ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଷୀ ଆତ୍ମହତ୍ୟା ରୋକିଛି ରାଜ୍ୟର କୃଷି ସଂସ୍କାର : ଚାଷୀଙ୍କ ବନ୍ଧୁ ନବୀନ

ଭୁବନେଶ୍ୱର/ ବରଗଡ଼ : ସାରା ଦେଶରେ କୃଷି ଶ୍ରମିକଙ୍କ ଆତ୍ମହତ୍ୟା ବୃଦ୍ଧି ପାଉଛି। ଦେଶରେ ପ୍ରତି ଦୁଇ ଘଣ୍ଟାରେ ହାରାହାରି ଜଣେ କୃଷକ ଆତ୍ମହତ୍ୟା କରୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ କୃଷି ସଂସ୍କାର, କୃଷକମାନଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପ, ‘କାଳିଆ’ ଓ ‘ବଳରାମ’ ପରି ଚାଷୀ ହିତକାରୀ କାର୍ଯ୍ୟକ୍ରମ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ରୋକିବାକୁ ସକ୍ଷମ ହୋଇଛି। ଓଡ଼ିଶା, ତ୍ରିପୁରା, ମଣିପୁର ଉତ୍ତରାଖଣ୍ଡ, ଲାକ୍ଷାଦ୍ୱୀପ, ପୁଡ଼ୁଚେରୀ, ଚଣ୍ଡୀଗଡ଼ ଓ ପଶ୍ଚିମବଙ୍ଗରେ ୨୦୨୧ରେ କୌଣସି ଚାଷୀ ଆତ୍ମହତ୍ୟା କରି ନ ଥିବା ଜାତୀୟ ଅପରାଧ ନଥି ବ୍ୟୁରୋ ରିପୋର୍ଟରେ ପ୍ରଦର୍ଶିତ ହୋଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ଦେଶର ସର୍ବାଧିକ ଚାଷୀ ଆତ୍ମହତ୍ୟା କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃଷକଙ୍କ ହିତୈଷୀ ରୂପେ ବିବେଚନା କରାଯାଇଥାଏ। ରାଜ୍ୟର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଓ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରି ଆସୁଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି। କାଳିଆ ଯୋଜନାରେ ଆର୍ଥିକ ସହାୟତା ସହ ଜଳସେଚନ ନିମନ୍ତେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହାଫଳରେ ରାଜ୍ୟରେ ଧାନ ଉତ୍ପାଦନ ଦ୍ୱିଗୁଣିତ ହୋଇଛି। ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି ଏବଂ ଦେଶର ଖାଦ୍ୟଭଣ୍ଡାରକୁ ଚାଉଳ ଯୋଗାଣରେ ଓଡ଼ିଶା ଦେଶର ତୃତୀୟ ବୃହତ୍ତମ ରାଜ୍ୟର ମାନ୍ୟତା ପାଇଛି। ପରିଣତିସ୍ୱରୂପ ରାଜ୍ୟରେ ଚାଷୀଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଛି। ଆତ୍ମହତ୍ୟା ହାର ଶୂନକୁ ଖସିଛି।

ଜାତୀୟ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଏନ୍‍ସିଆର୍‍ବି) ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୨୧ରେ ଜଣେ ମଧ୍ୟ କୃଷକ କିମ୍ବା କୃଷି ଶ୍ରମିକ ଆତ୍ମହତ୍ୟା କରିନାହାନ୍ତି। ରାଜ୍ୟରେ ଯେତେବେଳେ କୃଷକ ଆତ୍ମହତ୍ୟାର ପ୍ରସଙ୍ଗ ଉଠିଥାଏ ସେତେବେଲେ ପ୍ରଥମେ ବରଗଡ଼ ଜିଲ୍ଲା ଚର୍ଚ୍ଚାକୁ ଆସିଥାଏ। ରାଜ୍ୟର ସର୍ବାଧିକ କୃଷକ ଆତ୍ମହତ୍ୟା ଅଭିଯୋଗ ବରଗଡ଼ ଜିଲ୍ଲାରୁ ହିଁ ହୋଇଥାଏ। ମାତ୍ର କରୋନା ପରବର୍ତ୍ତୀକାଳରେ ମଧ୍ୟ ବରଗଡ଼ ଜିଲ୍ଲାରେ କୌଣସି କୃଷକ ଆତ୍ମହତ୍ୟା ଘଟଣା ଘଟିନଥିବା ନିଶ୍ଚିତ ରୂପେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ କୁହାଯାଇ ପାରିବ। ଏନସିଆରବି ରିପୋର୍ଟ ଅନୁସାରେ ଭାରତରେ ହାରାହାରି ପ୍ରତି ଦୁଇ ଘଣ୍ଟାରେ ଅତି କମ୍‍ରେ ଜଣେ କୃଷି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି।

୨୦୨୧ ମସିହାରେ କୃଷି ଶ୍ରମିକଙ୍କ ଆତ୍ମହତ୍ୟା ହାର ୨୦୨୦ ତୁଳନାରେ ୯% ଏବଂ ୨୦୧୯ ତୁଳନାରେ ୨୯% ଅଧିକ ରହିଛି। ୨୦୨୧ ମସିହାରେ ସମୁଦାୟ ୫,୫୬୩ କୃଷି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୫,୧୨୧ ଜଣ ପୁରୁଷ ଓ ଅବଶିଷ୍ଟ ୪୪୨ ଜଣ ମହିଳା। ମହାରାଷ୍ଟ୍ରରେ ସର୍ବାଧିକ ଆତ୍ମହତ୍ୟା ୧,୪୨୪ ରେକର୍ଡ ହୋଇଛି। ଅନୁରୂପ ଭାବରେ କର୍ଣ୍ଣାଟକରେ ୯୯୯ କୃଷି ଶ୍ରମିକ ଏବଂ ଆନ୍ଧ୍ରପ୍ରଦେଶରେ ୫୮୪ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି। ପରିସଂଖ୍ୟାନ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ କୃଷି ଶ୍ରମିକ ଆତ୍ମହତ୍ୟା ବୃଦ୍ଧି ପାଉଥିବାବେଳେ କୃଷକଙ୍କ ଆତ୍ମହତ୍ୟା ହ୍ରାସ ପାଉଛି। ୨୦୧୯ ରେ ୫,୯୫୭ କୃଷକ ଏବଂ ୨୦୨୦ ରେ ୫,୫୭୯ ଜଣ ଆତ୍ମହତ୍ୟା କରିଥିଲେ ଯାହା ୨୦୨୧ରେ ୫,୩୧୮କୁ ଖସି ଆସିଛି।

୨୦୨୧ ମସିହାରେ ଦେଶରେ କୃଷି କ୍ଷେତ୍ରରେ ମୋଟ ୧୦,୮୮୧ ଲୋକ ଆତ୍ମହତ୍ୟା କରିଥିଲେ। ଯାହା ଦେଶରେ ମୋଟ ଆତ୍ମହତ୍ୟାର ୬.୬ ପ୍ରତିଶତ ବୋଲି ଜଣାପଡ଼ିଛି। ଏହି ସମୟରେ ଓଡ଼ିଶା ଝାଡଖଣ୍ଡ, ତ୍ରିପୁରା, ମଣିପୁର,ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ଲାକ୍ଷାଦ୍ୱୀପ, ପଶ୍ଚିମବଙ୍ଗ, ବିହାର ଏବଂ ପୁଡୁଚେରୀରେ କୌଣସି କୃଷକ କିମ୍ବା କୃଷି ଶ୍ରମିକ ଆତ୍ମହତ୍ୟା କରି ନାହାନ୍ତି। ଏନସିଆରବି ଏହି ତଥ୍ୟ ରାଜ୍ୟର କୃଷି ସଂସ୍କାରର ସଫଳ ରୂପାୟନର ପ୍ରତୀକ ରୂପେ ଗ୍ରହଣ କରାଯାଇ ପାରିବ। ଯଦିଓ ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା ଆଗାମୀ ଦିନରେ କୃଷି କ୍ଷେତ୍ରରେ ବୈପ୍ଳବିକ ଯୁଗାନ୍ତକାରୀ ପରିବର୍ତ୍ତନର ଆବଶ୍ୟକତା ରହିଛି।

Leave A Reply

Your email address will not be published.