ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମାଜବାଦୀ ପାର୍ଟିକୁ ଝଟକା : ଆଜମ ଖାନଙ୍କ ପରେ ଏବେ ପୁଅ ଅବଦୁଲ୍ଲା ଆଜମର ମଧ୍ୟ ରଦ୍ଦ ହେଲା ବିଧାୟକ ପଦ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ପରେ ବର୍ତ୍ତମାନ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ମଧ୍ୟ ବାତିଲ କରାଯାଇଛି। ଉତ୍ତରପ୍ରଦେଶ ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜମଙ୍କ ଆସନ ଖାଲି ଘୋଷଣା କରିଛନ୍ତି। ମୁରାଦାବାଦର ଏକ ସ୍ୱତନ୍ତ୍ର ଅଦାଲତ ସୋମବାରଦିନ ୧୫ବର୍ଷ ତଳର ଏକ ପୁରୁଣା ମାମଲାରେ ସମାଜବାଦୀ ପାର୍ଟିର ମହାସଚିବ ଆଜମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୩ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ମାମଲାରେ ଅନ୍ୟ ୭ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ଅବଦୁଲ୍ଲା ଆଜମ ରାମପୁରର ସ୍ୱାର ଆସନରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ତେବେ ମୁରାଦାବାଦର ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଦୁଇ ବର୍ଷ  ପାଇଁ ଜେଲ ଦଣ୍ଡ ଶୁଣାଇବା ପରେ ଜନପ୍ରତିନିଧି ନିୟମ ମୁତାବକ ଯଦି ଜଣେ ଜନପ୍ରତିନିଧିଙ୍କୁ କୋର୍ଟ ୨ ବର୍ଷରୁ ଅଧିକ ଜେଲଦଣ୍ଡରେ ଦଣ୍ଡିତ କରେ ତେବେ ତାଙ୍କୁ ଦଣ୍ଡ ବିଧାନ ତାରିଖରୁ ଅଯୋଗ୍ୟ ଘୋଷଣା କରାଯାଇପାରିବ । ଏହାସହ ଜେଲରେ ସମୟ ବିତାଇବା ସହ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନ ଲଢିପାରିବେ ନାହିଁ ।

ଅନ୍ୟପଟେ ଅବଦୁଲ୍ଲା ଆଜମଙ୍କ ପିତା ତଥା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ହେଟସ୍ପିଚ୍‌ ମାମଲାରେ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୂଣାଇବା ପରେ ୨୦୨୨ ଅକ୍ଟୋବର ମାସରେ ଅଯୋଗ୍ୟ ଘୋଷଣା କରାଯାଇଥିଲା।୨୦୧୯ରେ ଆଜମଖାନ୍‌ଙ୍କ ବିରୋଧରେ ହେଟ ସ୍ପିଚ ଅଭିଯୋଗ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ଆଜମ ଖାନ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

ଆଜମ ଖାନ୍‌ଙ୍କ ଏହି ଭାଷଣ ବିରୋଧ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଜେପି ନେତା ଅଜୟ ସକ୍‌ସେନା ଏହାକୁ ନେଇ ଆଜମ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ଆଜମ ଖାନ୍‌ଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନ୍‌ଚାର୍ଜ ଦ୍ୱାରା ଏକ ଏଫ୍‌ଆଇର୍ ମଧ୍ୟ ରୁଜୁ କରାଯାଇଥିଲା।

Leave A Reply

Your email address will not be published.