ଭାରତରେ ‘ଫୁଡ୍ ଡେଲିଭରି ସର୍ଭିସ୍’ ବନ୍ଦ କରିବ ଆମାଜନ

ନୂଆଦିଲ୍ଲୀ: ଅନଲାଇନ ପ୍ଳାଟଫର୍ମରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ କମ୍ପାନୀ ଆମାଜନ ଭାରତରେ ଫୁଡ ଡେଲିଭରି ସର୍ଭିସ ବନ୍ଦ କରିବାକୁ ଘୋଷଣା କରିଛି। ଆସନ୍ତା ଡିସେମ୍ବର ମାସ ୨୯ ତାରିଖରୁ ଏହି ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଥିଲା ବେଳେ ଏହାପରେ ଗ୍ରାହକମାନଙ୍କୁ ଏହା ଉପଲବ୍ଧ ହେବ ନାହିଁ। ଏ ନେଇ ଆମାଜନ ପକ୍ଷରୁ ରେଷ୍ଟୁରାଣ୍ଟ ଅଂଶୀଦାରମାନଙ୍କୁ ମଧ୍ୟ ଅବଗତ କରିଦିଆଯାଇଛି। ଆମାଜନ ମାତ୍ର ଦୁଇ ବର୍ଷ ତଳେ ମେ’ ୨୦୨୦ରେ ବେଙ୍ଗାଲୁରୁରେ ଏହି ସେବା ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଫୁଡ୍‌ ଡେଲିଭରି ସର୍ଭିସ ବ୍ୟତୀତ ଆମଜାନ ପୂର୍ବରୁ ଆଡଟେକ୍ ସର୍ଭିସ୍ ମଧ୍ୟ ବନ୍ଦ କରିସାରିଛି। ସାଂପ୍ରତିକ ବିଶ୍ବ ଅର୍ଥନୀତି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀ ପୁଞ୍ଜି ଖଟାଇବା ଦିଗରେ କାଣ୍ଟଛାଣ୍ଟ କରିଥିବା ବେଳେ କର୍ମଚାରୀଙ୍କ ଛଟେଇ ମଧ୍ୟ ଆରମ୍ଭ କରିଛି। ତେବେ କମ୍ପାନୀ ରେଷ୍ଟୁରାଣ୍ଟ ଅଂଶୀଦାରମାନଙ୍କ ବିଜନେସ୍ ଡିଲ ପୁରା କରିବା ସାଙ୍ଗକୁ ସମସ୍ତ ଚୁକ୍ତି ପୁରଣ କରିବ ବୋଲି କହିଛି। ଏ ସମ୍ପର୍କରେ ଆମାଜନ କର୍ତ୍ତୃପକ୍ଷ କହିଛନ୍ତି ଯେ ବାର୍ଷିକ ଅପରେଟିଂ ରିଭ୍ୟୁରେ ଏହି ସେବାକୁ ଆଉ ଆଗକୁ ଚଳାଇ ରଖି ହେବ ନାହିଁ। ଏଣୁ କମ୍ପାନୀ ସତର୍କତାପୂର୍ବକ ୨୯ ଡିସେମ୍ବର ୨୦୨୨ରୁ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଫୁଡ ଡେଲିଭରି ସେବା କ୍ଷେତ୍ରରେ ଆମାଜନର ପ୍ରବେଶ କରିବା ପରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟ ଦୁଇ ପ୍ରମୁଖ କମ୍ପାନୀ ସ୍ୱିଗି ଓ ଜମାଟୋ ସହିତ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ବେଙ୍ଗାଲୁରୁରେ ଗ୍ରାହକ ପାଖାପାଖି ୩ ହଜାର ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନରୁ ଭାରତୀୟ, ଚାଇନିଜ୍, ଇଟାଲୀୟ, ବିରିୟାନୀ, ବର୍ଗର ଓ ଡେଜର୍ଟ ଆଦି ଅର୍ଡର କରିପାରୁଥିଲେ। ଏଥିଲାଗି ବର୍ଗର କିଙ୍ଗ, ବେହରୋଜ ବିରିୟାନୀ, ଫାସୋସ୍, ଚାୟ ପଏଣ୍ଟ, ଫ୍ରେସମେନ୍ୟୁ ଓ ଅଡିଗା ଭଳି ବହୁ ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନ ସହିତ ଆମାଜନ ଚୁକ୍ତିବଦ୍ଧ ହୋଇଥିଲା। ଭାରତରେ କରୋନା କାଳରେ କମ୍ପାନୀ ଏହି କ୍ଷେତ୍ରରେ କାର୍ଯ୍ୟାରମ୍ଭ କରିଥିଲେ ହେଁ ଖୁବ କମ୍‌ ସମୟ ବ୍ୟବଧାନରେ ଆମାଜନର ଚାହିଦା ବଢିଥÒଲା। ମାର୍ଚ୍ଚ ୨୦୨୧ ବେଳକୁ ଏହି ସେବା ବେଙ୍ଗାଲୁରର ୬୨ଟି ଅଞ୍ଚଳରେ ଉପଲବ୍ଧ ହେଉଥିଲା।

Leave a comment