ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ବନ୍ଦ ହୋଇଗଲା ଏୟାର ଇଣ୍ଡିଆ ବିମାନ ଇଞ୍ଜିନ

ମୁମ୍ବାଇ : ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ହଠାତ ବିମାନର ଗୋଟିଏ ଇଞ୍ଜିନ ବନ୍ଦ ହୋଇଗଲା। ଆଉ ଏହାପରେ ପାଇଲଟ୍‌ ତୁରନ୍ତ କଂଣ୍ଟ୍ରୋଲ ରମ୍‌ ସହ ଯୋଗାଯୋଗ କରି ବିମାନଟିକୁ ଜରୁରୀ ଅବତରଣ କରାଇଥିଲେ।

ମିଳିଥିବା ସୂଚନା ଅନୁସାରେ ଗତକାଲି (ଗୁରୁବାର) ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆର A320neo ବିମାନ ସକାଳ ୯.୪୩ରେ ବେଙ୍ଗାଲୁରୁ ଯିବା ପାଇଁ ଯାତ୍ରୀମାନଙ୍କୁ ଧରି ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ଉଡାଣ ସମୟରେ ହଠାତ ବିମାନଟିର ଏକ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ବିମାନଟି ଦୁଇଟି ଇଞ୍ଜିନ ବିଶିଷ୍ଟ ହୋଇଥିବାରୁ ଉଡିବାକୁ ସକ୍ଷମ ଥିଲେ ମଧ୍ୟ କୌଣସି ଅଘଟଣ ଆଶଂଙ୍କା ସହ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦେଇ ପାଇଲଟ ବିମାନଟିକୁ ଜୁରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଏୟାର ଇଣ୍ଡିଆର ବିମାନଟି ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବାକୁ ୨୭ ମିନିଟ ପରେ ଜରୁରୀ ଅବତରଣ କରିଥିଲା।

ଘଟଣା ସର୍ମ୍ପକରେ ସୂଚନାଦେଇ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ଗତକାଲି A320neo ବିମାନର ପାଇଲଟମାନେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୯.୪୩ ରେ ଉଡ଼ିବାର କିଛି ପରେ ଇଞ୍ଜିନ ବିଫଳତା ବିଷୟରେ ସୂଚନା ପାଇଥିଲେ। ଇଞ୍ଜିନ୍ ହଠାତ୍ ପବନରେ ଅଟକି ଯିବା ପରେ ବିମାନର ପାଇଲଟ୍ ଶୀଘ୍ର ୧୦.୧୦ରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ଅବତରଣ କରିଥିଲେ। ଏୟାର ଇଣ୍ଡିଆ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଇଥାଏ ଏବଂ ଆମର କର୍ମଚାରୀମାନେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପାରଙ୍ଗମ ଅଟନ୍ତି। ଆମର ଇଞ୍ଜିନିୟରିଂ ଏବଂ ରକ୍ଷଣାବେକ୍ଷଣ ଦଳ ତୁରନ୍ତ ଏହି ସମସ୍ୟାକୁ ଦେଖିବା ପରେ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ  ବିମାନ ବଦଳାଇବା ପରେ ଯାତ୍ରୀମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳ ବେଙ୍ଗାଲୁରୁକୁ ପଠାଯାଇଥିଲା ବୋଲି ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ।

Leave a comment