଥ୍ୟର ଅନୁସନ୍ଧାନ କରିଥିଲେ। ପ୍ରଥମେ ଉକ୍ତ ନଦୀ ଅବବାହିକାରେ ଥିବା ଅବହେଳିତ ମାନିକଗଡ଼କୁ ସର୍ଭେକ୍ଷଣ କରିଥିଲେ। ଏହା ଏକ ବିସ୍ତୃତ ଓ ପ୍ରସ୍ତର ନିର୍ମିତ ଦୁର୍ଗ ଅଟେ। ଯାହାକି ସମୁଦ୍ର ପତ୍ତନରୁ ପାଖାପାଖି ୪ ହଜାର ଫୁଟ ଉପରେ ଅବସ୍ଥିତ। ଐତିହାସିକଙ୍କ ମତରେ ମୌର୍ଯ୍ୟ ସାମ୍ରାଜ୍ୟର କୌଟିଲ୍ୟଙ୍କ ଅନୁସାରେ ଏହା ଏକ ଗିରି ଦୁର୍ଗ ଅଟେ। ବର୍ତ୍ତମାନର ଅବଶେଷରୁ ଜଣାପଡ଼େ, ଏହା ଏକ ଆୟତାକାର ଦୁର୍ଗ, ଉତ୍ତର-ଦକ୍ଷିଣକୁ ଲମ୍ୱି ଯାଇଥିବା ପ୍ରସ୍ତର ନିର୍ମିତ ଦୁର୍ଗ ପ୍ରାଚୀର ୩ ଶହ ମିଟରରୁ ମଧ୍ୟ ଅଧିକ ଯାହାକି ଇତିହାସର ମୁକସାକ୍ଷୀ। ସେହିପରି ପୂର୍ବ-ପଶ୍ଚିମ ପଟରେ ଥିବା ଦୁର୍ଗ ପ୍ରାଚୀର ଭଗ୍ନାବଶେଷ ବିଭିନ୍ନ ସ୍ଥାନରେ ପଡ଼ି ରହିଛି।

ମାନିକଗଡ଼ ଦୁର୍ଗକୁ ଛାଡି କିଛି ମିଟର ତଳେ ପାଖାପାଖି ୧୫୦ ମିଟର ପାହାଡ କଡରେ ଗଲା ପରେ ଗିରିବାମନ ଗୁମ୍ଫା ଅବସ୍ଥିତ। ଏହି ଗୁମ୍ଫାର ଭିତର ପଟ ଛାତରେ ଶ୍ୟାମଳ ଗେରୁଆ ସହ ହଳଦିଆ ରଙ୍ଗରେ ଅଙ୍କିତ ଥିବା ଶୀଳା ଚିତ୍ର ପ୍ରତ୍ନତାତ୍ତ୍ୱିକ ତଥ୍ୟର ପରିଲକ୍ଷିତ ହୁଏ। ନୂଆପଡ଼ା ଜିଲ୍ଲାର ପ୍ରାକ୍‌‌ ଐତିହାସିକ ଅଧ୍ୟୟନରେ ଏହା ଏକ ନୂତନ ଅଧ୍ୟାୟ ଯୋଡି ହେବାରେ ସହାୟକ ହେବ ବୋଲି ଡ. ରଣବୀର ସିଂହ ମତବ୍ୟକ୍ତ କରିଛନ୍ତି। ସେହିପରି ପ୍ରତ୍ନତାତ୍ତିକ ଅନ୍ୱେଷଣରେ ଉକ୍ତ ଟିମ୍‌‌ ଜୁମଳାଗଡ଼ ଦୁର୍ଗ ମଧ୍ୟ ଯାଇଥିଲେ। ଯାହା ମାନିକଗଡ଼ ଦୁର୍ଗରୁ ୫ କିଲୋମିଟର ବ୍ୟବଧାନରେ ଓ ଜୋଙ୍କ ନଦୀ ଡାହାଣ ପାର୍ଶ୍ବରେ ଅବସ୍ଥିତ। ଏହାର ଦୁର୍ଗୀକରଣ ମାନିକଗଡ଼ରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହା ଏକ ଆୟତାକାର, ପ୍ରସ୍ତର ଏବଂ ପୋଡା ଇଟାରେ ନିର୍ମିତ। ପୂର୍ବ-ପଶ୍ଚିମ ଦୁର୍ଗ ପ୍ରାଚୀରରେ ଦୁଇଟି ଦ୍ୱାର, ଦୁର୍ଗ ପ୍ରାଚୀରର ଚାରୋଟି କୋଣରେ ୪ଟି ଏବଂ ଉତ୍ତର -ଦକ୍ଷିଣ ପ୍ରାଚୀରରେ ଦୁଇ ଦୁଇଟି ଲେଖାଏଁ ପ୍ରହରୀ ପ୍ରକୋଷ୍ଠ ପରିଲକ୍ଷିତ ହୁଏ। ନିରାପଦ ଦୃଷ୍ଟିକୋଣରୁ ଏହା ଏକ ସୁସମ୍ପାଦନ ପଦ୍ଧତିରେ ନିର୍ମିତ ଦୁର୍ଗ। ଘଞ୍ଚ ଜଙ୍ଗଲ ଏବଂ ସହରଠୁ ବହୁତ ଦୂରରେ ଥିବା ହେତୁ ଏହାର ଖନନ କାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ସାଜିଛି। ଯଦି ଏହାର ଖନନ କାର୍ଯ୍ୟ ପାଇଁ ଏଏସଆଇ ଆର୍କୋଲୋଜିକାଲ୍‌‌ ସର୍ଭେ ଅଫ୍‌‌ ଇଣ୍ଡିଆ (ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥାନ) ହସ୍ତକ୍ଷେପ କରେ ତେବେ ଆହୁରି ତଥ୍ୟ ସାମନାକୁ ଆସିବ। ନୂଆପଡ଼ା ତଥା ଓଡ଼ିଶା ଇତିହାସ ଗଢିବାରେ ସହାୟକ ହେବ ବୋଲି ଡ. ସିଂହ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.