ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ମାମଲା; ଜାମିନ ନାମାଞ୍ଜୁର ପରେ ଜେଲ ଗଲା ଅଭିଯୁକ୍ତ

ପୁରୀ : ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ ମହାପାତ୍ରକୁ ଜେଲ ପଠାଇ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମର ଜଗନ ମହାପାତ୍ରକୁ ଗିରଫ ପରେ ଆଜି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ଜଗନକୁ ଜେଲ ପଠାଇ ଦିଆଯାଇଛି। ରୋଷଘର ଚୁଲି ଭଙ୍ଗା ଦିନ ସିସିଟିଭି ଫୁଟେଜ୍ରେ ଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିବା ପୁରୀ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହ ସୂଚନା ଦେଇଥିଲେ।

ଅନ୍ୟପଟେ ଗିରଫ ହୋଇଥିବା ଜଗନ ମହାପାତ୍ର ଏହି କାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ରୋଷଘରକୁ ଯାଇଥିଲେ, ସେଠାରେ ଭୋଗ ଏଣେତେଣେ ପଡ଼ିଥିବାର ଦେଖିବାକୁ ପାଇଲେ । ଏହାକୁ ଦେଖି ତାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଆଉ ସେ ନିଜେ ଚୁଲି ଭାଙ୍ଗିଥିଲେ ବୋଲି କହିଛନ୍ତି । ନିଜ ହାତରେ ହିଁ ସେ ଚୁଲିଗୁଡ଼ିକୁ ଭାଙ୍ଗିଥିଲେ । ପ୍ରାୟ ରାତି ଗୋଟାଏ ସମୟରେ ରୋଷଘର ଆଗରେ କେହି ନଥିବାର ସୁଯୋଗ ପାଇ ସେ ରୋଷଘର ଭିତରେ ପଶିଯାଇଥିଲେ । ପ୍ରାୟ ଘଣ୍ଟାଏରୁ ଦେଢ଼ଘଣ୍ଟା ରହି ଚୁଲି ଭଙ୍ଗାରୁଜା କରିଥିଲେ । ଏହାପରେ ସେ ବାଇଶି ପାହାଚ ଦେଇ ମନ୍ଦିରରୁ ବାହାରି ଯାଉଥିଲେ । ଏହି ସମୟରେ ୩ରୁ ୪ ଜଣ ଜଗନ୍ନାଥ ମନ୍ଦିର ପୁଲିସ୍ ବା ଜେଟିପି ଦେଖିଥିଲେ ଓ ବାହାରକୁ ଚାଲିଯିବାକୁ କହିଥିଲେ । ସେ ମାନିଛନ୍ତି ଯେ ଚୁଲି ଭାଙ୍ଗି ଭୁଲ କରିଛନ୍ତି, ହେଲେ କୌଣସି ପାପ କରିନାହାନ୍ତି ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କିଛି ଲୋକଙ୍କ ପାଖରେ ଖାଇବାକୁ ନାହିଁ, ଆଉ କିଛି ଲୋକଙ୍କ ପାଖରେ ଅନେକ କିଛି ଅଛି । ଏହି କଥା ମଧ୍ୟ ତାଙ୍କ ମନରେ ପ୍ରତିକ୍ରିୟା ଆଣିଥିଲା । ତାଙ୍କ ପରିବାର ଲୋକେ ଓ ସମ୍ପର୍କୀୟ କହିଛନ୍ତି ଯେ, ଜଗନ ମଝିରେ ମଝିରେ ତାଙ୍କର ମାନସିକ ବିକୃତି ଦେଖାଦେଇଥାଏ, ହେଲେ ସେ କାହାରି କ୍ଷତି ଘଟାଇ ନଥାନ୍ତି ।

Leave A Reply

Your email address will not be published.