ଆଦାନୀ-ହିଣ୍ଡେନବର୍ଗ ବିବାଦ ମାମଲା: କେନ୍ଦ୍ର ସରକାରଙ୍କ ବନ୍ଦ ଲଫାପା ପ୍ରସ୍ତାବକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଦାନୀ-ହିଣ୍ଡେନବର୍ଗ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ଲାଗିଛି ବଡ଼ ଝଟକା। ଆଦାନୀ ମାମଲାର ତଦନ୍ତ ପାଇଁ ବିଶେଷଜ୍ଞଙ୍କ ନାମ ବନ୍ଦ ଲଫାପାରେ ନେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଗତ ଶୁଣାଣି ସମୟରେ କୋର୍ଟଙ୍କ ନିର୍ଦ୍ଦେଶରେ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜି ହୋଇଥିଲେ। ସେତେବେଳେ ସରକାର ଏକ ବନ୍ଦ ଲଫାପାରେ ବିଶେଷଜ୍ଞଙ୍କ ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସୁପ୍ରିମକୋର୍ଟ ଏହି ବନ୍ଦ ଲଫାପାକୁ ଗ୍ରହଣ କରି ନାହାନ୍ତି।

ଶୁକ୍ରବାର ଶୁଣାଣି ବେଳେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଏହି ମାମଲାର ତଦନ୍ତରେ ଆମେ ସ୍ୱଚ୍ଛତା ଚାହୁଁଛୁ। ତେଣୁ କେନ୍ଦ୍ରର ପରାମର୍ଶ ଗ୍ରହଣ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି – ଯଦି ଆପଣ ଦେଇଥିବା ନାମ ଅନ୍ୟ ପକ୍ଷକୁ ଦିଆଯାଇନଥାଏ, ତେବେ ସ୍ୱଚ୍ଛତାର ଅଭାବ ରହିବ। ସେଥିପାଇଁ ଆମେ ଆମ ତରଫରୁ ଏକ ବିଶେଷଜ୍ଞ କମିଟି ଗଠନ କରିବୁ। ସେ କହିଛନ୍ତି ଯେ ଆମେ ଏନେଇ ରାୟ ସଂରକ୍ଷିତ ରଖିଛୁ।

ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯଦି ସରକାର ଦେଇଥିବା ସଦସ୍ୟଙ୍କ ନାମକୁ ସାମ୍ବିଧାନିକ କମିଟି ଭାବେ ଗ୍ରହଣ କରାଯିବ ତାହେଲେ ଏହା ସରକାରଙ୍କ ଦ୍ୱାରା ଗଠିତ ବୋଲି ବୁଝାପଡିବ । କିନ୍ତୁ କମିଟି ଉପରେ ଲୋକଙ୍କ ବିଶ୍ୱାସ ଆସିବା ଉଚିତ ବୋଲି ସିଜେଆଇ କହିଛନ୍ତି । ଏହି ମାମଲାରେ କୌଣସି କାର୍ଯ୍ୟରତ ବିଚାରପତିଙ୍କ ଅଧୀନରେ ତଦନ୍ତ କମିଟି ହେବ ନାହିଁ ବରଂ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ତିଆରି ହେବ ବୋଲି ସେ କହିଛନ୍ତି । ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀରେ ନିବେଶ କରିଥିବା ବ୍ୟକ୍ତି କ୍ଷତିରେ ପଡିଛନ୍ତି । ବଜାରରେ ଅସ୍ଥିରତା ଦେଖାଦେଇଛି । ଏହାକୁ ଗୁରୁତର ସହ ଗ୍ରହଣ କରି ଫେବୃଆରୀ ୧୦ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହା ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିପାରିବ ।

ଏହି ମାମଲାରେ ଏପର୍ଯ୍ୟନ୍ତ ୪ଟି ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି । ଜଣେ ସାମାଜିକ କର୍ମୀ ବୋଲି ଦାବି କରୁଥିବା ଓକିଲ ଏମ.ଏଲ୍ ଶର୍ମା, ବିଶାଲ ତିୱାରୀ, କଂଗ୍ରେସ ନେତା ଜୟା ଠାକୁର ଏବଂ ମୁକେଶ କୁମାରଙ୍କ ତରଫରୁ ଏହି ପିଟିସନ ଦାଖଲ ହୋଇଛି। ଏହି ମାମଲାର ପ୍ରଥମ ଶୁଣାଣି ଶୁକ୍ରବାର (ଫେବୃଆରୀ ୧୦) ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିଂହା ଏବଂ ଜେ.ବି ପାରଦୀୱାଲା କରିଥିଲେ। ଦ୍ୱିତୀୟ ଶୁଣାଣି ସୋମବାର (ଫେବୃଆରୀ ୧୩) ହୋଇଥିଲା।

Leave a comment