ହଲିଉଡ୍ରେ ଜଲୱା ଦେଖାଇବେ ଆଲିଆ
ମୁମ୍ବାଇ : ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ବଲିଉଡ୍ ପରେ ହଲିଉଡ୍ରେ ତାଙ୍କ ଅଭିନୟର ଯାଦୁ ଦେଖେଇବାକୁ ବାହାରିଛନ୍ତି। ଆଲିଆଙ୍କ ଅଭିନୀତ ‘ଗଙ୍ଗୁବାଈ କାଠିଆୱାଡ଼ି’ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିଛି। ସିନେମା ହଲ୍ ପରେ ଓଟିଟିରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟିକୁ ଦର୍ଶକେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ବଲିଉଡ୍ରେ ଅନେକ ହିଟ୍ ଫିଲ୍ମ ଦେଇଥିବା ଆଲିଆଙ୍କୁ ଏବେ ହଲିଉଡ୍ର ଏକ ପ୍ରୋଜେକ୍ଟ ମିଳିଛି। ସୋସିଆଲ ମିଡିଆରେ ଆଲିଆ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଲିଆ ଏବେ ହଲିଉଡ୍ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ର ସୁଟିଂ ପାଇଁ ବିଦେଶ ଯାଇଛନ୍ତି।
ସେ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଲିଆ କାର୍ର ପଛ ସିଟ୍ରେ ବସିଛନ୍ତି। ସେ ଅତି ସାଧାରଣ ଲୁକ୍ରେ ନଜର ଆସିଛନ୍ତି। ଫଟୋର କ୍ୟାପ୍ସନ୍ରେ ସେ ଲେଖିଛନ୍ତି- ‘ମୁଁ ମୋର ପ୍ରଥମ ହଲିଉଡ୍ ଫିଲ୍ମ ସୁଟିଂ ପାଇଁ ବାହାରିଛି। ମୋତେ ଏବେ ନ୍ୟୁକମର୍ଙ୍କ ଭଳି ଅନୁଭବ ହେଉଛି। ଲାଗୁଛି ପୁଣି ଏକ ନୂଆ ଜୀବନର ଆରମ୍ଭ ହେଉଛି। ମୁଁ ଏହି ଫିଲ୍ମକୁ ନେଇ ନର୍ଭସ୍ ଅଛି।’ ଏହାପରେ ଆଲିଆ ଲୋକଙ୍କୁ ତାଙ୍କୁ ଶୁଭକାମନା ଦେବା ପାଇଁ ଲେଖିଛନ୍ତି। ଆଲିଆ ତାଙ୍କ ଫିଲ୍ମି କ୍ୟାରିୟର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ମାସେ ପୂର୍ବରୁ ସେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ରଣବୀରଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍ରେ ହୋଇଥିଲା। ଆଲିଆଙ୍କ କାମ କଥା କହିବାକୁ ଗଲେ ବହୁତ ଜଲ୍ଦି ସେ ରଣବୀର ସିଂହଙ୍କ ସହ ‘ରକି ଔର୍ ରାନୀ କୀ ପ୍ରେମ୍ କାହାନୀ’ରେ ନଜର ଆସିବେ।