ବାର୍ଦ୍ଧକ୍ୟଜନିତ ରୋଗ ପାଇଁ ଏମ୍ସ ଭୁବନେଶ୍ୱରରେ ସ୍ୱତନ୍ତ୍ର କ୍ଲିନିକ୍‍, ସପ୍ତାହର ଏହି ଦିନ ଖୋଲା

ପ୍ରତି ମଙ୍ଗଳବାର ୨ରୁ ୫ଟା ଯାଏଁ ଖୋଲା

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱର ମେଡିସିନ୍‍ (ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍‍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି ସ୍ୱତନ୍ତ୍ର କ୍ଲିନିକ୍‍ ସପ୍ତାହର ପ୍ରତି ମଙ୍ଗଳବାର ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ଏମ୍ସ ଭୁବନେଶ୍ୱର ମେଡିସିନ୍‍ ବିଭାଗର ଅତିରିକ୍ତ ପ୍ରଫେସର ଡ ରଶ୍ମୀ ରଞ୍ଜନ ମହାନ୍ତି ଏହି କ୍ଲିନିକ୍‍ର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବେ। ଏହି କ୍ଲିନିକ୍‍ ବାର୍ଦ୍ଧକ୍ୟ ଜନିତ ରୋଗର ସାମଗ୍ରିକ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସେବାକୁ ଆଦୌ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି କରୋନା ମହାମାରୀ ସମୟରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତା ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୩.୧ % ବରିଷ୍ଠ ନାଗରିକଙ୍କ ଦ୍ୱାରା ପୂର୍ଣ୍ଣ ହେବ। ତେଣୁ ସେମାନଙ୍କର ଚିକିତ୍ସା ତଥା ସ୍ୱାସ୍ଥ୍ୟସେବାକୁ ଏମ୍ସ ଭୁବନେଶ୍ୱର ଗୁରୁତର ସହିତ ନେଇ ଏପରି ସେବା ଆରମ୍ଭ କରିଥିବା ଏହାର ମୁଖ୍ୟ ଡ ମହାନ୍ତି ପ୍ରକାଶ କରିଛନ୍ତି।

ଏହି କ୍ଲିନିକ୍‍ ମାଧ୍ୟମରେ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଡିପିଓ, ବିଭିନ୍ନ ହୃଦ୍‍, ବୃକକ୍‍ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଡ. ରଶ୍ମୀ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଏବଂ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ବାର୍ଦ୍ଧକ୍ୟ ଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଏମ୍ସ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଜେରିଆଟ୍ରିକ୍‍ କେୟାର କ୍ଲିନିକ୍‍ ଆରମ୍ଭ ହେବା ଦ୍ୱାରା ରାଜ୍ୟର ଲୋକଙ୍କ ପାଇଁ ନିହାତି ଉତ୍ସାହଜନକ ବୋଲି ମତ ପ୍ରକାଶ ପାଇଛି।

ଏହି ଅବସରରେ ଜେରିଆଟ୍ରିକ୍‍ ଯତ୍ନର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଏକ ୱେବିନାର୍‍ର ଆୟୋଜନ କରାଯାଇଥିଲା। ଜେରିଆଟ୍ରିକ୍‍ ମେଡିସିନ୍‍ର ବିଶିଷ୍ଟ ଚିକିତ୍ସକ ତଥା ଏମ୍ସ ଦିଲ୍ଲୀ ଜେରିଆଟ୍ରିକ୍‍ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଡ ଏବିଦେ ଏହି ଅବସରରେ ବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ। ଏମ୍ସ ଭୁବନେଶ୍ୱର ମେଡିସିନ୍‍ ବିଭାଗର ଡ ଅନୁପମା ବେହେରା ଏବଂ ଡ. ଧୂତୀସୁନ୍ଦର ଦାଶ ଏହି ସ୍ୱତନ୍ତ୍ର କ୍ଲିନିକ୍‍ର ଅଂଶ ଭାବେ କାର୍ଯ୍ୟ କରିବେ।

Leave a comment