ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରାକୃତିକ ବିପର୍ଯ୍ଯୟ ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍: ୨୪ ଘଣ୍ଟା ମଧ୍ଯରେ ରାସ୍ତା ସଫା କରି ଉଦ୍ଧାର ଓ ରିଲିଫ୍ କାମକୁ ତ୍ବରାନ୍ବିତ କରିବାକୁ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପ୍ରାକୃତିକ ବିପର୍ଯ୍ଯୟ ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍ ଦେଇଛି ପୂର୍ତ୍ତ ବିଭାଗ । ବିପର୍ଯ୍ଯୟର ୨୪ ଘଣ୍ଟା ଭିତରେ ରାସ୍ତା ସଫା କରି ଉଦ୍ଧାର ଓ ରିଲିଫ୍ କାମକୁ ତ୍ବରାନ୍ବିତ କରିବା ଉପରେ ଦିଆଯାଇଛି ଗୁରୁତ୍ବ। ପୁନଃ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ, ଓଡ୍ରାଫ, ଏନଡିଆରଏଫ୍ ଓ ଅନ୍ୟ ବୈଷୟିକ ବିଭାଗ ସହ ସମନ୍ବୟ ରଖି କାମ କରାଯିବ। କ୍ଷୟକ୍ଷତିର ଫଟୋକୁ ଜିଓ ଟ୍ୟାଗିଂ କରି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ। ଆବଶ୍ୟକ ସ୍ଥଳେ ପୂର୍ତ୍ତ ବିଭାଗର ତାଲିକାଭୁକ୍ତ ଠିକାଦାରଙ୍କ ସହଯୋଗ ନିଆଯିବ ।

ବର୍ଷା ପରେ ବନ୍ୟା । ଅକ୍ଟୋବର ଆସିଲେ ବାତ୍ୟା ଭୟ । ଭୂକମ୍ପ ବି ଦେଇପାରେ ଝଟକା । ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ପାଇଁ କ୍ବିକ୍ ରେସପନସ୍ ଟିମ ବା କ୍ୟୁଆରଟି ଗଠନ କରିବ ପୂର୍ତ୍ତ ବିଭାଗ । ପ୍ରଥମେ ଅପରେଟିଂ ଗ୍ରୁପ୍ ଟ୍ରି କଟର୍, ଜେସିବି ଓ ସ୍ଥାନୀୟ ଶ୍ରମିକଙ୍କ ଜରିଆରେ ଯାତାୟତ ଅବରୋଧ କରୁଥିବା ଗଛର ଶାଖା କାଟିବେ । ୨୪ଘଣ୍ଟା ଭିତରେ ୩ ମିଟର ଓସାର ରାସ୍ତା ସଫା କରି ରିଲିଫ କାମ ଆରମ୍ଭ ହେବ। ପୁରୁଣା ଭଙ୍ଗା ବ୍ରିଜ୍ ନିକଟରେ ହ୍ୟୁମ୍ ପାଇପ୍ ବିଛାଯିବ । ଏଥିରେ ବାଲି ବ୍ୟାଗ୍ ବା ମୋରମ ଆଚ୍ଛାଦିତ କରି ଟ୍ରାଫିକ୍ ପୁନରୁଦ୍ଧାର ହେବ । ସେହିପରି ପାହାଡ଼ ପାଖରେ ସଠିକ୍ ସ୍ଲୋପ ପାଇଁ ଅସ୍ଥାୟୀ କାନ୍ଥ ନିର୍ମାଣ କରି ଭୂସ୍ଖଳନର ମୁକାବିଲା କରାଯିବ ।

ଜଳ ନିଷ୍କାସନକାରୀ ପମ୍ପ, ଜେନେରେଟର, ସିଡ଼ି, ଦଉଡ଼ି, ବନ୍ୟା ଲାଇଟ୍, ହାତୁଡ଼ି ସହ ମାନବ ସମ୍ବଳ ଜରୁରିକାଳୀନ ସମୟରେ ବ୍ୟବହାର କରାଯାଇ ପାରିବ । ଜଳମଗ୍ନ ରାସ୍ତାରେ ବନ୍ଦ ରହିବ ଯାତାୟତ । ସମ୍ବେଦନଶୀଳ ସ୍ଥାନ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ଜରୁରିକାଳୀନ ପରିସ୍ଥିତିରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯିବ । ଯାନବାହାନର ଯାତାୟତ ପାଇଁ ପାହାଡ଼ ପାର୍ଶ୍ବରେ ବ୍ୟାରିକେଡ୍ ସୃଷ୍ଟି କରାଯିବ । ଓଡ୍ରାଫ ଓ ଏନଡିଆରଏଫର ଉଦ୍ଧାର କାର୍ଯ୍ଯ ନେଇ ସଚେତନ କରାଯିବ । ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ଯାଳୟରୁ ପ୍ରାକୃତିକ ବିପର୍ଯ୍ଯୟ ମୁକାବିଲାର ମନିଟରିଂ କରାଯିବ । ପ୍ରାକ୍ ଓ ପରବର୍ତ୍ତୀ ସ୍ଥିତିର ଦୈନିକ ସୂଚନା ପାଇଁ ଜରୁରିକାଳୀନ ସେଲ ଓ ହ୍ବାଟ୍ସଆପ୍ ଗ୍ରୁପ ଖୋଲାଯିବ ।

Leave A Reply

Your email address will not be published.