ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବିକାଶର ହସ୍ତାକ୍ଷର : ଝାରସୁଗୁଡ଼ା ପରେ ଖୁବ୍‌ଶିଘ୍ର ରାଉରକେଲା, ଜୟପୁର ଓ ମାଲକାନଗିରିରୁ ଉଡିବ ବିମାନ

ଭୁବନେଶ୍ୱର : ଏକ ସମୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ କୁହାଯାଉଥିଲା ପଛୁଆ ଅଞ୍ଚଳ। ମାତ୍ର ଏହି ଅଞ୍ଚଳରେ ଆଜି ଜଳଜଳ ଦିଶୁଛି ବିକାଶର ହସ୍ତାକ୍ଷର। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଉଡ଼ିବା ପାଇଁ ଲାଗିଛି ଡ଼େଣା। ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୫ଟି ବିମାନବନ୍ଦର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛି। ଏଥିରୁ ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ଚାରିଟି ବିମାନବନ୍ଦରରେ ଉଡ଼ାଣ ନିମନ୍ତେ ପ୍ରସ୍ତୁତି ସରିଛି। ଜୟପୁର ଏବଂ ମାଲକାନଗିରି ବିମାନବନ୍ଦରରୁ ଖୁବ୍‍ ଶୀଘ୍ର ବିମାନ ଉଡ଼ାଣ ଆରମ୍ଭ ହେବ। କଳାହାଣ୍ଡିର ଉତ୍‍କେଲା, କୋରାପୁଟର ଜୟପୁର ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ କେବଳ ଲାଇସେନ୍ସ ପାଇବାକୁ ଅପେକ୍ଷା ରହିଛି। ଏହା ବ୍ୟତୀତ ଓଡ଼ିଶା ସରକାର କେନ୍ଦୁଝରର ରାଇସୁଆଁ, ଫୁଲବାଣୀର ଗୋଦାରୀ ଭଳି ଚାରିଟି ନୂଆ ଏୟାରଷ୍ଟ୍ରିପ୍‍ରୁ ବିମାନ ଉଡ଼ାଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ରାଉରକେଲା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ମାଲକାନଗିରି ବିମାନବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ତେବେ ଜୟପୁର ଏବଂ ଉତ୍‍କେଲା ଖୁବ୍‍ ଶୀଘ୍ର ବିମାନ ଦେଖିବାକୁ ଯାଉଛି। ଯଦି ଯୋଜନା ଅନୁସାରେ ସବୁ ଠିକ୍‍ ଚାଲେ ତା ହେଲେ ଆସନ୍ତା ମାସରୁ ଜୟପୁର ବିମାନବନ୍ଦରରୁ ଛୋଟ ବିମାନ ଉଡ଼ିବା ଆରମ୍ଭ ହୋଇଯିବ। ଏଥିଲାଗି ରାଜ୍ୟ ସରକାର ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ଡିଜିସିଏର ଅନୁମତିକୁ ଅପେକ୍ଷା ରହିଛି। ଜୁନ୍‍ ପ୍ରଥମ ସପ୍ତାହରୁ ଜୟପୁରରୁ ବିମାନ ଉଡ଼ିବା ନେଇ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ଗତମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଜୟପୁର ଗସ୍ତରେ ଆସିଥିବା ସମୟରେ ପ୍ରକାଶ କରିଥିଲେ। ଜୟପୁରରୁ ବିମାନ ଉଡ଼ାଣ ପାଇଁ ଇଣ୍ଡିଆ ୱାନ୍‍ ସଂସ୍ଥାକୁ ନିୟୋଜିତ କରାଯାଇଛି।

ଜୟପୁର ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଏହି ବିମାନବନ୍ଦରକୁ ୨-ବି ଲାଇସେନ୍ସ ଦେବା ପାଇଁ ଡିଜିସିଏ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଲାଇସେନ୍ସକୁ ୩-ସି କୁ ଉନ୍ନୀତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୦ ଆସନ ବିଶିଷ୍ଟ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି ହୋଇଛି। ଜୟପୁରରୁ ଭୁବନେଶ୍ୱର ଓ ଭାଇଜାଗ୍‍କୁ ବିମାନ ଉଡ଼ାଣ ପ୍ରସ୍ତାବ ରହିଛି। ଚାରି ବର୍ଷ ପୂର୍ବେ ଜୟପୁର ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରାଯାଇଥିଲା। ଗତ ବର୍ଷରୁ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରହିଥିଲା। ୨୦୧୯ରେ ରାଜ୍ୟ ସରକାର ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଥିଲେ। ରନୱେ ଲମ୍ବ ୯୦୦ ମିଟରରୁ ୧୫୦୦ ମିଟର ଏବଂ ଓସାର ୧୫ ମିଟରରୁ ୨୩ ମିଟରକୁ ସମ୍ପ୍ରସାରଣ କରାଯାଇଛି। ସେହିପରି ଏକମ୍ବା ମୌଜାରେ ୩୦୦ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ଇତିମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ), ପାଣିପାଗ ବିଭାଗ, ଓଡ଼ିଶା ପରିବହନ ବିଭାଗ ତଥା ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକାଧିକ ଥର ପରିଦର୍ଶନ କରିଛନ୍ତି। ଭିତ୍ତିଭୂମି ଅନୁସାରେ ଏଠାରୁ ସି-୨୦୬ ଇଏକ୍ସ, ଏମ୍‍-୨୮ ଏବଂ ବି-୧୯୦୦ ଡି ବିମାନ ଉଡ଼ାଣ କରିପାରିବ। ଟେଣ୍ଡର ପରେ ଇଣ୍ଡିଆ ୱାନ ଏୟାରଲାଇନ୍ସକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲାପାଳ ଏମ୍‍ ଅବଦ୍ଦଲ ଅଖତର କହିଛନ୍ତି, ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏୟାର ଟ୍ରାଫିକ୍‍ କଣ୍ଟ୍ରୋଲ (ଏଟିସି) ଟାୱାର ଏବଂ ରାଡାର୍‍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ସେହିପରି ଟର୍ମିନାଲ କୋଠା ଭିତରେ ଯାତ୍ରୀଙ୍କ ପାଇଁ ଭିତ୍ତିଭୂମି ଉପଲବ୍ଧ କରାଯାଇଛି। ତେଣୁ ଏଠାରୁ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭରେ ସମସ୍ୟା ନାହିଁ। ଏବେ ସୁଦ୍ଧା ରନୱେ ସମ୍ପ୍ରସାରଣ ହୋଇଥିବା ବେଳେ ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପନ ବ୍ୟବସ୍ଥା, ଲଗେଜ୍‍ ସ୍କାନର୍‍, ମେଟାଲ ଡିଟେକ୍ଟର, ଯାତ୍ରୀ ସୂଚନା ବ୍ୟବସ୍ଥା ଏବଂ ଆନୁସଙ୍ଗିକ ବ୍ୟବସ୍ଥା ହୋଇ ସାରିଛି। ଗତ ମାସରେ କୋରପୁଟ ଗସ୍ତରେ ଆସିଥିବା ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ କହିଛନ୍ତି ଯେ ଯେ ରାଜ୍ୟ ସରକାରଙ୍କ ସହଯୋଗରେ ଜୟପୁର ବିମାନବନ୍ଦରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ହୋଇସାରିଛି। ପ୍ରାରମ୍ଭିକସ୍ତରରେ ସ୍ତରରେ ୧୦ସିଟ୍‍ ବିଶିଷ୍ଟ ସେସ୍‍ନା ବିମାନ ଉଡ଼ାଣ କରିବ। ପରବର୍ତ୍ତି ଅବସ୍ଥାରେ ଯାତ୍ରୀ ବଢ଼଼଼଼ିଲେ ଭିତ୍ତିଭୂମି ସମ୍ପ୍ରସାରଣ କରାଯାଇ ବଡ଼ ବିମାନ ଚଳାଚଳ ହେବ। ଜୟପୁରରୁ ବିଶାଖାପାଟଣା, ଭୁବନେଶ୍ୱକୁ ବିମାନ ଉଡ଼ାଣ ହେବ। ଏହା ପରେ ଭୁବନେଶ୍ୱର -ଉତ୍‍କେଲା, ଭୁବନେଶ୍ୱର-ଅମର୍ଦ୍ଦାରୋଡ଼ ଏବଂ ରଙ୍ଗେଇଲୁଣ୍ଡା ବିମାନବନ୍ଦରକୁ ବିମାନ ଉଡ଼ାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।

ଉଡ଼ାନ୍‍ ଯୋଜନାରେ ସବ୍‍ସିଡି ଯୋଜନା ଥିବାରୁ କମ୍ପାନୀକୁ କେନ୍ଦ୍ର ସରକାର ୮୦% ଏବଂ ୨୦% ସବ୍‍ସିଡି ରାଜ୍ୟ ସରକାର ବହନ କରିବେ। ଜୟପୁରରୁ ବିମାନ ଉଡ଼ାଣ ଆରମ୍ଭ ହେଲେ ଅଭିଭକ୍ତ କୋରାପୁଟର ବହୁ ଲୋକ ଉପକୃତ ହୋଇପାରିବେ। ଉଡ଼ାନ୍‍ ଯୋଜନାରେ ସାମିଲ ହେବା ପରଠାରୁ କୋରାପୁଟ ଏବଂ ନିକଟସ୍ଥ ଜିଲ୍ଲା ବାସିନ୍ଦା ଉତ୍ସୁକତାର ସହ ବିଧିବଦ୍ଧ ଉଡ଼ାଣ ଆରମ୍ଭକୁ ଅପେକ୍ଷା କରିଛନ୍ତି।ଏଏଆଇ ଅଧିକାରୀଙ୍କ ସୂଚନା ଅନୁସାରେ ଜୟପୁର, ଉତ୍‍କେଲା ପାଇଁ ୨-ବି ଲାଇସେନ୍ସ ଆବେଦନ କରାଯାଇଛି। ସେହିପରି ରାଉରକେଲାକୁ ୨-ବି ଲାଇସେନ୍ସ ମିଳିଥିବା ବେଳେ ୩-ସି ପାଇଁ ଆବେଦନ କରାଯିବ। ଏହା ବ୍ୟତୀତ ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ମୟୂରଭଞ୍ଜର ଅମର୍ଦ୍ଦାରୋଡ଼ ଏୟାରଷ୍ଟ୍ରିପ୍‍ରୁ ବିମାନ ଉଡ଼ାଣ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଉଡ଼ାନ୍‍ ବିଡିଂରେ ସ୍ଥାନ ଦିଆଯାଇଛି।

Leave A Reply

Your email address will not be published.