ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଦାନୀ ପ୍ରସଙ୍ଗରେ ସଂସଦରେ ବିରୋଧୀଙ୍କ ହଙ୍ଗାମା, ମୁଲତବୀ ରହିଲା ଉଭୟ ଲୋକସଭା ଓ ରାଜ୍ୟସଭା

ନୂଆଦିଲ୍ଲୀ : ହିଣ୍ଡେନବର୍ଗ ରିପୋର୍ଟ ପରେ ସମ୍ପତ୍ତି ହରାଇ ଚାଲିଥିବା ଆଦାନୀ ଗ୍ରୁପ୍‌ର ସଙ୍କଟ ବଢିବାରେ ଲାଗିଛି। କିଛି ଦିନତଳେ ସାରା ବିଶ୍ବର ଧନୀ ତାଲିକାରେ ୨ ନମ୍ବର ସ୍ଥାନରେ ଥିବା ଗୌତମ ଆଦାନୀ ଏବେ ବିଶ୍ବର ୨୦ ଧନୀ ତାଲିକାରୁ ମଧ୍ୟ ବାଦ୍‌ ପଡିଛନ୍ତି। ଆଦାନୀଙ୍କ ଉପରେ ସଙ୍କଟ ମାଡି ଆସିଥିବା ବେଳେ ଦେଶରେ ଚାଲିଥିବା ବଜେଟ୍‌ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା ହୋଇଛି।

ଆଜି ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭା ଆରମ୍ଭରୁ ବିରୋଧୀ ଆଦାନୀଙ୍କ ପ୍ରସଙ୍ଗ ନେଇ ଶାସକ ବିଜେପିକୁ ଘନଘନ ଆକ୍ରମଣ କରିଥିଲେ। ବିରୋଧୀ ଦଳ କହିଛନ୍ତି, ଆଦାନି ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ ହେଉ । କୋଟି କୋଟି ଭାରତୀୟଙ୍କର କଷ୍ଟ ଅର୍ଜିତ ଉପାର୍ଜନକୁ ଆଦାନି ଗ୍ରୁପ୍ ବିପଦରେ ପକାଇ ଦେଇଛି ବୋଲି କଂଗ୍ରେସ କହିଛି । ତେଣୁ ଆଦାନି ଗ୍ରୁପ୍ ସଙ୍କଟ ସଂକ୍ରାନ୍ତରେ କଂଗ୍ରେସ ଏବଂ ଅନ୍ୟ ଦଳଗୁଡ଼ିକ ଜେପିସି ବା ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରିଛନ୍ତି ।

ଜେପିସି ତଦନ୍ତ ନହେଲେ ସୁପ୍ରିମକୋର୍ଟ ତତ୍ୱାବଧାନରେ ତଦନ୍ତ କରାଯିବା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି । ଆଦାନି ଗ୍ରୁପ୍ କମ୍ପାନି ବାବଦରେ ଆଲେଚାନ କରିବାକୁ ଧାରା ୨୬୭ ଅଧୀନରେ ଆଲେଚନା ପାଇଁ ସଂସଦରେ ସସପେନସନ୍ ଅଫ ବିଜନେସ ନୋଟିସ୍ ଦେଇଥିଲି । କିନ୍ତୁ ନୋଟିସକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସୁଯୋଗ ଦେଉନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଆଦାଦୀ ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ବିରୋଧୀ ପ୍ରବଳ ହଙ୍ଗାମା କରିବା ପରେ ଉଭୟ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।

ସେପଟେ କମ୍ପାନୀର ଶେୟାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ବେଳେ ଲୋକଙ୍କ ଭରସା ମଧ୍ୟ ତୁଟିବା ଆରମ୍ଭ ହୋଇଛି। ଏହାକୁ ନେଇ ହଇଚଇ ଲାଗି ରହିଥିବା ବେଳେ ଗ୍ରୁପ୍‌କୁ ଆଉ ଏକ ଝଟକା ଲାଗିଛି। ଆଦାନୀ ଗ୍ରୁପ୍‌ ସହ ମିଶି ଚାଲିଥିବା ଗୋଟିଏ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାଇ ଲର୍ଡ ଜୋ ଜନସନ। ସେ ଆଦାନୀ ଇଣ୍ଟରପ୍ରାଇଜେସ୍‌ର ସହ ମିଶି କାମ କରୁଥିବା ଲଣ୍ଡନ ଭିତ୍ତିକ ଗୋଟିଏ ଇନଭେଷ୍ଟମେଣ୍ଟ ଫାର୍ମର ନିର୍ଦ୍ଦେଶକ ଥିଲେ। କିନ୍ତୁ ଆଦାନୀ ଗ୍ରୁପ୍‌ର ବିଶ୍ୱସନୀୟତା ହ୍ରାସ ପାଉଥିବାରୁ ଜୁନିୟର ଜନସନ ଉକ୍ତ ଇନଭେଷ୍ଟମେଣ୍ଟ କମ୍ପାନୀର ଅଣ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଛାଡ଼ି ଦେଇଛନ୍ତି।

ଶେୟାର ମୂଲ୍ୟ ହ୍ରାସ ପାଉଥିବାରୁ ଗୁରୁବାର ଆଦାନୀ ଗ୍ରୁପ୍‌ ଫଲୋଅନ ପବ୍ଲିକ ଅଫର ବା ଇପିଓ ପ୍ରତ୍ୟାହାର କରିଥିଲା। ଏହାପରେ ଜନସନଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି। ଗତବର୍ଷ ଜୁନ ମାସରେ ୫୧ ବର୍ଷୀୟ ଜୋ ଜନସନ ଲଣ୍ଡନ ଭିତ୍ତିକ କମ୍ପାନୀ ଇଲାରା କ୍ୟାପିଟାଲ ପିଏଲସିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ହେଲେ ବର୍ଷେ ନ ପୁରୁଣୁ ସେ ପଦ ଛାଡ଼ି ଦେଇଛନ୍ତି।

ଅନ୍ୟପଟେ ଗତକାଲି ୨୦ହଜାର କୋଟିର ଏଫପିଓ ରଦ୍ଦ କରିଛି ଅଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍ । ଟଙ୍କା ଫେରିପାଇବେ ନିବେଶକ । ସେୟାର ମାର୍କେଟ ତଳ ଉପର ହେଉଥିବାରୁ କମ୍ପାନୀ ବୋର୍ଡ ଏଫପିଓ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ଚେୟାରମ୍ୟାନ୍ ଗୌତମ ଅଦାନୀ । ନିବେଶକଙ୍କ ହିତକୁ ରକ୍ଷା କରିବାକୁ ଯାଇ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ଏଫପିଓରୁ ମିଳିଥିବା ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯାଇଛି । କୌଣସି କମ୍ପାନୀ ପାଇଁ ଟଙ୍କା ଯୋଡିବାର ମାଧ୍ୟମ ହେଉଛି ଏଫପିଓ ।

ଯେଉଁ କମ୍ପାନୀ ପ୍ରଥମରୁ ସେୟାର ମାର୍କେଟରେ ତାଲିକାରେ ଥାଏ, ଇନଭେଷ୍ଟର୍ସଙ୍କ ପାଇଁ ନୂଆ ସେୟାର ଅଫର କରିଥାଏ । ସେୟାର ବଜାରରେ ଥିବା ସେୟାରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି । କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଅଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି । ବୁଧବାର ଦିନ ଅଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଗୋଟିଏ ଦିନରେ ୨୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

୨୪ ଜାନୁଆରୀରେ ଅଦାନୀ ଗ୍ରୁପ ନାଁରେ ଆମେରିକାର ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଅଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ କରିଛି । ଏ ନେଇ ଅଦାନୀ ଗ୍ରୁପ ୪୦୦ରୁ ଅଧିକ ପୃଷ୍ଠାର ଏକ ଜବାବ ଦେଇଛି ବୋଲି ସୂଚନା ରହିଛି । ହିଣ୍ଡେନବର୍ଗର ରିପୋର୍ଟ ଅସତ୍ୟ ଏବଂ ଏଫପିଓକୁ ବଦନାମ କରିବାକୁ ଏକ ଷଡଯନ୍ତ୍ର ବୋଲି ଅଦାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.