ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଣ୍ଡିଆ ଗେଟରୁ ଲିଭିବ ସହିଦ ଯବାନଙ୍କ ସ୍ମୃତିରେ ୫୦ ବର୍ଷ ଧରି ଅହରହ ଜଳୁଥିବା ମଶାଲ

ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାରଠାରୁ ଲିଭାଇ ଦିଆଯିବ।ଇଣ୍ଡିଆ ଗେଟ୍‌ରେ ବର୍ଷ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତି ଆଜି ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ଜ୍ୟୋତି ସହ ବିଲୟ ହୋଇଯିବ । ଆଗକୁ ଗଣତନ୍ତ୍ର ଦିବସ ଥିବା ବେଳେ ଏହା ପୂର୍ବରୁ ଆଜି ଦୀର୍ଘ ବର୍ଷର ପରମ୍ପରାର ବିଲୟ ହେବ । ଆଜି ଅପରାହ୍ନ ୩ଟା୩୦ରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହା ଆୟୋଜିତ ହେବ ବୋଲି ସେନା ତରଫରୁ ସୂଚନା ଦିଆଯାଇଛି।

ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଥମ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ପ୍ରାଣ ହରାଇଥିବା ୮୪ ହଜାର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଇଣ୍ଡିଆ ଗେଟ ନିର୍ମିତ ହୋଇଥିଲା। ଏହାପରେ ସ୍ବାଧୀନ ଭାରତରେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାପନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୬ ଜାନୁଆରି ୧୯୭୨ରେ ଏହାର ଉଦ୍‌ଘାଟନ କରିଥିଲେ । ସେବେଠାରୁ  ଅମର ଯବାନ ଜ୍ୟୋତି ଅନବରତ ଜଳି ଆସୁଛି। ଆଜି ଅପରାହ୍ନରେ ଇଣ୍ଡିଆ ଗେଟ୍ ନିକଟ ଏହି ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ ହେବ।

ଅମର ଯବାନ ଜ୍ୟୋତିରେ ମଶାଲ ଜଳିବା ବନ୍ଦ କରାଯିବାକୁ ନେଇ ଯୁକ୍ତି ଦିଆଯାଉଛି ଯେ, ଦୁଇଟି ସ୍ଥାନରେ ମଶାଲର ରକ୍ଷଣାବେକ୍ଷଣ କରିବାରେ ବହୁତ ସମସ୍ୟା ହେଉଛି । ସେନା ପକ୍ଷରୁ କୁହାଯାଇଛି, ‘ସହିଦଙ୍କ ପାଇଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି । ତେଣୁ ଅମର ଯବାନ ଜ୍ୟୋତିରେ କାହିଁକି ଅଲଗା ମଶାଲ ଜଳାଯିବ ।’ ସେନା ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ସବୁ ସହିଦଙ୍କ ନାଁ ଉଲ୍ଲେଖ ରହିଛି । ଏଥିରେ ୨୫ ହଜାର ୯ ଶହ ୪୨ ସହିଦ ଯବାନଙ୍କ ନାଁ ରହିଛି । ସହିଦଙ୍କ ପରିବାର ଲୋକେ ଏଠାକୁ ନିୟମିତ ଆସୁଛନ୍ତି । ଅମର ଯବାନ ଜ୍ୟୋତି ଶୁକ୍ରବାର ଅପରାହ୍ଣରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ମଶାଲରେ ସବୁଦିନ ପାଇଁ ମିଶିଯିବ ।’

ସୂଚନାଯୋଗ୍ୟ  ଦେଶର ବିଭିନ୍ନ ସମୟର ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସୈନ୍ୟଙ୍କ ଉଦ୍ଦେଶ୍ୟରେ ଇଣ୍ଡିଆ ଗେଟ୍ ଅନତି ଦୂରରେ ଜାତୀୟ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା ହୋଇଛି। ୧୯୪୭ ମସିହା ପରଠୁ ଦେଶ ପାଇଁ ସହିଦ ହୋଇଥିବା ୨୬, ୪୬୬ ଯବାନଙ୍କ ସ୍ମୃତିରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି। ୪୦ ଏକର ଜମିରେ ନିର୍ମିତ ମେମୋରିଆଲ ପାଇଁ ୧୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ନ୍ୟାସନାଲ ଯୁଦ୍ଧ ମେମୋରିଆଲ୍ ହେଉଛି ଦେଶର ଏକମାତ୍ର ସ୍ମାରକ ଯେଉଁଠାରେ ଦେଶା ସେନା, ନୌ ସେନା ଏବଂ ବାୟୁସେନା ସୈନିକଙ୍କ ନାମ ଗୋଟିଏ ଛାତ ତଳେ ଲିପିବଦ୍ଧ ରହିଛି। ସେଠାରେ ଶହୀଦ ସୈନ୍ୟଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି।ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ମସିହା ଫେବୃଆରୀ ୨୫ରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକର ଉଦ୍‌ଘାଟନ କରିଥିଲେ।

ଜାତୀୟ ଯୁଦ୍ଧ ସ୍ମାରକୀ ଭବନ ଉଦ୍‌ଘାଟନ ହେବା ପରେ ସମସ୍ତ ସାମରିକ ସମାରୋହ କାର୍ଯ୍ୟକ୍ରମକୁ ଇଣ୍ଡିଆ ଗେଟ୍ ମେମୋରିଆଲରୁ ସେଠାକୁ ସ୍ଥାନାନ୍ତର କରାଯାଇଛି। ଏହା ସ୍ୱତନ୍ତ୍ର ଭାବେ ଦେଶର ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବାରୁ ଅମର ଯବାନ ଜ୍ୟୋତିକୁ ମଧ୍ୟ ଏହା ସହ ବିଲୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି କୁହାଯାଇଛି। ଏହାକୁ ନେଇ ବହୁ ପୂର୍ବତନ ସେନା ଅଧିକାରୀଙ୍କ ମଧ୍ୟରେ ଦ୍ୱିମତ ପ୍ରକାଶ ପାଇଛି। ବହୁ ପୂର୍ବତନ ସେନା ଅଧିକାରୀ ଏହି ବିଲୟକୁ ସମର୍ଥନ କରିଛନ୍ତି। ହେଲେ ଅମର ଯବାନ ଜ୍ୟୋତି ପ୍ରତି ଭାରତୀୟଙ୍କ ହୃଦୟରେ ନିଜ ସ୍ଥାନ ତିଆରି କରିଥିବାରୁ ଏହାର ଏପରି ବିଲୟକୁ ବହୁ ସେନା ଅଧିକାରୀ ନାପସନ୍ଦ ବି କରିଛନ୍ତି।

Leave A Reply

Your email address will not be published.