ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡରାଇଲାଣି ମିଳିମିଳା: ମାସକ ଭିତରେ ଗଲାଣି ୧୨ ଶିଶୁଙ୍କ ଜୀବନ

ମୁମ୍ବାଇ: ମୁମ୍ବାଇ ସହରରେ ମିଳିମିଳା ଆତଙ୍କ । ମିଳିମିଳା କାରଣରୁ ବର୍ତ୍ତମାନ ମୁମ୍ବାଇରେ ପରିସ୍ଥିତି ଧୀରେ ଧୀରେ ଜଟିଳ ହେବାକୁ ଲାଗିଲାଣି । ମିଳିମିଳା ରୋଗ ମୁମ୍ବାଇରେ ହଠାତ୍ ବୃଦ୍ଧି ପାଉଥିବାରୁ ସହରର ନାଗରିକ ସଂସ୍ଥା ଏମ-ଇଷ୍ଟ ଏବଂ ଅନ୍ୟ କେତେକ ଅଂଶକୁ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି ଚିହ୍ନଟ କରିଛି।

ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରେ ବହୁ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି। ମୁମ୍ବାଇରେ ଏଯାବତ ମିଳିମିଳା ଲକ୍ଷଣ ଥିବା ୩୨୦୮ ରୋଗୀ ନଜରକୁ ଆସିଲେଣି। ସେମାନଙ୍କ ମଧ୍ୟରୁ ୨୨୦ ରୋଗୀଙ୍କ ଚିକିତ୍ସା ଚାଲିଛି। ସୋମବାର ମୁମ୍ବାଇରେ ସର୍ବାଧୀକ ୨୪ ମିଳିମିଳା ରୋଗୀ ଚିହ୍ନଟ ହୋଇଥିଲେ। ମୁଖ୍ୟତଃ ଏହି ରୋଗ କବଳରେ ଶିଶୁମାନେ ପଡ଼ୁଥିବାରୁ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମିଳିମିଳାରେ ଏଯାଏ  ୧୨ ଜଣ ଶିଶୁଙ୍କମ ମୃତ୍ଯୁ ଘଟିଥିବା ଜଣାପଡ଼ିଛି।

୯ ମାସରୁ ୫ ବର୍ଷର ଶିଶୁଙ୍କୁ ତୁରନ୍ତ ମିଳିମିଳା ଟିକା ଦେବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ମୁମ୍ବାଇବାସୀଙ୍କୁ ଅପିଲ୍ କରିଛନ୍ତି। କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି।

ମିଳିମିଳା ରୋଗର ବୃଦ୍ଧିକୁ ଆକଳନ ତଥା ପରିଚାଳନା ପାଇଁ କେନ୍ଦ୍ର ସରକାର ଉଚ୍ଚ ସ୍ତରୀୟ ଦଳ ନିୟୋଜିତ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ କହିଛନ୍ତି ଯେ ଏହି ଦଳ ମିଳିମିଳା ରୋଗର ବୃଦ୍ଧି ଧାରାକୁ ଦେଖିବେ । ବିବୃତ୍ତି ଅନୁଯାୟୀ ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ରୋଗର ମୁକାବିଲା କରିବାରେ ସାହାଯ୍ୟ କରିବେ । ଏହି ତିନୋଟି ସହରରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗର ବୃଦ୍ଧି ରେକର୍ଡ କରାଯାଇଛି। ଅଧିକାରୀ ମାନେ ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି । ଏନେଇ ସମସ୍ତ ଦିଗ ଉପରେ ଦୃଷ୍ଟି ରଖିଛନ୍ତି ସରକାର ।

ମିଳିମିଳା ଏକ ଭୂତାଣୁ ଜନିତ ରୋଗ। ଏହି ଭୂତାଣୁ କାଶ ଓ ଛିଙ୍କ ଦ୍ୱାରା ନାକ ଓ ପାଟିରୁ ନିର୍ଗତ ଜଳକଣା ଦ୍ୱାରା ବାୟୁରେ ବ୍ୟାପିଥାଏ। ମିଳିମିଳା ହେଲେ କାଶ, ସର୍ଦ୍ଦି, ଥକାପଣ, ଆଖିଫୁଲା, ତଣ୍ଟି ଦରଜ, ଆଖି ଲାଲ ପଡିଯିବା ଏବଂ ଜ୍ୱର ସହିତ ଚର୍ମରେ ଘିମିରି ଭଳି କୁଣ୍ଡିଆ ହୋଇ ଲାଲ୍ ପଡ଼ିଯାଏ।

Leave A Reply

Your email address will not be published.