ଟଙ୍କା ନଦେଲେ ହେଉନି ଜିଓ ଟ୍ୟାଗିଙ୍ଗ, ଜିଆରଏସଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

ଗରଦପୁର : ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ କାମ ଦେବାକୁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କେବଳ ପ୍ରବାସୀ ନୁହନ୍ତି ଅନ୍ୟ ଶ୍ରମିକଙ୍କୁ ମଧ୍ୟ ବର୍ଷକୁ ୧୦୦ ଦିନର ରୋଜଗାର ଦିଆଯାଉଛି l ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ମଧ୍ୟ ମଜୁରି ଦିଆଯାଉଛି l ହେଲେ ଗରଦପୁର ବ୍ଲକରେ ମନରେଗା ଯୋଜନା ଦିଗହରା ହୋଇଛି l ଅଭିଯୋଗ ହୋଇଛି କି ଯେଉଁମାନେ ମନରେଗା ଯୋଜନାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶୋଷଣ କରୁଛନ୍ତି ଗରଦପୁର ବ୍ଳକର ଜଣେ ଜିଆରଏସ ବୋଲି l ମନରେଗାରେ ଘରେ ଘରେ ମୋ ବଗିଚା, ମୋ ପୋଖରୀ, ଦୋକଡି ରାସ୍ତା, ଘାସ ଚାଷ ଭଳି ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି l ସାଧାରଣ ଲୋକଟି ପ୍ରୋଜେକ୍ଟ ପାଇବା ପରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି କାମ ଆରମ୍ଭ କରୁଛି l କାମ ଚଳୁଥିବାବେଳେ ମନରେଗାରେ ଲେବର ପେମେଂଟ ହେବା କଥା l ଆଉ ମାଟେରିଆଲ ପେମେଂଟ ମଧ୍ୟ ହେବା କଥା l ସ୍ଥାନୀୟ ଜିଆରଏସ ଜିଓ ଟ୍ୟାଗିଂ କରିବା ପରେ ଏହି ଅର୍ଥ ମିଳିଥାଏ l ହେଲେ ଗରଦପୁର ବ୍ଲକର ଏହି ଜିଆରଏସ ଜଣକ ଚାଷୀଙ୍କୁ ଜିଓ ଟ୍ୟାଗିଂ ପାଇଁ ୨ ହଜାର ଟଙ୍କା ମାଗୁଛନ୍ତି l ଯେଉଁମାନେ ଟଙ୍କା ଦେଉଛନ୍ତି ସେମାନଙ୍କ ଟ୍ୟାଗିଂ କରାଯାଉଛି l ଆଉ ମଷ୍ଟରୋଲ ବାହାର କରାଯାଇ ପେମେଂଟ ଦିଆଯାଉଛି l ହେଲେ ଯେଉଁମାନେ ଲାଞ୍ଚ ଦେଉନାହାନ୍ତି ସେମାନଙ୍କ ପ୍ରୋଜେକ୍ଟ ଆଗେଇବାକୁ ଦିଆଯାଉନି l ଫଳରେ ଶହ ଶହ ଚାଷୀ ଏବେ ହତାଶ ହୋଇପଡିଛନ୍ତି l ଶହ ଶହ ଚାଷୀଙ୍କଠାରୁ ଜିଆରଏସ ଜଣକ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି l ସେପଟେ ଟଙ୍କା ଦେଇପାରୁନଥିବା ଚାଷୀଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି ସଂପୃକ୍ତ ଜିଆରଏସ l ଜିଆରଏସ ଜଣକ ଖୁଲମଖୁଲା ଲାଞ୍ଚ ମାଗୁଥିବା ନେଇ କେତେଜଣ ଚାଷୀ ସେମାନଙ୍କ ମୋବାଇଲରେ ରେକର୍ଡ଼ିଂ କରି ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ l ସରପଞ୍ଚ ଜିଆରଏସ ଲାଞ୍ଚ ମାଗୁଥିବା ବାର୍ତ୍ତାଳାପର ଅଡିଓ ରେକର୍ଡ଼ିଂ ନେଇ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ l ଆଉ ଅଭିଯୁକ୍ତ ଜିଆରଏସଙ୍କୁ ଚେତାବନୀ ଦିଆଯାଇ ଛଡ଼ାଯାଇଥିଲା l ହେଲେ କେତେଜଣ କୁଜିନେତାଙ୍କ ଛତ୍ରଛାୟାରେ ଏବେ ଜିଆରଏସ ଜଣକ ପୁଣି ଟଙ୍କା ଆଦାୟ କରୁଥିବା ପ୍ରମାଣ ମିଳିଛି l ସରକାରଙ୍କ ବିକାଶ ଯୋଜନାରେ ବାଧକ ସାଜିଥିବା ଏହି ଜିଆରଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି l ଏହିଭଳି ସଙ୍ଗୀନ ଅଭିଯୋଗ ବ୍ଲକ ପ୍ରଶାସନ ଜାଣି ମଧ୍ୟ କିଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

Leave a comment